Home Judiciary ଏସ୍‍ସି/ଏସ୍‍ଟି ଅତ୍ୟାଚାରରେ ଦଣ୍ଡବିଧାନ ନଗଣ୍ୟ

ଏସ୍‍ସି/ଏସ୍‍ଟି ଅତ୍ୟାଚାରରେ ଦଣ୍ଡବିଧାନ ନଗଣ୍ୟ

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି (ଏସ୍‍ସି ଓ ଏସ୍‍ଟି)ଙ୍କ ପ୍ରତି ଘଟୁଥିବା ଅତ୍ୟାଚାର ଜନିତ ଅପରାଧ କ୍ଷେତ୍ରରେ ଓଡ଼ିଶାରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ । କେବଳ ସେତିକି ନୁହେଁ, ଏହି କିସମର ମାମଲା ବର୍ଷରେ ୧ ପ୍ରତିଶତ ମଧ୍ୟ ଫଇସଲା ହୋଇପାରୁ ନାହିଁ ।

ସଦ୍ୟ ପ୍ରକାଶିତ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟର କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟରେ ପ୍ରକାଶିତ ତଥ୍ୟ ମୁତାବକ ଏସ୍‍ସିମାନଙ୍କ ପ୍ରତି ଘଟୁଥିବା ଅତ୍ୟାଚାର ଓ ଅନ୍ୟ ଅପରାଧ ସଂକ୍ରାନ୍ତୀୟ ୨୩୯୭୮ଟି ମାମଲା ୨୦୨୪ରେ ବିଚାର ପାଇଁ ଥିଲା । ଏଥିରୁ ମାତ୍ର ୧୧ଟିରେ ଦଣ୍ଡବିଧାନ ହୋଇଥିôବାବେଳେ ୯୧ଟିରେ ଅଭିଯୁକ୍ତମାନେ ଖଲାସ ହୋଇଯାଇଥିଲେ । ୨୦୨୫ ଆରମ୍ଭ ବେଳକୁ ଏହି କିସମର ୨୩୮୭୩ଟି ମାମଲା ବିଚାର ପାଇଁ ବଳକା ରହିଥିଲା । ମୋଟାମୋଟି ଭାବେ ଏଭଳି ମାମଲାରେ ଦଣ୍ଡବିଧାନ ହାର ୧୦.୮ ପ୍ରତିଶତ ଥିବାବେଳେ ଫଇସଲା ହାର ମାତ୍ର ଦଶମିକ ୪ ପ୍ରତିଶତ ରହିଥିବା ଜାତୀୟ ଅପରାଧ ନଥି ସଂସ୍ଥାନ ଦ୍ୱାରା ଚଳିତ ମାସରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ସେହିଭଳି ଅନୁସୂଚିତ ଜନଜାତି ବା ଏସ୍‍ଟି ବର୍ଗର ଲୋକଙ୍କ ପ୍ରତି ଅତ୍ୟାଚାର ଓ ଅନ୍ୟାନ୍ୟ ଅପରାଧ ସଂକ୍ରାନ୍ତୀୟ ୭୭୯୭ଟି ମାମଲା ୨୦୨୪ ବର୍ଷରେ ବିଚାର ପାଇଁ ଥିଲା । ଏଥିରୁ ମାତ୍ର ୩୪ଟି ମାମଲା ଉକ୍ତ ବର୍ଷ ଫଇସଲା ହୋଇଥିବାବେଳେ ସେଥିରୁ ୨ଟିରେ ଦଣ୍ଡବିଧାନ ହୋଇଛି ଓ ୩୨ଟିରେ ଅଭିଯୁକ୍ତମାନେ ଖଲାସ ହୋଇଛନ୍ତି । ୨୦୨୫ ଆରମ୍ଭ ବେଳକୁ ଏହି କିସମର ୭୭୬୩ଟି ବଳକା ମାମଲା ରହିଥିଲା । ଏଭଳି ମାମଲାରେ ଦଣ୍ଡବିଧାନ ହାର ମାତ୍ର ୫.୯ ପ୍ରତିଶତ ଥିବାବେଳେ ଫଇସଲା ହାର ଦଶମିକ ୪ ପ୍ରତିଶତ (.୪%) ରହିଛି ।

ତେବେ ଜାତୀୟ ସ୍ତରରେ ଏଭଳି କିସମର ମାମଲା ଫଇସଲା ହାର ସାମାନ୍ୟ ଅଧିକ ଥିବାବେଳେ ଦଣ୍ଡବିଧାନ ହାର ବି ଓଡ଼ିଶା ତୁଳନାରେ ଢେର ଅଧିକ ରହୁଛି । ଅନୁସୂଚିତ ଜାତି ବର୍ଗର ଲୋକଙ୍କ ପ୍ରତି ଅତ୍ୟାଚାର ଓ ଅନ୍ୟ ଅପରାଧ ମାମଲାରେ ଦଣ୍ଡବିଧାନ ହାର ୨୦୨୪ ବର୍ଷରେ ସାରା ଦେଶରେ ୩୩.୯ ପ୍ରତିଶତ ରେକର୍ଡ କରାଯାଇଥିବାବେଳେ ୪.୮ ପ୍ରତିଶତ ମାମଲା ଫଇସଲା ହୋଇଛି । ସେହିଭଳି ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ପ୍ରତି ଅତ୍ୟାଚାର ମାମଲାରେ ୨୦୨୪ ବର୍ଷରେ ସାରା ଦେଶରେ ଦଣ୍ଡବିଧାନ ହାର ୩୩.୨ ପ୍ରତିଶତ ଥିବାବେଳେ ଏହି କିସମର ମାତ୍ର ୬.୯ ପ୍ରତିଶତ ମାମଲା ଫଇସଲା ହୋଇଥିବା ଭାରତ ସରକାରଙ୍କ ରିପୋର୍ଟରୁ ସ୍ପଷ୍ଟ ଜଣାପଡିଛି ।(ତଥ୍ୟ)