କଟକ : ଗ୍ରୀଷ୍ମାବକାଶ ପାଇଁ ଓଡିଶା ହାଇକୋର୍ଟର ଅଦାଲତି କାର୍ଯ୍ୟ ପ୍ରାୟ ମାସେ ବନ୍ଦ ରହିବ । ତେବେ ଏହି ଛୁଟି ଭିତରେ କେତେକ ବିଚାରପତିଙ୍କ କୋର୍ଟ ଖୋଲା ରଖାଯାଇ ଜରୁରୀ ମାମଲାର ଶୁଣାଣି ହେବ ।
ଚଳିତ ସପ୍ତାହର ଶୁକ୍ରବାର ପରଠାରୁ ହାଇକୋର୍ଟର ନିୟମିତ ବେଞ୍ଚଗୁଡିକ ପ୍ରାୟ ମାସେ ଧରି ବନ୍ଦ ରହିବ । ଶେଷ କାର୍ଯ୍ୟକାରୀ ଦିବସ ମଇ ୨୨ତାରିଖ ଥିବାବେଳେ ହାଇକୋର୍ଟ କ୍ୟାଲେଣ୍ଡର ମୁତାବକ ଜୁନ୍ ୨୨ତାରିଖରେ ଗ୍ରୀଷ୍ମାବକାଶ ପରେ ପୁଣି ନିୟମିତ କୋର୍ଟ କାର୍ଯ୍ୟ ଚାଲିବ ।
ତେବେ ଗ୍ରୀଷ୍ମାବକାଶ ସମୟରେ କେଉଁ କେଉଁ ଦିନ କେଉଁ କେଉଁ ବିଚାରପତି କେଉଁ ସମୟରେ ଶୁଣାଣି କରିବେ ସେ ସଂକ୍ରାନ୍ତରେ ହାଇକୋର୍ଟ ରେଜେଷ୍ଟ୍ରି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ହାଇକୋର୍ଟର ନିୟମିତ ବେଞ୍ଚଗୁଡିକ ଗ୍ରୀଷ୍ମାବକାଶ ପାଇଁ ବନ୍ଦ ରହୁଥିଲେ ମଧ୍ୟ ହାଇକୋର୍ଟର ରେଜେଷ୍ଟ୍ରି ତଥା ଦପ୍ତରଗୁଡିକ କିନ୍ତୁ ସବୁ କାର୍ଯ୍ୟ ଦିବସରେ ଖୋଲା ରହିବ ।
ଏହି ସମୟରେ ସମ୍ପୃକ୍ତ ପକ୍ଷଙ୍କ ପକ୍ଷରୁ ନୂଆ ମାମଲା ରୁଜୁ ସହିତ ପୁରୁଣା ମାମଲାଗୁଡିକରେ ଆବଶ୍ୟକ କାଗଜପତ୍ର ଓ ସତ୍ୟପାଠ ଆଦି ରେଜେଷ୍ଟ୍ରିରେ ଦାଖଲ କରାଯାଇପାରିବ । ତୈଳ ସଙ୍କଟ ଜନିତ ସମସ୍ୟା ଲାଗି ରହିଥିବାବେଳେ ଗ୍ରୀଷ୍ମାବକାଶ ଯୋଗୁଁ ନିୟମିତ ଅଦାଲତ କାମ ବନ୍ଦ ରହୁଥିବାରୁ ଏହା ଓକିଲମାନଙ୍କୁ ବହୁ ପରିମାଣରେ ଆଶ୍ୱସ୍ତି ଦେବ । ତେବେ ଓଡିଶା ହାଇକୋର୍ଟରେ ଭର୍ଚୁଆଲ କୋର୍ଟ ଚାଲୁଥିବାରୁ କୋର୍ଟ ଦିବସଗୁଡିକରେ ବିଶେଷକିଛି ଅସୁବିଧା ହେଉନାହିଁ ।
ବରିଷ୍ଠ ଆଇନ୍ଜୀବୀମାନେ କହୁଛନ୍ତି ଯେ ଏହି ମାସେ ବ୍ୟାପି ଛୁଟି ସମୟରେ ଅନେକ ବିଚାରପତି ସେମାନେ ସଂରକ୍ଷିତ ରଖିଥିବା ରାୟ ସାଧାରତଃ ଚୂଡାନ୍ତ କରିଥାନ୍ତି । ଗ୍ରୀଷ୍ମାବକାଶ ଛୁଟି ଟି ଲମ୍ବା ଜଣାପଡୁଥିଲେ ମଧ୍ୟ ବସ୍ତୁତଃ ଏହି ସମୟରେ ଅନେକ ବିଚାରପତି ରାୟ ପ୍ରସ୍ତୁତି କାମରେ ବ୍ୟସ୍ତ ରୁହନ୍ତି ।
