Home Education ଆଶଙ୍କାରେ ଛାତ୍ର ସଂସଦ ନିର୍ବାଚନ

ଆଶଙ୍କାରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : ୨୦୨୬-୨୭ ଶିକ୍ଷାବର୍ଷରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ର୍ନିବାଚନ ହେବ କି ନାହିଁ ସେଥିଘେନି ଏଯାବତ୍‍ କୌଣସି ସ୍ପଷ୍ଟ ଚିତ୍ର ମିଳୁନାହିଁ । ତେବେ ଉଚ୍ଚଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ବଜାୟ ରଖିବାପାଇଁ ସରକାର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ସେଥିରେ କର୍ତ୍ତୃପକ୍ଷଙ୍କ ବିନାନୁମତିରେ ଛାତ୍ରମାନେ ଆନ୍ଦୋଳନ କରିପାରିବେ ନାହିଁ ବୋଲି ଯେଉଁ ସର୍ତ୍ତ ରହିଛି ସେଥିରୁ ଛାତ୍ରସଂସଦ ନିର୍ବାଚନ ଘେନି ଅନେକ ଛାତ୍ର ସଂଗଠନ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଗତ ୭ବର୍ଷ ଧରି ଓଡିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ଫଳରେ ଛାତ୍ରାବସ୍ଥାରୁ ନେତୃତ୍ୱ ବିକାଶ ଲାଗି ଯେଉଁ ସୁଯୋଗ ରହିଥିଲା ତାହାର ଏକ ପ୍ରକାର ଅପମୃତ୍ୟୁ ଘଟିଛି । ବିଜେଡି ସରକାର ସମୟରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖାଯିବା ଘଟଣାକୁ ବିଜେପି, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଛାତ୍ର କଂଗ୍ରେସ, ବାମପନ୍ଥୀ ଛାତ୍ର ସଂଗଠନ ସମେତ ବିଭିନ୍ନ ରାଜନୈତିକଦଳ ବିରୋଧ କରୁଥିଲେ । ସେ ସମୟରେ ବିଜେଡି ଏବଂ ତାହାର ଯୁବ ଓ ଛାତ୍ରଶାଖାର ନେତାମାନେ ଛାତ୍ରସଂସଦ ନିର୍ବାଚନ ବିପକ୍ଷରେ ମତଦେଇ ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ଓ ଶୈଖିକ ବାତାବରଣ ବଜାୟ ରଖିବାପାଇଁ ଏହା ଅପରିହାର୍ଯ୍ୟ ବୋଲି କହୁଥିଲେ ।

ଏବେ ଦୁଇବର୍ଷ ଧରି ବିଜେପି ରାଜ୍ୟରେ କ୍ଷମତାରେ ରହିଛି । ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବାରମ୍ବାର ଛାତ୍ର ସଂସଦ ନିର୍ବାଚନ ଲାଗି ଦାବି ହେଉଛି । ସରକାରଙ୍କ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଓ ଅନ୍ୟମାନେ ନିର୍ବାଚନ ସପକ୍ଷରେ ବିବୃତ୍ତି ଜାରି କରୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦୁଇବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ କରାଯାଇ ନାହିଁ ।

ଏବେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଶିକ୍ଷକ ଓ ଅଣଶିକ୍ଷକ ମରୁଡି ଜନିତ ସମସ୍ୟା ଅତି ଉତ୍କଟ ସ୍ଥିତିରେ ରହିଥିବା ଏବଂ ଆଉ କେତେକ ଶିକ୍ଷାନୁଷ୍ଠାନରେ ଛାତ୍ରୀ ନିର୍ଯ୍ୟାତନା ଭଳି ଅଭାବନୀୟ ଘଟଣା ଘଟୁଥିବା ଦୃଷ୍ଟିରୁ ଛାତ୍ର ସଂସଦ ନିର୍ବାଚନ ହେଲେ ସଂଗଠିତ ଛାତ୍ରଶକ୍ତି ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବାର ଆଶଙ୍କା ରହିଛି । ବିଭିନ୍ନ ଛାତ୍ର ସଂଗଠନର ନେତାମାନେ କହୁଛନ୍ତି ଯେ ଛାତ୍ର ସମାଜକୁ ତାହାର ଯୁକ୍ତିଯୁକ୍ତ ଦାବିରୁ ଦୂରେଇ ରଖିବାପାଇଁ ବିଜେଡି ସରକାର ଧାରାରେ ବିଜେପି ସରକାର ମଧ୍ୟ ନିର୍ବାଚନ କରାଉନାହାନ୍ତି । ଏଥି ସହିତ ଛାତ୍ରଛାତ୍ରୀମାନେ ଯେଭଳି ସେମାନଙ୍କ ଦାବି ଉଠାଇ ନପାରିବେ ତାହାକୁ ଚାପିଦେବା ଲାଗି ଶୃଙ୍ଖଳା ନାମରେ ଦମନମୂଳକ ମାର୍ଗ ନିର୍ଦ୍ଦେଶିକା ଜାରି କରାଯାଇଛି ।

ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ଛାତ୍ର ସଂଗଠନଗୁଡିକର କାର୍ଯ୍ୟକଳାପ ବେଶ୍‍ ଶିଥିଳ ଅନୁଭୂତ ହେଉଛି । ଏମିତିକି ଶିକ୍ଷା କ୍ଷେତ୍ରରେ ଲାଗି ରହିଥିବା ଅବ୍ୟବସ୍ଥାରେ ସୁଧାର ଆଣିବାପାଇଁ ଛାତ୍ର ସଂଗଠନଗୁଡିକ ଯେଭଳି ଚାପ ପ୍ରୟୋଗ କରିବାକଥା ତାହା ଲକ୍ଷ୍ୟ କରାଯାଉନାହିଁ ।

ଅତୀତରେ ବିଜେଡି ସରକାର ସମୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସରେ ଶୃଙ୍ଖଳା ଓ ଶୈଖିକ ବାତାବରଣ ଆଳରେ ଛାତ୍ରସଂସଦ ନିର୍ବାଚନ ନକରିବାପାଇଁ ବାରମ୍ବାର ସୁପାରିଶ୍‍ କରୁଥିଲେ । ଏବେ ଅତିଥି ଅଧ୍ୟାପକଙ୍କୁ ଭରସା କରି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ଚାଲିଛି । ଏହି ଅତିଥି ଅଧ୍ୟାପକମାନେ କେବଳ ପାଠପଢାଇବା ଛଢା ଅନ୍ୟ କୌଣସି କାର୍ଯ୍ୟରେ ଲିପ୍ତ ରହିପାରିବେ ନାହିଁ । ଏମିତିକି ଛାତ୍ର ସଂସଦ ନିର୍ବାଚନ ପରିଚାଳନାରେ ବି ଏମାନେ ଭାଗ ନେଇପାରିବେ ନାହିଁ । ଏଭଳି ସ୍ଥିତିରେ ଭାରପ୍ରାପ୍ତ ଅଧ୍ୟକ୍ଷମାନେ ବହୁ ସ୍ଥଳରେ ଛାତ୍ରସଂସଦ ର୍ନିବାଚନ ରିସ୍କ ନେବାକୁ ପ୍ରସ୍ତୁତ ନୁହନ୍ତି । ପ୍ରାୟ ସାତବର୍ଷ ଧରି ଅଭ୍ୟାସରେ ପଡିଯାଉଥିବାରୁ ଅଭିଭାବକମାନେ ବି ପିଲାଙ୍କ କ୍ୟାରିଅର ଦୃଷ୍ଟିରୁ କ୍ୟାମ୍ପସ ଛାତ୍ର ରାଜନୀତି ପ୍ରତି ନାକ ଟେକୁଛନ୍ତି । ଏଭଳି ସ୍ଥିତିରେ ଗ୍ରୀଷ୍ମାବକାଶ ପରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ପାଠପଢା ଆରମ୍ଭ ହେବାପରେ ଛାତ୍ର ସଂସଦ ର୍ନିବାଚନ ହେବ କି ନହେବ ତାହା ଶିକ୍ଷାବର୍ଷର କ୍ୟାଲେଣ୍ଡର ପ୍ରକାଶ ପରେ ସ୍ପଷ୍ଟ ହେବ । (ତଥ୍ୟ)