Home Judiciary ମହିଳାଙ୍କ ଅପରାଧରେ ଦଣ୍ଡବିଧାନ ହାର ୬.୩ ପ୍ରତିଶତ

ମହିଳାଙ୍କ ଅପରାଧରେ ଦଣ୍ଡବିଧାନ ହାର ୬.୩ ପ୍ରତିଶତ

ଭୁବନେଶ୍ୱର : ମହିଳାମାନଙ୍କ ପ୍ରତି ବଢ଼ି ଚାଲୁଥିବା ବିଭିନ୍ନ କିସମର ଅପରାଧ ଘେନି ସମାଜର ବିଭିନ୍ନ ବର୍ଗ ଏବଂ ଦଳମତ ନିର୍ବିଶେଷରେ ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ ଏଭଳି ସମ୍ବେଦନଶୀଳ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର ୬.୩ ପ୍ରତିଶତରେ ସୀମିତ ଥିବାବେଳେ ବର୍ଷକୁ ୬ ପ୍ରତିଶତ ମାମଲା ବି ଫଇସଲା ହୋଇପାରୁନି । ଜାତୀୟ ସ୍ତରରେ ଏଭଳି ସମ୍ବେଦନଶୀଳ ମାମଲାରେ ଦଣ୍ଡବିଧାନ ହାର ୨୫.୭ ପ୍ରତିଶତ ଥିବାବେଳେ ମାମଲା ଫଇସଲା ହାର ୮ ପ୍ରତିଶତରୁ କମ୍‍ ରହୁଛି ।

କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଚଳିତ ମାସରେ ପ୍ରକାଶ ପାଇଥିôବା ‘କ୍ରାଇମ୍‍ ଇନ୍‍ ଇଣ୍ଡିଆ-୨୦୨୪’ ରିପୋର୍ଟରେ ଏଭଳି ତଥ୍ୟ ପ୍ରକାଶ ପାଇଛି । ତେବେ ଓଡ଼ିଶା ପାଇଁ ଆଶ୍ୱାସନାର ବିଷୟ ହେଉଛି ଯେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଆନ୍ଧ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆଣ୍ଡାମାନ୍‍ ନିକୋବର, ଜାମ୍ମୁ-କାଶ୍ମୀର ଆଦିରେ ଦଣ୍ଡବିଧାନ ହାର ଓଡ଼ିଶାଠାରୁ ବି କମ୍‍ ରହୁଛି । ମିଜୋରାମ୍‍ରେ ଏଭଳି ସମ୍ବେଦନଶୀଳ ମାମଲାରେ ଦଣ୍ଡବିଧାନ ହାର ୮୭.୮ ପ୍ରତିଶତ ରେକର୍ଡ କରାଯାଇଥିବାବେଳେ ଉତ୍ତରପ୍ରଦେଶରେ ଏହା ୭୬.୬ ପ୍ରତିଶତ, ରାଜସ୍ତାନରେ ୩୭.୨ ପ୍ରତିଶତ, ଉତ୍ତରାଖଣ୍ଡରେ ୩୯.୩ ପ୍ରତିଶତ, ନାଗାଲାଣ୍ଡରେ ୬୧.୯ ପ୍ରତିଶତ, ମେଘାଳୟରେ ୩୩.୬ ପ୍ରତିଶତ, ଝାଡ଼ଖଣ୍ଡରେ ୩୫.୬ ପ୍ରତିଶତ ଓ ବିହାରରେ ୩୬.୪ ପ୍ରତିଶତ ରହିଛି ।

ମହିଳାଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଓଡ଼ିଶାରେ ଫଇସଲା ହାର ମାତ୍ର ୬.୩ ପ୍ରତିଶତ ରହିବା ଚିନ୍ତାଜନକ ବୋଲି ମହିଳାଙ୍କ ନିରାପତ୍ତା ଓ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ମତ ପ୍ରକାଶ କରିଛନ୍ତି । ଗୁଜରାଟ, ଗୋଆ, ଆସାମ, କର୍ଣ୍ଣାଟକ, ମହାରାଷ୍ଟ୍ର ଆଦିରେ ଏହି ହାର ୧୦ ପ୍ରତିଶତରୁ କମ୍‍ ରହୁଛି ।

