ଭୁବନେଶ୍ୱର : ରାଜ୍ୟରେ ଜନଔଷଧିର ବିକ୍ରି ବଢିବାରେ ଲାଗିଛି । ଶସ୍ତାରେ ମିଳୁଥିବା ଏହି ଔଷଧ ଉପରେ ରୋଗୀମାନେ ଅଧିକରୁ ଅଧିକ ପରିମାଣରେ ନିର୍ଭର କରୁଛନ୍ତି । ତେବେ ସରକାରୀ ଡାକ୍ତରଖାନା ପରିସରରେ ଜନଔଷଧି ବିକ୍ରୟକେନ୍ଦ୍ରକୁ ଅନୁମତି ପ୍ରଦାନ କରାଗଲେ ଏହାର ବ୍ୟବହାର ବୃଦ୍ଧି ପାଇବ ବୋଲି କୁହାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ ୨୦୨୧-୨୨ ବର୍ଷରେ ରାଜ୍ୟରେ ମାତ୍ର ୩୧ କୋଟି ଟଙ୍କାର ଜନଔଷଧି ବିକ୍ରି ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ଏହା ୫୭ କୋଟି ଟଙ୍କାକୁ ଟପିଯାଇଥିଲା । ଗତ ଆର୍ଥିକ ବର୍ଷରେ ଏହି ପରିମାଣ ୫୮ କୋଟି ୮୦ଲକ୍ଷ ଟଙ୍କାକୁ ଅତିକ୍ରମ କରିଛି । ଜନଔଷଧି ବିତରଣ କେନ୍ଦ୍ରଗୁଡିକରେ ପାଖାପାଖି ଅଢେଇ ହଜାର ପ୍ରକାରର ଔଷଧ ଉପଲବ୍ଧ ହେଉଛି ।
ସରକାରୀ ଡାକ୍ତରଖାନାଗୁଡିକରେ ରୋଗୀମାନଙ୍କ ପାଇଁ ମାଗଣାରେ ନିରାମୟ ଔଷଧ ଉପଲବ୍ଧ ହେଉଥିବାବେଳେ ଡାକ୍ତରମାନେ ଲେଖୁଥିବା ସମସ୍ତ ଔଷଧ କିନ୍ତୁ ବହୁ ସମୟରେ ମିଳିପାରୁ ନାହିଁ । ତେଣୁ ଏହିସବୁ ଔଷଧ ରୋଗୀମାନେ ଜନଔଷଧି କେନ୍ଦ୍ରରୁ ଖରିଦ କରିଥାନ୍ତି । ଏଠାରେ ଶସ୍ତାରେ ଔଷଧ ମିଳୁଥିବାରୁ ରୋଗୀମାନେ ଡାକ୍ତରଖାନା ଆଖପାଖରେ ଥିବା ଜନଔଷଧି କେନ୍ଦ୍ରକୁ ଯାଇଥାନ୍ତି । ତେବେ ସରକାରୀ ଡାକ୍ତରଖାନା ପରିସରରେ ଏକାଧିକ ଜନଔଷଧି କେନ୍ଦ୍ର ଖୋଲିବାପାଇଁ ଅନୁମତି ପ୍ରଦାନ କରାଗଲେ ଏହା ରୋଗୀମାନଙ୍କ ପାଇଁ ସହଜ ହୋଇପାରନ୍ତା ।
ତେବେ ବିଡମ୍ବନାର କଥା ହେଉଛି ଯେ ଖୋଦ୍ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ରାଜ୍ୟର ପ୍ରଥମ ଜନଔଷଧି କେନ୍ଦ୍ରକୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି । ଫଳରେ ଯେଉଁସବୁ ଔଷଧ ନିରାମୟ କେନ୍ଦ୍ରରେ ମିଳୁନାହିଁ ରୋଗୀମାନେ ବାଧ୍ୟହୋଇ ଆଖପାଖରେ ଥିବା ଔଷଧ ଦୋକାନରୁ ତାହାକୁ ଚଢା ଦରରେ ଖରିଦ କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିୟନ୍ତ୍ରଣରେ ଥିବା ଏହି ଜନଔଷଧି କେନ୍ଦ୍ର ଆଉ ଖୋଲିବ କି ନାହିଁ ତାହା କେହି କହିପାରୁ ନାହାନ୍ତି ।
