Home Judiciary ମଦମୃତ୍ୟୁ ଦଣ୍ଡର ସୂଚନା ନାହିଁ

ମଦମୃତ୍ୟୁ ଦଣ୍ଡର ସୂଚନା ନାହିଁ

କଟକ : କଟକ ମଦମୃତ୍ୟୁ ଦୁର୍ଘଟଣାର ୩୪ବର୍ଷ ପୂରିବାକୁ ଯାଉଥିବାବେଳେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କି ପ୍ରକାର ଦଣ୍ଡବିଧାନ କରାଗଲା ତାହା କ୍ଷତିଗ୍ରସ୍ତ ପରିବାର ଏବଂ ଏ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିଥିବା ବ୍ୟକ୍ତିମାନଙ୍କୁ ଜଣାନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ୧୯୯୨ ମସିହା ମଇ ମାସ ପ୍ରଥମ ସପ୍ତାହରେ କଟକରେ ଭୟଙ୍କର ମଦମୃତ୍ୟୁ ଦୁର୍ଘଟଣା ଘଟିଥିଲା । ଏଥିରେ ଶତାଧିକ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ସହସ୍ରାଧିକ ପଙ୍ଗୁ ହୋଇଯାଇଥିଲେ ଏବଂ ଆକ୍ରାନ୍ତଙ୍କ ମଧ୍ୟରୁ ଅନେକଙ୍କର ପରେ ମୃତ୍ୟୁ ଘଟିଥିବାରୁ ବାସ୍ତବରେ କଟକ ମଦମୃତ୍ୟୁ ଜନିତ ମୃତ୍ୟୁସଂଖ୍ୟା ୫ଶହରୁ ଅଧିକ ହେବ ବୋଲି କୁହାଯାଏ ।

ଏହି ଭୟଙ୍କର ମଦମୃତ୍ୟୁ ଦୁର୍ଘଟଣାରେ ଭୁବନେଶ୍ୱରରେ ବି କିଛି ଲୋକ ମରିଥିଲେ । ଏହି ମଦମୃତ୍ୟୁର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁରେନ୍ଦ୍ର ନାଥ ଦାସ ଓରଫ ବେଲୁକୁ ବହୁ ବିଳମ୍ବରେ ନାଟକୀୟ ଭାବେ କଲିକତାରୁ କଟକ ପୁଲିସ୍‍ ଗିରଫ କରିଥିଲା ବୋଲି କୁହାଯାଏ ।

କଟକ ମଦମୃତ୍ୟୁ ଘଟଣା ପରେ କଟକ ସମେତ ସାରା ଓଡିଶାରେ ମଦ ବିରୋଧି ଆନ୍ଦୋଳନ ତେଜିଥିଲା ଏବଂ ଏଥିରେ ଦଳ ମତ ନିର୍ବିଶେଷରେ ବିଭିନ୍ନ ସଂଗଠନ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହାର ପ୍ରଭାବରେ ସେତେବେଳର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କଟକ ସହରରେ ସବୁ ମଦ ଦୋକାନ ବନ୍ଦ କରିଦେବା ସହିତ ଦେଶୀ ଓ ମହୁଲି ମଦ ଉପରେ ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ କଟକଣା ଲଗାଇଥିଲେ । ଅବଶ୍ୟ ପରବର୍ତ୍ତୀ ସରକାରରେ ଏହି କଟକଣା ଉଠାଇ ନିଆଯାଇଥିଲା ।

ଏହି ମଦମୃତ୍ୟୁ ପ୍ରସଙ୍ଗରେ ସେତେବେଳେ ଗାନ୍ଧୀ ସ୍ମାରକନିଧିର ସମ୍ପାଦକ ଲେଖିଥିବା ଏକ ଚିଠିକୁ ଓଡିଶା ହାଇକୋର୍ଟ ଜନସ୍ୱାର୍ଥ ସମ୍ବଳିତ ମାମଲା ଭାବେ ଗ୍ରହଣ କରିଥିଲେ ଏବଂ ଆଉ ଦୁଇଜଣ ଓକିଲ ମଧ୍ୟ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଓଡିଶା ହାଇକୋର୍ଟ ଏହି ସମ୍ବେଦନଶୀଳ ପ୍ରସଙ୍ଗର ବିଚାର କରି ମୃତାହତ ପରିବାରକୁ କ୍ଷତିପୂରଣ ପ୍ରଦାନ ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସଂଗେ ସଂଗେ ଆଉ କେତେକ ଟିପ୍ପଣୀ ଦେଇଥିଲେ । ଏହା ବିରୁଦ୍ଧରେ ଓଡିଶା ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ ।

ପରବର୍ତ୍ତୀ ସମୟରେ ଅପରାଧିକ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତରେ ନ୍ୟସ୍ତ କରାଯିବା ସହିତ ବିଧାନସଭାରେ ପ୍ରସ୍ତାବଆଣି ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ବାଳକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ କମିଶନ ବସାଯାଇଥିଲା । ସେତେବେଳର କେନ୍ଦ୍ରାଞ୍ଚଳ ଆରଡିସି ବି ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିଲେ । ଉଭୟ ରିପୋର୍ଟ ବିଧାନସଭାରେ ମଧ୍ୟ ଉପସ୍ଥାପନ କରାଯାଇଥିଲା ।

କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ ଖାକି ପୋଷାକ ପରିହିତ କେତେକ ପୁଲିସ୍‍ ଓ ଅବକାରୀ କର୍ମଚାରୀ ଚୋରା ମଦ ବେପାରୀର ପୋଷା କୁକୁର ଭଳି କାମ କରୁଥିଲେ । କେନ୍ଦ୍ରାଞ୍ଚଳ ଆରଡିସି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ଚୋରା ମଦ ବେପାରୀ ଠାରୁ ଥାନା ଫାଣ୍ଡି ଠାରୁ ଆରମ୍ଭ କରି ଶାସନ ଚଳାଉଥିବା ବ୍ୟକ୍ତିବିଶେଷ ବଟି ନେଉଥିଲେ । ଜଷ୍ଟିସ ବେହେରା କମିଶନ ତାଙ୍କ ସୁଦୀର୍ଘ ରିପୋର୍ଟରେ ଏହି ଘଟଣା ଅପରାଧର ରାଜୀନତିକରଣ ଓ ରାଜନୀତିର ଅପରାଧିକରଣ ବୋଲି ଉଲ୍ଲେଖ କରଥିଲେ ।

ଏହିସବୁ ରିପୋର୍ଟ ଉପରେ ଏଯାବତ୍‍ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା କୌଣସି ବିଭାଗ ସ୍ପଷ୍ଟଭାବେ କହିପାରୁ ନାହାନ୍ତି । ୩୪ବର୍ଷ ତଳର ଏହି ଲୋମହର୍ଷଣକାରୀ ନରସଂହାର ସଂକ୍ରାନ୍ତରେ ଯେଉଁମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହୋଇଥିଲା ସେମାନଙ୍କ ଭିତରୁ କେଉଁମାନଙ୍କୁ ଦଣ୍ଡିତ କରାଯାଇଛି ଓ କେଉଁମାନେ ଖଲାସ ହୋଇଛନ୍ତି ସେଥିଘେନି ମଧ୍ୟ କର୍ତ୍ତୃପକ୍ଷ କିଛି ନିର୍ଦ୍ଦିଷ୍ଟ ଦେଇପାରୁ ନାହାନ୍ତି । (ତଥ୍ୟ)