Home Mining ଓଡିଶା ବାହାରକୁ ଯାଉଛି ଅଧିକ କୋଇଲା

ଓଡିଶା ବାହାରକୁ ଯାଉଛି ଅଧିକ କୋଇଲା

ଭୁବନେଶ୍ୱର : ଓଡିଶାର କୋଇଲା ଖଣିଗୁଡିକରୁ ଯେତିକି କୋଇଲା ଖୋଳାଯାଉଛି ତାହାର ସିଂହଭାଗ ରାଜ୍ୟ ବାହାରକୁ ଯାଉଛି । ରାଜ୍ୟ ଭିତ୍ତରେ ବ୍ୟବହାର ହେଉଥିବା କୋଇଲା ତୁଳନାରେ ରାଜ୍ୟ ବାହାରକୁ ଯାଉଥିବା କୋଇଲାର ପରିମାଣ ଅଧିକ ରହୁଛି ।

ରାଜ୍ୟର ପ୍ରମୁଖ କୋଇଲା ଖଣିର ଉତ୍ତୋଳନ ଓ ବ୍ୟବହାରକୁ ଅନୁଧ୍ୟାନ କଲେ ଏହା ଦେଖିବାକୁ ମିଳୁଛି । ୪୩୧ ହେକ୍ଟର ଅଞ୍ଚଳରେ ଥିବା ବସୁନ୍ଧରା କୋଇଲା ଖଣିରୁ କୋଇଲା ଉତ୍ତୋଳନ କରୁଛି ଏମସିଏଲ୍‍ । ଗତ ଆର୍ଥିକ ବର୍ଷରେ ଫେବୃଆରୀ ସୁଦ୍ଧା ଏମସିଏଲ ଉତ୍ତୋଳନ କରିଥିବା କୋଇଲାରରୁ ୩୮,୫୦୮ ନିୟୁତ ଟନ୍‍ ରାଜ୍ୟ ଭିତ୍ତରେ ବ୍ୟବହାର ହୋଇଥିବାବେଳେ ରାଜ୍ୟ ବାହାରକୁ ୫୦ହଜାର ନିୟୁତ ଟନ୍‍ରୁ ଅଧିକ କୋଇଲା ଯାଇଛି । ୨୦୨୨-୨୩ ଓ ୨୦୨୩-୨୪ ବର୍ଷରେ ମଧ୍ୟ ଅନୁରୂପ କୋଇଲା ବ୍ୟବହାର ଦେଖିବାକୁ ମିଳିଥିଲା ।

ଅନ୍ୟକୋଇଲା ଖଣିଗୁଡିକ ମଧ୍ୟରେ କୁଲଦା, ଗର୍ଜନବାହାଲ, ସିଆମାଳ ଆଦି ଖଣିରୁ ଏମସିଏଲ୍‍ କୋଇଲା ଉତ୍ତୋଳନ କରୁଥିବାବେଳେ ଡୁଲୁଙ୍ଗାରୁ ଏନଟିପିସି, ମନୋହରପୁରର ଓସିପିଏଲ୍‍ ଓ ଜାମଖାନିରୁ ବେଦାନ୍ତ କୋଇଲା ଉତ୍ତୋଳନ କରୁଛି । ଏମସିଏଲ୍‍ ଉତ୍ତୋଳନ କରୁଥିବା କୋଇଲା ମଧ୍ୟରୁ ରାଜ୍ୟ ଭିତରେ ଯେତିକି ବ୍ୟବହାର ହେଉଛି ତାହାଠାରୁ ଅଧିକ ରାଜ୍ୟ ବାହାରକୁ ଯାଉଛି ।