କେନ୍ଦ୍ର ସରକାର ବର୍ତ୍ତମାନ ସମବାୟ ମନ୍ତ୍ରଣାଳୟ ଅଧିନରେ ଅଧିକରୁ ଅଧିକ ସଂଖ୍ୟକ ଜନଔଷଧି କେନ୍ଦ୍ର ଖୋଲିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏପରିକି ପାକସ୍ଗୁଡିକ ଜରିଆରେ ଏହା ଖୋଲିବାକୁ ସ୍ଥିର ହେଉଛି । ଲୋକେ କିଭଳି ଶସ୍ତାରେ ଔଷଧ ପାଇପାରିବେ କେନ୍ଦ୍ର ସରକାର ତାହା ଉପରେ ଗୁରୁତ୍ୱ ଦେଉଥିବାବେଳେ କ୍ୟାପିଟାଲ ହସ୍ପିଟାଲ ପରିସରରୁ ଜନଔଷଧି କେନ୍ଦ୍ର ବନ୍ଦ ହେବା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଉଲ୍ଲେଖନୀୟ ଯେ ରାଜ୍ୟରେ ଏବେ ମୋଟ୍ ୮୦୩ଟି ଜନ ଔଷଧି କେନ୍ଦ୍ର ଥିବାବେଳେ ଏଥିରୁ ସର୍ବାଧିକ ୧୪୩ଟି କଟକରେ ରହିଛନ୍ତି । ଖୋରଧା ଜିଲ୍ଲାରେ ୧୦୯ଟି ଜନଔଷଧି କେନ୍ଦ୍ର ଥିବାବେଳେ ବାଲେଶ୍ୱରରେ ୭୫ଟି, ଗଞ୍ଜାମରେ ୬୯ଟି, ଯାଜପୁରରେ ୫୦ଟି ଓ ଜଗତ୍ସିଂହପୁରରେ ୪୪ଟି ରହିଛି । ନୂଆପଡା ଜିଲ୍ଲାରେ ମାତ୍ର ଗୋଟିଏ ଜନଔଷଧି ବିକ୍ରୟ କେନ୍ଦ୍ର ରହିଥିବାବେଳେ ମାଲକାନଗିରି, ଗଜପତି ଓ ଦେବଗଡ ଜିଲ୍ଲାରେ ୨ଟି କରି କେନ୍ଦ୍ର ରହିଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଜନଔଷଧି କେନ୍ଦ୍ର ଅଧିକ ସଂଖ୍ୟାରେ ନଥିବାରୁ ସେଠାରେ ରୋଗୀମାନେ ବାଧ୍ୟହୋଇ ଚଢା ଦରରେ ଔଷଧ ଖରିଦ କରୁଛନ୍ତି ।
ରାଜ୍ୟରେ ଜନଔଷଧିର ବିକ୍ରି ବଢି ଚାଲିଥିବାବେଳେ ସମସ୍ତ ଡାକ୍ତର ଔଷଧର ନାମ ବଦଳରେ ଏହାର କମ୍ପୋଜିସନ ଲେଖିଲେ ଏହାର ବ୍ୟବସାୟ ବୃଦ୍ଧି ସହିତ ରୋଗୀମାନେ ଔଷଧ କମ୍ପାନୀଙ୍କ ଶୋଷଣରୁ ମୁକ୍ତି ପାଇପାରନ୍ତେ ବୋଲି ଚିକିତ୍ସକମାନେ ମତ ଦେଉଛନ୍ତି । (ତଥ୍ୟ)