ସେହିପରି ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲା ଫଇସଲା ହାର ବି ଢେର କମ୍‍ ରହୁଛି । ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ତାନ, ଓଡ଼ିଶା, ନାଗାଲାଣ୍ଡ, ମିଜୋରାମ୍‍, ମଣିପୁର, ମହାରାଷ୍ଟ୍ର, କେରଳ, ଗୁଜରାଟ, ଗୋଆ, ବିହାର, ଅରୁଣାଚଳ ଭଳି ରାଜ୍ୟରେ ଉକ୍ତ ବର୍ଷରେ ମହିଳା ଅପରାଧ ସଂକ୍ରାନ୍ତୀୟ ବିଚାରାଧୀନ ମାମଲାର ୧୦ ପ୍ରତିଶତ ମଧ୍ୟ ଫଇସଲା ହୋଇପାରି ନାହିଁ ।

ସମଗ୍ର ଦେଶରେ ୨୦୨୪ ବର୍ଷରେ ୨,୦୮,୧୭୧ଟି ମହିଳାଙ୍କ ପ୍ରତି ଅପରାଧିକ ମାମଲା ଫଇସଲା ହୋଇଥିବାବେଳେ ବର୍ଷ ଶେଷ ବେଳକୁ ଫଇସଲା ଅପେକ୍ଷାରେ ଥିବା ବିଚାରାଧୀନ ମାମଲା ସଂଖ୍ୟା ୨୪,୩୨,୫୨୭କୁ ବୃଦ୍ଧି ପାଇଛି । ଉକ୍ତ ବର୍ଷରେ ଏଭଳି ସମ୍ବେଦନଶୀଳ ମାମଲାରୁ ୪୫,୮୩୨ଟିରେ ଦଣ୍ଡବିଧାନ କରାଯାଇଥିôବାବେଳେ ୧,୨୩,୩୪୦ଟିରେ ଅଭିଯୁକ୍ତ ଖଲାସ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।
ଓଡ଼ିଶାରେ ୨୦୨୩ ଶେଷ ସୁଦ୍ଧା ୧,୭୭,୭୦୨ଟି ମହିଳାଙ୍କ ପ୍ରତି ଅପରାଧ ମାମଲା ବିଚାର ପ୍ରତୀକ୍ଷାରେ ଥିଲା ଏବଂ ୨୦୨୪ ବର୍ଷରେ ଆଉ ୧୭,୮୪୩ଟି ମାମଲା ବିଚାର ପାଇଁ ଆସିଥିଲା । ମୋଟାମୋଟି ଭାବେ ୨୦୨୪ ବର୍ଷରେ ୧,୯୫,୫୪୫ଟି ମହିଳାଙ୍କ ପ୍ରତି ଅପରାଧ ସଂକ୍ରାନ୍ତୀୟ ମାମଲା ରାଜ୍ୟର ଆଇନ୍‍ ଅଦାଲତଗୁଡ଼ିକରେ ବିଚାର ପାଇଁ ଥିବାବେଳେ ସେଥିରୁ ମାତ୍ର ୬୩୮ଟିରେ ଦଣ୍ଡବିଧାନ ହୋଇଥିଲା ଓ ୯,୪୮୦ଟିରେ ଅଭିଯୁକ୍ତ ଖଲାସ ହୋଇଯାଇଥିଲେ । ମୋଟାମୋଟି ଭାବେ ଉକ୍ତ ବର୍ଷରେ ଓଡ଼ିଶାରେ ଏହି କସମର ମାମଲାଗୁଡ଼ିକ ଭିତରୁ ୧୦,୩୬୧ଟି ଫଇସଲା ହୋଇଥିବାବେଳେ ୧,୮୫,୧୮୪ଟି ବକେୟା ମାମଲା ଭାବେ ପରବର୍ଷକୁ ଗଡ଼ିଥିଲା । କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟ ମୁତାବକ ୨୦୨୪ ବର୍ଷରେ ଏଭଳି ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର ୬.୩ ପ୍ରତିଶତ ଥିବାବେଳେ ୯୪.୭ ପ୍ରତିଶତ ମାମଲା ଫଇସଲା ହୋଇନପାରି ବକେୟା ଭାବେ ପରବର୍ଷକୁ ଗଡ଼ିଥିଲା । (ତଥ୍ୟ)