Home Administration ଓଏଏସ୍‍ ବରିଷ୍ଠତା ତାଲିକା ମାମଲା ଫଇସଲା

ଓଏଏସ୍‍ ବରିଷ୍ଠତା ତାଲିକା ମାମଲା ଫଇସଲା

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‍) ଅଧିକାରୀଙ୍କ ବରିଷ୍ଠତା ତାଲିକା ଘେନି ୫ବର୍ଷ ଧରି ଚାଲିଥିବା ବିବାଦର ଅନ୍ତ ଓଡ଼ିଶା ହାଇକୋର୍ଟ ଘଟାଇବା ପରେ ଏବେ ଅଦାଲତଙ୍କ ରାୟ ଆଧାରରେ ବରିଷ୍ଠତା ତାଲିକାର ସଂଶୋଧନ ଏବଂ ପଦୋନ୍ନତି ପାଇଁ ବାଟ ଫିଟିଛି ।

ଏଠାରେ ଉଲ୍ଲେଖନୀୟ ଯେ ପ୍ରତିବର୍ଷ ନିୟମିତ ବ୍ୟବଧାନରେ ଓଏଏସ୍‍ ପାହ୍ୟାରେ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ଭିତ୍ତିରେ ନିଯୁକ୍ତି ହେଉନଥିବାରୁ ବରିଷ୍ଠତା ତାଲିକା ଘେନି ଅସନ୍ତୋଷ ଲାଗି ରହିଥିଲା । ୨୦୨୧ ମସିହାରେ ରାଜ୍ୟ ସରକାର ଡିସେମ୍ବର ୨୨ ତାରିଖରେ ଓଏଏସ୍‍ ଗ୍ରୁପ୍‍ ‘ଏ’ (କନିଷ୍ଠ ବର୍ଗ) ଅଧିକାରୀଙ୍କ ଚୂଡ଼ାନ୍ତ ବରିଷ୍ଠତା ତାଲିକା ପ୍ରକାଶ କରିଥିଲେ । ଏଥିରେ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଲିକାକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଅନେକ ଓଏଏସ୍‍ ଅଧିକାରୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।
ବିଶେଷକରି ପ୍ରତିବର୍ଷ ଏକସଂଗେ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ଓଡ଼ିଶା ରାଜସ୍ୱ ସେବା ଗ୍ରୁପ୍‍ ‘ବି’ରୁ ଓଏଏସ୍‍ ଗ୍ରୁପ୍‍ ‘ଏ’କୁ ପଦୋନ୍ନତି ଦିଆଯାଉନଥିବାରୁ ଏହି ସମସ୍ୟା ଉପୁଜିଥିଲା । ପଦୋନ୍ନତି ପାଉଥିବା ଅଧିକାରୀ ଓ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ଭିତରେ ବରିଷ୍ଠତା ତାଲିକା ସଂକ୍ରାନ୍ତରେ ପ୍ରଶାସନିକ ସେବା ଅଧିନିୟମର ୧୧ ଧାରାରେ ବ୍ୟବସ୍ଥା ରହିଛି । ତେବେ ପ୍ରତିବର୍ଷ ଏହା କରାଯାଉନଥିବାରୁ ସମସ୍ୟା ଉପୁଜିଛି ।

ଏ ସଂକ୍ରାନ୍ତୀୟ ଅନ୍ୟୁନ ୬ଟି ମାମଲାର ମିଳିତ ଶୁଣାଣି କରି ହାଇକୋର୍ଟ ନିକଟରେ ୧୯୨୧ରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ଖାରଜ କରିବା ସହ ୨୦୨୧ ନଭେମ୍ବର ୧୫ ତାରିଖରେ ପ୍ରକାଶିତ ବରିଷ୍ଠତା ତାଲିକାକୁ କାଏମ ରଖିଛନ୍ତି । ଏହି ମାମଲା ଯୋଗୁ ଓଏଏସ୍‍ ସିନିୟର ବ୍ରାଞ୍ଚରେ ଖାଲି ପଡିଥିବା ଶତାଧିକ ପଦବୀ ପୂରଣ ହୋଇପାରୁନଥିଲା । ଏ ସଂକ୍ରାନ୍ତରେ ରାଜସ୍ୱ ବିଭାଗ ପକ୍ଷରୁ ଅଦାଲତରେ ଉତ୍ତର ଦାଖଲ କରାଯିବା ସହିତ କିଭଳି ଖାଲି ଥିବା ପଦବୀଗୁଡ଼ିକ ପୂରଣ ହୋଇପାରିବ ସେ ସଂକ୍ରାନ୍ତରେ ପରାମର୍ଶ ଦେବାକୁ ବାରମ୍ବାର ଆଡଭୋକେଟ୍‍ ଜେନେରାଲଙ୍କୁ ପତ୍ର ଲେଖାଯାଉଥିଲା ।

ଏବେ ଏହି ମାମଲାଗୁଡ଼ିକ ଫଇସଲା ହୋଇଯାଇଥିବାରୁ ରାଜସ୍ୱ ବିଭାଗ ପଦୋନ୍ନତି ଦେବାରେ କିଛି ଅସୁବିଧା ନାହିଁ ବୋଲି କୁହାଯାଉଥିଲେ ମଧ୍ୟ ଯଦି ହାଇକୋର୍ଟଙ୍କ ଜଣିକିଆ ବେଞ୍ଚ ଦେଇଥିବା ରାୟକୁ ଦୁଇଜଣିଆ ଖଣ୍ଡପୀଠରେ ଚାଲେଞ୍ଜ କରାଯାଏ ତେବେ ଅଦାଲତଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ଏହା ନିର୍ଭର କରିପାରେ ବୋଲି ବିଧିବିଶେଷଜ୍ଞମାନେ କହୁଛନ୍ତି । ଏଭଳି ଅଦାଲତି ଲଢ଼େଇରେ ଗୋଟିଏ କ୍ୟାଡର୍‍ର ଦୁଇଗୋଷ୍ଠୀ ଅଧିକାରୀ ମାତିଥିବାରୁ ଜଣିକିଆ ଖଣ୍ଡପୀଠ ଦେଇଥିବା ରାୟକୁ ସମସ୍ତେ ମାନିନେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ପଦୋନ୍ନତି ନପାଇ ଅବସର ଗ୍ରହଣ କରିବାକୁ ଯାଉଥିବା କିଛି ଅଧିକାରୀ ମତବ୍ୟକ୍ତ କରିଛନ୍ତି ।(ତଥ୍ୟ)