Home Culture ବଢୁଛି ଓଡିଆ ତାଲିମପ୍ରାପ୍ତ ବାବୁଙ୍କ ସଂଖ୍ୟା

ବଢୁଛି ଓଡିଆ ତାଲିମପ୍ରାପ୍ତ ବାବୁଙ୍କ ସଂଖ୍ୟା

ଭୁବନେଶ୍ୱର : ଓଡିଆ ଭାଷାରେ ସରକାରୀ କାର୍ଯ୍ୟ କରିବାକୁ ଅଧିକରୁ ଅଧିକ ସଂଖ୍ୟକ ସରକାରୀ ବାବୁ ତାଲିମ ନେଉଛନ୍ତି । ତାଲିମ ବାବଦରେ ସମୟ ସହିତ ଅର୍ଥ ବି ବ୍ୟୟ ହେଉଛି । ତେବେ ଧିରେ ଧିରେ ବିଭିନ୍ନ ବିଭାଗରେ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ହେଉଥିବାବେଳେ ଆଉ କିଛି ବିଭାଗର ବାବୁମାନେ ଏବେ ଓଡିଆ ଭାଷାରେ ସରକାରୀ ଚିଠି ପତ୍ର କରିବାକୁ ଅନାଗ୍ରହୀ ଥିବା ଲକ୍ଷ୍ୟ କରାଯାଉଛି ।

ଓଡିଆ ଭାଷାରେ ସରକାରୀ କାର୍ଯ୍ୟ କରିବାପାଇଁ ୨୦୨୦-୨୧ ବର୍ଷରେ ୫୭ଜଣ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବାବେଳେ ୨୦୨୨-୨୩ ବର୍ଷରେ ୧୦୧ ଜଣ କର୍ମଚାରୀ ତାଲିମ ପାଇଥିଲେ । ତାଲିମପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ବଢି ବଢି ୨୦୨୫-୨୬ରେ ୬୪୫ରେ ପହଞ୍ଚିଛି । ଏହି କର୍ମଚାରୀମାନଙ୍କୁ ଓଡିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ କରିବାକୁ ତାଲିମ ଦିଆଯାଉଛି ।

କେବଳ ରାଜ୍ୟ ସ୍ତରୀୟ ଅଧିକାରୀ କିମ୍ବା କର୍ମଚାରୀ ନୁହନ୍ତି, ଓଡିଶାର ୩୦ଟି ଜିଲ୍ଲାରେ ବି ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାରୁ ଏହା ଆରମ୍ଭ ହୋଇଥିବାବେଳେ ଏହି ଜିଲ୍ଲାରେ ପାଖାପାଖି ଦେଢ ଶହ କର୍ମଚାରୀ ଓଡିଆ ଭାଷାର ତାଲିମ ପାଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଦେବଗଡ, ଗଜପତି, ବୌଦ୍ଧ ସହ ଅନ୍ୟ ସମସ୍ତ ଜିଲ୍ଲାର କର୍ମଚାରୀମାନଙ୍କୁ ଓଡିଆ ଭାଷାରେ ପ୍ରଶିକ୍ଷଣ ପ୍ରଦାନର ଯୋଜନା ରହିଛି ।

ଓଡିଆ ଭାଷାରେ ସରକାରୀ କାର୍ଯ୍ୟକୁ ସହଜ କରିବାପାଇଁ ଓଡିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ କାର୍ଯ୍ୟାଳୟ ନଥି, ପ୍ରଶାସନ ଶବ୍ଦକୋଷ ଓ ପ୍ରଶିକ୍ଷଣ ପୁସ୍ତିକା ଆଦି ଓଡିଆ ଭାଷାରେ ପ୍ରକାଶ କରାଯାଇଛି । ୨୦୨୦ ମସିହାରେ ୭ହଜାର ଖଣ୍ଡ କାର୍ଯ୍ୟାଳୟ ନଥିର ନୂତନ ସଂସ୍କାରଣ ପ୍ରକାଶିତ ହୋଇଥିବାବେଳେ ୨୦୨୪ ମସିହାରେ ୬ହଜାର ଖଣ୍ଡ ପରିବର୍ତ୍ତିତ ପ୍ରଶାସନିକ ଶବ୍ଦକୋଷ ଏବଂ ୨୦୨୫ ମସିହାରେ ହଜାରେ ଖଣ୍ଡ ଯୋଗାଯୋଗରେ ଓଡିଆ ଭାଷା ପୁସ୍ତକ ପ୍ରକାଶିତ ହୋଇଛି ।

ତାଲିମ ଗ୍ରହଣ କରୁଥିବା ଅଧିକାରୀ ଓ କର୍ମଚାରୀମାନେ ଏହି ଶବ୍ଦକୋଷ, ନଥି ପୁସ୍ତକ ଆଦି ଜରିଆରେ ସରକାରୀ କାର୍ଯ୍ୟକୁ ଓଡିଆ ଭାଷାରେ କରିବା ସହଜ ପାଇଁ ପଦକ୍ଷେପ ନିଆଯାଉଛି । ତେବେ କମ୍ପ୍ୟୁଟରରେ ଓଡିଆ ଭାଷା ପରିଚାଳନାରେ ଅଧିକ କର୍ମଚାରୀ ଆଗ୍ରହ ପ୍ରକାଶ କରୁନଥିବାରୁ ସେମାନଙ୍କ ପାଇଁ ଓଡିଆ ଭାଷାରେ କାର୍ଯ୍ୟ କରିବା ସହଜ ହେଉନାହିଁ । ଯଦିଓ ସରକାରୀ ସ୍ତରରେ ସମସ୍ତ କମ୍ପ୍ୟୁଟରରେ ଓଡିଆ ଭାଷାର ସଫ୍ଟୱର ସୁବିଧା ଯୋଗାଇ ଦିଆଯାଇଛି କିନ୍ତୁ ଏହା ଚଳାଇବାକୁ ଅଧିକାଂଶ କଷ୍ଟ ଅନୁଭବ କରୁଛନ୍ତି ।

ଅନ୍ୟ ପକ୍ଷରେ କିଛି କର୍ମଚାରୀ ଏବେ ଓଡିଆ ଭାଷାରେ କାର୍ଯ୍ୟ କରିବା ବଦଳରେ ଇଂରାଜୀ ଭାଷାକୁ ବିଭିନ୍ନ ଉପାୟରେ ବିଶେଷରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (ଏଆଇ) ଜରିଆରେ ଅନୁବାଦ କରିବା ଏବେ ସମସ୍ୟା ପାଲଟିଛି । ଏହି କର୍ମଚାରୀମାନେ ଓଡିଆ ଭାଷା ଠାରୁ ଦୂରେଇ ଏଆଇ ଅନୁବାଦ ଉପରେ ଗୁରୁତ୍ୱ ଦେଉଥିବାରୁ ବେଳେବେଳେ ବିକୃତ ଓଡିଆ ଦେଖିବାକୁ ମିଳୁଛି । ତେଣୁ ବ୍ୟାପକ ଅର୍ଥ ବ୍ୟୟରେ ପୁସ୍ତକ ପ୍ରସ୍ତୁତି ଠାରୁ ଆରମ୍ଭ କରି ତାଲିମ ପ୍ରଦାନ କରାଯାଉଥିବାବେଳେ ଏହି କର୍ମଚାରୀମାନେ କିଭଳି ଓଡିଆ ଭାଷାରେ କାର୍ଯ୍ୟ କରୁଛନ୍ତି ତାହାର ମଧ୍ୟ ବିଧିବଦ୍ଧ ସମୀକ୍ଷା କରାଯିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)