ଭୁବନେଶ୍ୱର : ସହରାଞ୍ଚଳରେ ଲଗାଯାଉଥିବା ବିଜ୍ଞାପନ ହୋର୍ଡିଂରୁ ସରକାରଙ୍କ ରାଜକୋଷକୁ ବର୍ଷକୁ ଯେତିକି ଅର୍ଥ ଆସୁଛି ପାଖପାଖି ସେତିକି ପରିମାଣର ଅର୍ଥ ହୋର୍ଡିଂ ଲଗାଇଥିବା ବିଭିନ୍ନ ସଂସ୍ଥା ଉପରେ ବାକିଆ ଅର୍ଥ ଗଡୁଛି । ସରକାର ବାକି ଗଡାଉଥିବା ସଂସ୍ଥା ଉପରେ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ରାଜକୋଷକୁ ଏ ବାବଦୀୟ ଅର୍ଥ ଆସିପାରୁ ନାହିଁ ।
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବିଭିନ୍ନ ସଂସ୍ଥାମାନେ ପାଖାପାଖ ହଜାରେ ବିଜ୍ଞାପନ ହୋଡିଂ ଲଗାଇଛନ୍ତି । ହୋର୍ଡିଂ ଲଗାଇବା ବାବଦରେ ଏହିସବୁ ସଂସ୍ଥାମାନେ ବିଏମ୍ସିକୁ ବର୍ଷକୁ ପ୍ରାୟ ୧୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ପ୍ରଦାନ କରୁଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୧୬ କୋଟି ଟଙ୍କାକୁ ଟପିଯାଇଛି । ଏହିସବୁ ସଂସ୍ଥାମାନେ ବିଜ୍ଞାପନଦାତାଙ୍କ ଠାରୁ ଅର୍ଥ ପାଉଥିବାବେଳେ ସରକାର ଧାର୍ଯ୍ୟ କରିଥିବା ଟିକସ ବାବଦୀୟ ଅର୍ଥ ପ୍ରଦାନ କରିଥାନ୍ତି । ବିଜ୍ଞାପନ ବାବଦକୁ ବର୍ଷକୁ ବର୍ଷ ସରକାର ପାଉଥିବା ଟିକସର ପରିମାଣ ବଢିବାରେ ଲାଗିଛି ।
ତେବେ ଦେଖିବାକୁ ମିଳିଛି ଯେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବିଜ୍ଞାପନ ହୋର୍ଡିଂ ମାରିଥିବା ୧୮ଟି ସଂସ୍ଥା କୋଟି କୋଟି ଟଙ୍କାର ଟିକସ ପଇଠ କରିନାହାନ୍ତି । ଦୁଇଟି ସଂସ୍ଥାଙ୍କର ବାକିଆ ଅର୍ଥ ୨କୋଟି ଟଙ୍କାରୁ ଅଧିକ ଥିବାବେଳେ ଆଉ ଦୁଇଟି ସଂସ୍ଥାର ବାକିଆ ଅର୍ଥ ୧ କୋଟି ଟଙ୍କାରୁ ଅଥିକ ରହିଛି । ସର୍ବନିମ୍ନ ବାକିଆ ପରିମାଣ ପାଖାପାଖି ୧୪ଲକ୍ଷ ଟଙ୍କା ରହିଛି । ଏହିଭଳି ଉକ୍ତ ସଂସ୍ଥାମାନେ ୧୨ କୋଟି ଟଙ୍କାରୁ ଉର୍ଦ୍ଧ ଅର୍ଥ ବାକି ରଖିଛନ୍ତି ।
ବିଜ୍ଞାପନ ହୋର୍ଡିଂ ମାରୁଥିବା ସଂସ୍ଥାଗୁଡିକ ବିଜ୍ଞାପନଦାତାଙ୍କ ଠାରୁ ବହୁ ସ୍ଥଳରେ ଚୁକ୍ତିନାମା କରି ଆଗୁଆ ଅର୍ଥ ଆଣୁଥିବାବେଳେ ସରକାରଙ୍କୁ ପଇସା ଦେବାରେ କିନ୍ତୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଏମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଅର୍ଥ ପଇଠ କରୁନଥିବା କେତେକ ସଂସ୍ଥାର ହୋର୍ଡିଂକୁ ବି କର୍ତ୍ତୃପକ୍ଷ କାଢି ଦେଉଛନ୍ତି । ତଥାପି ଅନେକ ସଂସ୍ଥା ସରକାରଙ୍କୁ ଟିକସ ଅର୍ଥ ଦେବାକୁ ରାଜି ହେଉନାହାନ୍ତି ।
ସରକାରୀ ହିସାବରେ ପାଖାପାଖି ହଜାରେଟି ହୋଡିଂ ବିଏମ୍ସି ଅଞ୍ଚଳରେ ଲାଗିଥିବାବେଳେ ଏଥିରେ ଉଭୟ ସରକାରୀ ଓ ବେସରକାରୀ ବିଜ୍ଞାପନ ରହିଛି । କିନ୍ତୁ ସରକାରଙ୍କ ତାଲିକା ବାହାରେ ବେଆଇନ୍ ଭାବେ ଏକାଧିକ ବିଜ୍ଞାପନ ହୋଡିଂ ଲଗାଇ ବିଭିନ୍ନ ସଂସ୍ଥା କୋଟି କୋଟି ଟଙ୍କା ଆୟ କରୁଥିବାବେଳେ ଏହାର ଟିକସ କିନ୍ତୁ ରାଜକୋଷକୁ ଆସେ ନାହିଁ । ଅର୍ଥ ଆଦାୟ ପାଇଁ ବହୁ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ହୋର୍ଡିଂଗୁଡିକ ଲଗାଯାଉଥିବାବେଳେ ଏଥିଯୋଗୁଁ ଦୁର୍ଘଟଣା ବି ଘଟୁଛି । ଇତି ମଧ୍ୟରେ ପ୍ରାୟ ୫୦ଟି ବିପଦସଙ୍କୁଳ ହୋର୍ଡିଂକୁ କର୍ତ୍ତୃପକ୍ଷ ହଟାଇ ସାରିଲେଣି ।
କେବଳ ଭୁବନେଶ୍ୱର ମହାନଗର ନିଗମ ନୁହେଁ, ବ୍ରହ୍ମପୁର ମହାନଗର ନିଗମରେ ବି ୧୫ଟି ସଂସ୍ଥା ବିଜ୍ଞାପନ ହୋର୍ଡିଂ ବାବଦରେ ସରକାରଙ୍କୁ କୋଟି କୋଟି ଟଙ୍କା ପ୍ରଦାନ କରିନାହାନ୍ତି । କେବଳ କଟକ ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବିଜ୍ଞାପନ ବାବଦରେ କୌଣସି ବକେୟା ନଥିବା ଜଣାଯାଇଛି । ସମ୍ବଲପୁର ମହାନଗର ନିଗମର ଏ ବାବଦରେ ଗୋଟିଏ ସଂସ୍ଥା ଉପରେ ୬୨ଲକ୍ଷ ଟଙ୍କାରୁ ଅଧିକ ବକେୟା ଗଡୁଛି । (ତଥ୍ୟ)