ତେବେ ଏନଟିପିସି ଓ ବେଦାନ୍ତ ଯେତିକି ପରିମାଣର କୋଇଲା ଉତ୍ତୋଳନ କରୁଛନ୍ତି ତାହାକୁ ସମ୍ପୂର୍ଣ୍ଣ ଭାବେ ରାଜ ଭିତରେ ବ୍ୟବହାର କରୁଛନ୍ତି । ୨୦୨୫-୨୬ରେ ଏନଟିପିସି ଡୁଲାଙ୍ଗ କୋଇଲା ଖଣିରୁ ୬ଲକ୍ଷ ନିୟୁତ ଟନ୍‍ରୁ ଅଧିକ କୋଇଲା ଉତ୍ପାଦନ କରିଥିାବବେଳେ ବେଦାନ୍ତ ଜାମଖାନିରୁ ପାଖପାଖି ୨ଲକ୍ଷ ନିୟୁତ ଟନ୍‍ କୋଇଲା ଉତ୍ତୋଳନ କରିଛି । ତେବେ ଓଡିଶା ସରକାରଙ୍କ ନିୟନ୍ତ୍ରଣାଧିନ ଓସିପିଏଲ୍‍ ମନୋହରପୁର କୋଇଲା ଖଣିରୁ ଯେତିକି କୋଇଲା ଉତ୍ତୋଳନ କରିଛି ସେଥିରୁ ୧୯ଲକ୍ଷ ଟନ୍‍ କୋଇଲା ରାଜ୍ୟ ବାହାରକୁ ପଠାଇଛି ।

ଏମାନଙ୍କ ବ୍ୟତିତ ନାଲ୍‍କୋ, ଜେଏସପିଏଲ୍‍, ଏନଏଲସି ଆଦିକୁ ବି ରାଜ୍ୟରେ ବିଭିନ୍ନ କୋଇଲା ଖଣି ଆବଣ୍ଟନ କରାଯାଇଛି । ରାଜ୍ୟରେ ମୋଟ୍‍ ୩୮ଟି କୋଇଲା ବ୍ଲକ ବଳବତ୍ତର ଥିବାବେଳେ ଏଥିରୁ ୨୮ଟି କାର୍ଯ୍ୟକ୍ଷମ ରହିଛି । ଓଡିଶାରୁ ଉତ୍ପାଦିତ କୋଇଲା ମୁଖ୍ୟତଃ ତାପଜ ବିଦ୍ୟୁତ୍‍ କେନ୍ଦ୍ରରେ ବ୍ୟବହାର ହେଉଥିବାବେଳେ ଉତ୍ତୋଳନ କରୁଥିବା ରାଷ୍ଟ୍ରାୟତ ଓ ଘରୋଇ କମ୍ପାନୀଗୁଡିକ ଏହାକୁ ରାଜ୍ୟ ଭିତ୍ତରେ ଥିବା ନିଜ ନିଜ ତାପଜ କେନ୍ଦ୍ରରେ ବ୍ୟବହାର କରିବା ସହିତ ରାଜ୍ୟ ବାହାରେ ଥିବା ତାପଜ କେନ୍ଦ୍ରରେ ବ୍ୟବହାର ପାଇଁ ମଧ୍ୟ ପଠାଉଛନ୍ତି ।

ରାଜ୍ୟରେ ଯେତେସବୁ କୋଇଲା ଖଣିରୁ ବର୍ତ୍ତମାନ ଉତ୍ତୋଳନ ଜାରି ରହିଛି ସେଥିରୁ ଅଧିକାଂଶ ଅନୁଗୁଳ, ଝାରସୁଗୁଡା, ସୁନ୍ଦରଗଡ ଆଦି ଜିଲ୍ଲାରେ ରହିଛି । ଏଠାରେ ଉତ୍ତୋଳିତ ହେଉଥିବା କୋଇଲାର ସିଂହଭାଗ ଦାୟିତ୍ୱ ଏମସିଏଲ୍‍ ହାତରେ ରହିଥିବାବେଳେ ରାଷ୍ଟ୍ରାୟତ ସଂସ୍ଥା ଏନଟିପିସି ଓ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ଓସିପିଏଲ୍‍ ମଧ୍ୟ କୋଇଲା ଉତ୍ତୋଳନ କରୁଛନ୍ତି । (ତଥ୍ୟ)