Home News in Odia ରାଜଧାନୀରୁ ବାହାରୁଛି ଏକ ତୃତୀୟାଂଶ ବର୍ଜ୍ୟ

ରାଜଧାନୀରୁ ବାହାରୁଛି ଏକ ତୃତୀୟାଂଶ ବର୍ଜ୍ୟ

ଭୁବନେଶ୍ୱର : ରାଜ୍ୟର ସମସ୍ତ ପୌରାଞ୍ଚଳରୁ ଯେତିକି କଠନି ବର୍ଜ୍ୟ ବାହାରୁଛି ତାହାର ଏକ ତୃତୀୟାଂଶ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ବାହାରୁଛି । ଏହା ପଛକୁ କଟକ ମହାନଗର ନିଗମ ରହିଥିବାବେଳେ ତୃତୀୟ ସ୍ଥାନରେ ସମ୍ବଲପୁର ରହିଥିବା ଜଣାଯାଇଛି ।

ସରକାରୀ ସ୍ତରରେ ହୋଇଥିବା ଆକଳନ ଅନୁଯାୟୀ ରାଜ୍ୟର ୧୧୫ଟି ଦୈନିକ ୨୫୩୭ ଟନ୍‍ କଠିନ ବର୍ଜ୍ୟ ବାହାରୁଥିବାବେଳେ କେବଳ ଭୁବନେଶ୍ୱର ସହରରୁ ବାହାରୁଛି ୮୨୦ ଟନ୍‍ । ଏହି କଠିନ ବର୍ଜ୍ୟ ମଧ୍ୟରେ ପ୍ଲାଷ୍ଟିକ ଓ ପଲିଥିନ୍‍ ଜରିମୁଣା ବିପୁଳ ପରିମାଣରେ ରହୁଛି । ସେହିଭଳି କଟକ ମହାନଗର ନିଗମରୁ ଦୈନିକ ୩୦୦ ମେଟ୍ରିକ ଟନ୍‍ ବର୍ଜ୍ୟ ବାହାରୁଥିବାବେଳେ ସମ୍ବଲପୁରରୁ ୧୯୬ ଟନ୍‍, ଗଞ୍ଜାମରୁ ୧୨୬ ଟନ୍‍, ରାଉରକେଲାରୁ ୧୨୦ ଟନ୍‍ ବର୍ଜ୍ୟ ବାହାରୁଛି ।

ରାଜଧାନୀରୁ ବାହାରୁଥିବା ଏହି ବର୍ଜ୍ୟ ଏବେ କର୍ତ୍ତୃପକ୍ଷଙ୍କପାଇଁ ଚିନ୍ତାର କାରଣ ହୋଇଛି । ବିଏମ୍‍ସି ଏବେ ଘରକୁ ଘର ବୁଲି ବର୍ଜ୍ୟ ସଂଗ୍ରହ କରୁଥିବାବେଳେ ରାସ୍ତାଘାଟରୁ ମଧ୍ୟ ବର୍ଜ୍ୟ ଉଠାଉଛି । ଘରକୁ ଘର ବୁଲି ସଂଗୃହୀତ ବର୍ଜ୍ୟ ମଧ୍ୟରେ ପ୍ଲାଷ୍ଟିକର ପରିମାଣର ଦିନକୁ ଦିନ ବୃଦ୍ଧି ପାଉଥିବା ସଂଗ୍ରହକାରୀମାନେ ମତ ଦେଉଛନ୍ତି । ଏହାକୁ ଏବେ ବିଘଟନ କରିବା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ରାଜ୍ୟରେ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗିଥିବାବେଳେ ଏହାକୁ ପ୍ରାୟତଃ କେହି ମାନୁ ନାହାନ୍ତି । ରାଜ୍ୟ ବାହାରୁ ଦୈନିକ ଟନ୍‍ ଟନ୍‍ ଜରିମୁଣା ଓଡିଶାକୁ ଆସୁଥିବାବେଳେ ଏହାର ସିଂହଭାଗ ଭୁବନେଶ୍ୱର, କଟକ ଭଳି ସହରରେ ବ୍ୟବହାର ହେଉଛି । ମଝିରେ ମଝିରେ କର୍ତ୍ତୃପକ୍ଷ ଧର୍ମକୁ ଆଖିଠାର ମାରିବା ଭଳି ଚଢଉ କରି କିଛି ଜରିମୁଣା ଜବତ କରୁଥିଲେ ମଧ୍ୟ ତାହା ଏକକ ପ୍ଲାଷ୍ଟିକ ବ୍ୟବହାରକୁ ରୋକିପାରୁ ନାହିଁ । କେବଳ ଜରି ମୁଣା ନୁହେଁ, ଗୁଟ୍‍ଖା ଜରି, ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଜରି ପରିମାଣ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।