ହାଇକୋର୍ଟ ସହିତ ସୁପ୍ରିମକୋର୍ଟରେ ମଧ୍ୟ ଲମ୍ବା ଗ୍ରୀଷ୍ମାବକାଶ ହୋଇଥାଏ । ଏହାଛଡା ନିମ୍ନ ଅଦାଲତଗୁଡିକରେ ବି କିଛିଦିନ ପାଇଁ ଗ୍ରୀଷ୍ମାବକାଶ ଚାଲେ । ପ୍ରାକ୍ ସ୍ୱାଧୀନତା କାଳରେ ଗ୍ରୀଷ୍ମାବକାଶ ଅଧିକ ଲମ୍ବା ରହୁଥିଲା । ସେତେବେଳେ କୋର୍ଟଗୁଡିକରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ନଥିଲା । ଇଂଲଣ୍ଡରୁ ଆସି ଯେଉଁମାନେ ଭାରତରେ ବିଚାରପତି କାର୍ଯ୍ୟ ତୁଲାଉଥିଲେ ସେମାନେ ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳିରେ କୋର୍ଟ ଗାଉନ୍ ଆଦି ପିନ୍ଧି କାମ କରିବା ସମ୍ଭବପର ହେଉନଥିଲା । ତେଣୁ ଲମ୍ବା ଗ୍ରୀଷ୍ମାବକାଶରୁ ଫାଇଦା ଉଠାଇ ଅନେକ ବିଦେଶୀ ବିଚାରପତି ନିଜ ଦେଶକୁ ଫେରିଯାଉଥିଲେ ।
ସ୍ୱୀଧିନତ୍ତୋର ଭାରତବର୍ଷରେ ସୁପ୍ରିମକୋର୍ଟ ପ୍ରତିଷ୍ଠା କରାିଯବା ସହ ହାଇକୋର୍ଟମାନଙ୍କର ସଂଖ୍ୟା ବଢିଛି । ବର୍ଷକୁ ବର୍ଷ ମାମଲାର ଚାପ ମଧ୍ୟ ବଢି ଚାଲିଥିବାବେଳେ ବିଚାରପତିମାନଙ୍କ ଅନୁମୋଦିତ ପଦବୀରୁ ଅନେକ ବର୍ଷ ବର୍ଷ ଧରି ଖାଲି ପଡୁଛି । ମାମଲା ସଂଖ୍ୟା ବୃଦ୍ଧିର ଏହା ଅନ୍ୟତମ କାରଣ ହୋଇଥିଲେ ମଧ୍ୟ ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ୱେ ଓଡିଶା ହାଇକୋର୍ଟରେ କିନ୍ତୁ ମାମଲା ଫଏସଲା ହାର ଅନ୍ୟ ବହୁ ରାଜ୍ୟ ତୁଳନାରେ ସନ୍ତୋଷଜନକ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ଓଡିଶା ହାଇକୋର୍ଟ ପାଇଁ ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ଏଥିରୁ ଏବେ ପାଖପାଖି ଅଧା ପଦବୀ ଖାଲି ପଡିଛି । (ତଥ୍ୟ)

