ଭୁବନେଶ୍ୱର : ଓଡିଶାରେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ର ଆଞ୍ଚଳିକ ଦପ୍ତର ଖୋଲିବ । ଏଥିପାଇଁ ସେବିର ଅଧ୍ୟକ୍ଷ ତୁହିନ କାନ୍ତ ପାଣ୍ଡେ ବିଶେଷ ଆଗ୍ରହୀ ଥିବା ଜଣାଯାଇଛି ।
ଶ୍ରୀ ପାଣ୍ଡେ ଓଡିଶା କ୍ୟାଡରର ଆଇଏଏସ୍ ଅଫିସର ଏବଂ କେନ୍ଦ୍ରକୁ ଯିବା ପୂର୍ବରୁ ସେ ଏଠାରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ଦାୟିତ୍ୱ ତୁଲାଉଥିଲେ । ସେବିର ଅଧ୍ୟକ୍ଷ ହେବାପରେ ଏହି କେନ୍ଦ୍ରୀୟ ସଂସ୍ଥାର ସମ୍ପ୍ରସାରଣ ପାଇଁ ଶ୍ରୀ ପାଣ୍ଡେ ବିଶେଷ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।
ସେବି ଜନସାଧାରଣଙ୍କ ମଧ୍ୟରେ ପୁଞ୍ଜି ନିବେଶ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବାପାଇଁ ପଦକ୍ଷେପ ଗ୍ରହଣ କରୁଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେଉଁଠାରେ ଓ କିଭଳି ପୁଞ୍ଜି ବିନିଯୋଗ କରିବେ ସେ ସଂକ୍ରାନ୍ତରେ ଜାଣିପାରୁ ନାହାନ୍ତି । ଯାହା ଫଳରେ କି ନିରୀହ ପୁଞ୍ଜି ନିବେଶକାରୀ ଠକାମୀର ଶିକାର ହେଉଛନ୍ତି ।
ଓଡିଶାରେ ଚିଟ୍ଫଣ୍ଡ୍ ଠକେଇର ଶରବ୍ୟ ହୋଇ ଯେଭଳି ଲକ୍ଷ ଲକ୍ଷ ପୁଞ୍ଜି ବିନିଯୋଗକାରୀମାନେ ସେମାନଙ୍କର କଷ୍ଟାର୍ଜିତ ଆୟକୁ ହରାଇଲେ ସେହି ପରିପ୍ରେକ୍ଷୀରେ ସେବି ଦ୍ୱାରା ପୂର୍ବାଞ୍ଚଳ ଦପ୍ତର ଏଠାରେ ଖୋଲିବାପାଇଁ ହେଉଥିବା ଉଦ୍ୟମ ସାଧାରଣ ପୁଞ୍ଜି ନିବେଶକାରୀମାନଙ୍କୁ ବେଶ୍ ସହାୟକ ହେବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି ।
ବଜାର ଅର୍ଥନୀତିକୁ ସେବି ଯେଭଳି ଦିଗ୍ଦର୍ଶନ ଦେଉଛନ୍ତି ସେହିପରି ସାଧାରଣ ଜନତାଙ୍କୁ ପୁଞ୍ଜି ନିବେଶ କ୍ଷେତ୍ରରେ ଅନୁରୂପ ଦିଗ୍ଦର୍ଶନ ଦେଇପାରିବେ ବୋଲି ଅର୍ଥନୀତିଜ୍ଞମାନେ ଆଶାପ୍ରକାଶ କରୁଛନ୍ତି । ସେବି ପକ୍ଷରୁ ଏଠାରେ ଆଞ୍ଚଳିକ ଦପ୍ତର ଖୋଲିବାପାଇଁ ରାଜ୍ୟ ସରକାରଙ୍କୁ ଇତି ମଧ୍ୟରେ ଅନୁରୋଧ କରାଯାଇଥିବା ଜଣାଯାଇଛି । ସେଥିପାଇଁ ସ୍ଥାନ ଯୋଗାଇଦେବା ସକାଶେ ସେବି ପକ୍ଷରୁ କୁହାଯାଇଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଯେଭଳି ପ୍ରତ୍ୟେକ ରାଜ୍ୟର ରାଜଧାନୀରେ ନିଜର ଶାଖା ପ୍ରତିଷ୍ଠା କରିଛି ଅନୁରୂପ ଭାବେ ସେବି ମଧ୍ୟ ରାଜ୍ୟ ରାଜଧାନୀରେ ତାହାର ଆଞ୍ଚଳିକ ଶାଖା ଖୋଲିବାପାଇଁ ଉଦ୍ୟମ କରିଛନ୍ତି । ସରକାରୀ ଜମି ପାଇ ନୂତନ ନିର୍ମାଣ ଭବନ ନିର୍ମାଣ କରିବା ପର୍ଯ୍ୟନ୍ତ ଏଠାରେ ଅସ୍ଥାୟୀ ଭବନରେ ସେବି ତାହାର ଦପ୍ତର ଖୋଲି ପୁଞ୍ଜି ନିବେଶକାରୀ ସଚେତନତା ଅଭିଯାନ ଚଳାଇବାପାଇଁ ପଦକ୍ଷେପ ନିଆଯିବାର ସମ୍ଭାବନା ରହିଛି ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି ।
ଉଲ୍ଲେଖନୀୟ ଯେ ଓଡିଶାରେ ସେବିର ଦପ୍ତର ନଥିବାରୁ ପୁଞ୍ଜି ନିବେଶ କ୍ଷେତ୍ରରେ ପରାମର୍ଶ ଠାରୁ ଆରମ୍ଭ କରି ନିବେଶ ପର୍ଯ୍ୟନ୍ତ ସବୁକିଛି ପାଇଁ ଲୋକଙ୍କୁ ବିଭିନ୍ନ ସଂସ୍ଥା ଓ ଏଜେଣ୍ଟମାନଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ଏଥିପାଇଁ ନିବେଶକାରୀମାନଙ୍କୁ ସେମାନଙ୍କର ପୁଞ୍ଜିର କିଛି ଅଂଶ ମଧ୍ୟ ଖର୍ଚ୍ଚ କରିବାକୁ ହେଉଛି । ଏଠାରେ ସେବି ତାହାର ଆଞ୍ଚଳିକ ଦପ୍ତର ଖୋଲିଲେ ବହୁ ନିବେଶକାରୀ ସିଧାସଳଖ ଭାବେ ପରାମର୍ଶ ପାଇପାରିବେ ବୋଲି ଅର୍ଥନୀତି ବିଶାରଦମାନେ ମତ ଦେଉଛନ୍ତି । (ତଥ୍ୟ)

