ଭୁବନେଶ୍ୱର : ଦଶମଶ୍ରେଣୀ ଉତ୍ତୀର୍ଣ୍ଣ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏବେ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇବା ପରିବର୍ତ୍ତେ ବିଭିନ୍ନ କୋଚିଂ ସେଣ୍ଟରରେ ନାମ ଲେଖାଇବାରେ ଲାଗିଛନ୍ତି । କୋଚିଂ ସେଣ୍ଟର ଜରିଆରେ ସେମାନେ ‘ଡମି’ରେ ଯୁକ୍ତ ଦୁଇ ପଢୁଥିବାରୁ ସରକାରୀ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ଶ୍ରେଣୀରେ ଆସନ ଫାଙ୍କା ପଡିବା ସହିତ ମେଧାବୀ ଛାତ୍ରଛାତ୍ରୀମାନେ ଦୂରେଇ ଯିବାର ସମ୍ଭାବନା ଉପୁଜିଛି ।
ରାଜ୍ୟରେ ଏବେ ସିବିଏସଇ, ଆଇସିଏସ୍ଇ ସହିତ ଓଡିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଚାଳିତ ଦଶମଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବାପରେ ଯୁକ୍ତ ଦୁଇ ସ୍ତରରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି । ଏହିସବୁ ବୋର୍ଡର ଛାତ୍ରଛାତ୍ରୀମାନେ ଚଳିତବର୍ଷ ୯୦ ପ୍ରତିଶତରୁ ଅଧିକ ସଂଖ୍ୟାରେ ଉତ୍ତୀର୍ଣ୍ଣ ହେବା ସହିତ ଭଲ ନମ୍ବର ରଖିଛନ୍ତି । କେତେକ ଛାତ୍ରଛାତ୍ରୀ ଶତ ପ୍ରତିଶତ ନମ୍ବର ରଖି ରେକର୍ଡ କରିଛନ୍ତି ।
ବର୍ତ୍ତମାନ ଏହି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ଅନୁଷ୍ଠାନକୁ ନେବାପାଇଁ ଜାତୀୟ ସ୍ତରର କୋଚିଂ ସେଣ୍ଟରଗୁଡିକ ଲାଗିପଡିଛନ୍ତି । ସରକାରୀ ସ୍ତରରେ ଯୁକ୍ତ ଦୁଇ ପଢିବା ବଦଳରେ ସେମାନଙ୍କୁ ନିଜ ନିଜ ଅନୁଷ୍ଠାନ ଜରିଆରେ ‘ଡମି’ରେ ନାମ ଲେଖାଇବାପାଇଁ ପ୍ରବର୍ତ୍ତାଉଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଡମି ନାମ ଲେଖାଉଛନ୍ତି ସେମାନେ କେବଳ କୋଚିଂ ସେଣ୍ଟରରେ ପଢୁଛନ୍ତି ଓ ଏହି ସେଣ୍ଟର ଅଧିନରେ ଥିବା ବିଭିନ୍ନ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଦେଉଛନ୍ତି । ଯୁକ୍ତ ଦୁଇ ପାଠ ସହିତ ଏମାନଙ୍କୁ ଡାକ୍ତରୀ, ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷାପାଇଁ ତାଲିମ ଦିଆଯିବ ବୋଲି କୁହାଯାଉଛି ।
ମେଧାବୀ ଛାତ୍ରଛାତ୍ରୀମାନେ କିଭଳି ନିଜ ନିଜ କୋଚିଂ ସେଣ୍ଟରକୁ ଆସିବେ ଓ ଦୁଇବର୍ଷ ଧରି ରହିବେ ସେଥିପାଇଁ ଅଧିକ ପ୍ରତିଶତ ନମ୍ବର ରଖିଥିବା ପିଲାମାନଙ୍କ ପାଇଁ ଆବର୍ଷଣୀୟ ରିହାତି ବ୍ୟବସ୍ଥା ମଧ୍ୟ ଘୋଷଣା କରୁଛନ୍ତି । ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ନାମୀ ଦାମୀ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତ ପଢିବାକୁ ପ୍ରସ୍ତୁତ ହେଉଥିଲେ ସେମାନେ ଏବେ ସମାନ ଅର୍ଥରେ କୋଚିଂ ସେଣ୍ଟରରୋ ଡମି ରେ ନାମ ଲେଖାଇବାକୁ ଆଗଭର ହେଉଛନ୍ତି ।
ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଶହ ଶହ ଛାତ୍ରଛାତ୍ରୀ ଏବେ ଲକ୍ଷାଧିକ ଟଙ୍କା ପ୍ରଦାନ କରି ଡମିରେ ନାମ ଲେଖାଇବା ଆରମ୍ଭ କରିଥିବାରୁ ସରକାରୀ କଲେଜଗୁଡିକରେ ଯୁକ୍ତ ଦୁଇ ସ୍ତରରେ ଆସନ ଖାଲି ପଡିବ ଏବଂ ମେଧାବୀ ଛାତ୍ରଛାତ୍ରୀମାନେ ସରକାରୀ ଯୁକ୍ତ ଦୁଇ କଲେଜରୁ ଦୂରେଇ ଯିବେ ବୋଲି ଶିକ୍ଷାବିତ୍ମାନେ ଆଶଙ୍କା ପ୍ରକାଶ କଲେଣି । ମେଧାବୀ ଛାତ୍ରଛାତ୍ରୀଙ୍କୁ ନେବାପାଇଁ ଜାତୀୟ ସ୍ତରର କୋଚିଂ ସେଣ୍ଟରଗୁଡିକ ଯେଭଳି ପ୍ରତିଯୋଗିତା ଚଳାଇଛନ୍ତି ତାହା ଓଡିଶାର ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି କିଛି ଶିକ୍ଷାବିତ୍ ମଧ୍ୟ ମତପ୍ରକାଶ କରୁଛନ୍ତି ।
ଯେଉଁସବୁ ଘରୋଇ ଓ ସରକାରୀ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ନାମଲେଖାଇ ନିୟମିତ ଶ୍ରେଣୀକୁ ଆସିବା ବଦଳରେ କୋଚିଂ ସେଣ୍ଟରରେ ପାଠପଢୁଛନ୍ତି ସେମାନଙ୍କ ଉପରେ ସରକାର ନଜର ରଖିବାକୁ ମତପ୍ରକାଶ ପାଉଛି । କାରଣ ଯୁକ୍ତ ଦୁଇଶ୍ରେଣୀରେ ନାମ ଲେଖା ସହିତ ନିୟମିତ ପାଠପଢା ପାଇଁ ଏହିସବୁ ଶିକ୍ଷାନୁଷ୍ଠାନଗୁଡିକ ସରକାରଙ୍କ ଠାରୁ ଅନୁମତି ପାଇଛନ୍ତି । (ତଥ୍ୟ)

