ଭୁବନେଶ୍ୱର : ବରିଷ୍ଠ ନାଗରିକଙ୍କ ପ୍ରତି ଘଟୁଥିବା ବିଭିନ୍ନ କିସମ ଅପରାଧ ସଂକ୍ରାନ୍ତୀୟ ମାମଲା ଫଏସଲାରେ ଅହେତୁକ ବିଳମ୍ବ ଘଟୁଥିବାବେଳେ ଯେତିକି ବି ମାମଲା ଫଏସଲା ହେଉଛି ସେଥିରେ ଜଣେ ହେଲେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ କରାଯାଇ ପାରୁନାହିଁ । ଏଥିଘେନି ବିଭିନ୍ନ ମହଲରୁ ଉଦବେଗପ୍ରକାଶ ପାଉଛି ।
କେନ୍ଦ୍ର ସରକାରଙ୍କ ଜାତୀୟ ଅପରାଧ ନଥି ସଂସ୍ଥା ପକ୍ଷରୁ ସଦ୍ୟ ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ ରିପୋର୍ଟରେ ଦିଆଯାଇଥିବା ତଥ୍ୟରୁ ଜଣାପଡିଛି ଯେ ୨୦୨୪ ବର୍ଷରେ ଏ ସଂକ୍ରାନ୍ତୀୟ ୨୫୬୧ଟି ମାମଲା ବିଚାର ପାଇଁ ଓଡିଶାର ବିଭିନ୍ନ ଅଦାଲତରେ ଥିବାବେଳେ ସେଥିରୁ ୬୦ଟି ଫଏସଲା ହୋଇଥିଲା ଏବଂ ୬୦ଟି ଯାକ ମାମଲାରେ ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇଥିବାବେଳେ ଗୋଟିଏ ବି ମାମଲାରେ ଦଣ୍ଡବିଧାନ ହୋଇପାରିନାହିଁ । ଚଳିତବର୍ଷ ମଇ ମାସରେ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଦିଆଯାଇଥିବା ତଥ୍ୟ ମୁତାବକ ବରିଷ୍ଠ ନାଗରିକଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାରେ ଓଡିଶାରେ ଫଏସଲା ହାର ମାତ୍ର ୨.୩ ପ୍ରତିଶତ ରହିଛି ।
ଅନ୍ୟ ପକ୍ଷରେ ସମଗ୍ର ଦେଶରେ ଏ ସଂକ୍ରାନ୍ତୀୟ ମାମଲାରେ ଦଣ୍ଡବିଧାନ ହାର ୩୮.୫ ପ୍ରତିଶତ ରହିଛି । ଉକ୍ତ ବର୍ଷରେ ଏ ସଂକ୍ରାନ୍ତୀୟ ୮୮୧୬ଟି ମାମଲା ଫଏସଲା ହୋଇଥିବାବେଳେ ସେଥିରୁ ୨୫୯୭ଟିରେ ଦଣ୍ଡବିଧାନ ହୋଇଛି ଓ ୩୯୧୧ଟି ମାମଲାରେ ଅଭିଯୁକ୍ତମାନେ ଖଲାସ ହୋଇଛନ୍ତି । ଅଭିଯୋଗକାରୀ ବରିଷ୍ଠ ନାଗରିକଙ୍କ ମୃତ୍ୟୁ, ସାକ୍ଷ୍ୟପ୍ରମାଣରେ ସମସ୍ୟା, ଅଭିଯୁକ୍ତଙ୍କ ମୃତ୍ୟୁ ଆଦି ବିଭିନ୍ନ କାରଣରୁ ଅବଶିଷ୍ଟ ମାମଲା ବିନା ବିଚାରରେ ଫଏସଲା ହୋଇଛି କିମ୍ବା ପ୍ରତ୍ୟାହାର କରିନିଆଯାଇଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବରିଷ୍ଠ ନାଗରିକମାନଙ୍କ ନିରାପତ୍ତା ଘେନି ବିଭିନ୍ନ ଯୋଜନା ରୂପାୟନ କରୁଥିବାବେଳେ ଏହା ଏକ ପ୍ରମୁଖ ସମସ୍ୟା ହୋଇଛି । ବିଗତ ବର୍ଷମାନଙ୍କରେ ପ୍ରକାଶ ପାଇଥିବା କେନ୍ଦ୍ର ସରକାରଙ୍କ ଏନସିଆରବି ରିପୋର୍ଟ ମୁତାବକ ୨୦୧୬ ବର୍ଷରେ ଏ ସଂକ୍ରାନ୍ତୀୟ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ମାତ୍ର ୩.୮ ପ୍ରତିଶତ ଥିବାବେଳେ ୨୦୨୧ ବର୍ଷରେ ବି ଗୋଟିଏ ହେଲେ ମାମଲା ଫଏସଲା ହୋଇନଥିବାରୁ ଆଦୌ କାହାରିକୁ ଦଣ୍ଡବିଧାନ କରାଯାଇନଥିଲା । ୨୦୨୨ ବର୍ଷରେ ବି ଓଡିଶାରେ ସମାନ ସ୍ଥିତି ଥିଲା ।
୨୦୨୩ ମସିହାରେ ମଧ୍ୟ ବରିଷ୍ଠ ନାଗରିକଙ୍କ ପ୍ରତି ଅପରାଧିକ ମାମଲାରୁ ଗୋଟିଏ ହେଲେ ଫଏସଲା ହୋଇନଥିଲା କିମ୍ବା କୌଣସି ମାମଲାରେ ବି ଦଣ୍ଡବିଧାନ କରାଯାଇପାରିନଥିଲା । କେତେକ ବରିଷ୍ଠ ନାଗରିକ କହୁଛନ୍ତି ଯେ ବହୁ କ୍ଷେତ୍ରରେ ସେମାନଙ୍କ ଉପରେ ଅପରାଧିକ ତତ୍ୱମାନେ ଆକ୍ରମଣ କରୁଛନ୍ତି ଏବଂ ଘରେ ପଶି ଲୁଟତରାଜ ବି ଘଟାଉଛନ୍ତି । ଏମିତିକି ସ୍ଥଳ ବିଶେଷରେ ମଧ୍ୟ ବରିଷ୍ଠ ନାଗରିକଙ୍କୁ ହତ୍ୟା କରାଯାଉଥିବା ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଛି । କମିଶନରେଟ ପୁଲିସ୍ ସମେତ ବିଭିନ୍ନ ନିରାପତ୍ତା ସଂସ୍ଥା ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ସ୍ୱତନ୍ତ୍ର ସେଲ୍ମାନ ଅବଶ୍ୟ ଗଠନ କରିଛନ୍ତି । ଏମିତିକି ବରିଷ୍ଠ ନାଗରିକଙ୍କ ମୋଟରଯାନରେ ସ୍ୱତନ୍ତ୍ର ପୁଲିସ୍ ଷ୍ଟିକର ବି ଲଗାଯାଉଛି ।
ରାଜ୍ୟରେ ଯେତିକି ସଂଖ୍ୟକ ଏ ସଂକ୍ରାନ୍ତୀୟ ମାମଲା ବିଚାରାଧିନ ରହିଛି ତାହାର ସଂଖ୍ୟା ପ୍ରାୟ ୩ହଜାର ହେବବୋଲି କୁହାଯାଉଛି । ସ୍ୱତନ୍ତ୍ର କୋର୍ଟ ମାଧ୍ୟମରେ ଏହି ମାମଲାଗୁଡିକର ତୁରନ୍ତ ଫଏସଲା କରାଯାଇ ପାରିଲେ ଅନେକ ବରିଷ୍ଠ ନାଗରିକ ସେମାନଙ୍କ ଜୀବନକାଳ ଭିତରେ ନ୍ୟାୟ ପାଇପାରନ୍ତେ । (ତଥ୍ୟ)