ସେହିଭଳି ରାଜଧାନୀରୁ ସଂଗ୍ରହ ହେଉଥିବା ବିପୁଳ ପରିମାଣର ବର୍ଜ୍ୟକୁ କେଉଁଠାରେ ପକାଯିବ ତାହା ମଧ୍ୟ ଜଟିଳ ସ୍ଥିତି ସୃଷ୍ଟି କରୁଛି । ସୈନିକସ୍କୁଲ ନିକଟରେ ଥିବା ଅଳିଆଗଦାକୁ ନେଇ ନାନା ବିବାଦ ଦେଖାଦେବା ପରେ କର୍ତ୍ତୃପକ୍ଷ ଏବେ ଏହାର ସ୍ଥାନ ପରିବର୍ତ୍ତନ କରିଛନ୍ତି । ତେବେ ଜନବସତି ଆଖପାଖରେ ଅଳିଆ ପକାଇବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ରାଜ୍ୟ ସରକାର ଯେତିକି କଠିନ ବର୍ଜ୍ୟର ହିସାବ ରଖୁଛନ୍ତି ବାସ୍ତବରେ ତାହାଠାରୁ ଢେର ଅଧିକ ପରିମାଣର ବର୍ଜ୍ୟ ବାହାରୁଥିବା ପରିବେଶବିତ୍‍ମାନେ ଆକଳନ କରୁଛନ୍ତି ।

କେବଳ କଠିନ ବର୍ଜ୍ୟ ନୁହେଁ, ରାଜ୍ୟର ସମସ୍ତ ସହରାଞ୍ଚଳରୁ ଦୈନିକ ପ୍ରାୟ ୮୦୦ ନିୟୁତ ଲିଟର ବର୍ଜ୍ୟଜଳ ବାହାରୁଥିବା କର୍ତ୍ତୃପକ୍ଷ ଆକଳନ କରୁଛନ୍ତି । ଏଥିରେ ମଧ୍ୟ ରାଜଧାନୀର ବଡ ଯୋଗଦାନ ରହିଛି । ସମସ୍ତ ବର୍ଜ୍ୟ ଜଳକୁ ବିଶୋଧନ କରିବା ସମ୍ଭବପର ହେଉନଥିବାରୁ ସହର ନିକଟରେ ଥିବା ଜଳ ଉତ୍ସଗୁଡିକରେ ଏହି ବର୍ଜ୍ୟଜଳ ମିଶୁଛି । ରାଜଧାନୀରୁ ବାହାରୁଥିବା ବର୍ଜ୍ୟଜଳ ଗଙ୍ଗୁଆ, ଦୟା ବାଟ ଦେଇ ଚିଲିକା ହ୍ରଦକୁ ବିଷାକ୍ତ କରୁଥିବା ନେଇ ଅଭିଯୋଗ ଆସିବାରେ ଲାଗିଛି । ତେଣୁ ସହରାଞ୍ଚଳରୁ ବାହାରୁଥିବା ଉଭୟ କଠିନ ଓ ତରଳ ବର୍ଜ୍ୟକୁ ହ୍ରାସ କରାଯିବା ସହିତ ସେଗୁଡିକର ଠିକଣା ବିଘଟନ ନକଲେ ଆଗାମୀ ଦିନରେ ଏହା ଗୁରୁତର ପରିବେଶଗତ ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । (ତଥ୍ୟ)