Home News in Odia ଘରକୁ ପଡିବ ଦ୍ୱିତୀୟ ପାଇପ୍‍ ଲାଇନ୍‍

ଘରକୁ ପଡିବ ଦ୍ୱିତୀୟ ପାଇପ୍‍ ଲାଇନ୍‍

ଭୁବନେଶ୍ୱର : ସହରାଞ୍ଚଳରେ ଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବାପାଇଁ ଆଗାମୀ ଦିନରେ ହିତାଧିକାରୀଙ୍କ ଘରକୁ ଦ୍ୱିତୀୟ ପାଇପ୍‍ ଲାଇନ୍‍ ବିଛାଯିବ । ବର୍ତ୍ତମାନ ଯୋଗାଣ ହେଉଥିବା ଆକ୍ୱାଗାର୍ଡ ମାନର ଜଳ ବଗିଚା ଠାରୁ ଆରମ୍ଭ କରି ଗାଧୁଆଘରେ ନଷ୍ଟ ହେଉଥିବାରୁ କର୍ତ୍ତୃପକ୍ଷ ଏଭଳି ଯୋଜନା ପ୍ରସ୍ତୁତ କରୁଥିବା ଜଣାଯାଇଛି ।

ଡ୍ରିଙ୍କ୍‍ ଫ୍ରମ ଟ୍ୟାପ୍‍ ଯୋଜନାରେ ସହରାଞ୍ଚଳଗୁଡିକରେ ଲୋକଙ୍କ ଘରକୁ ପାଇପ୍‍ ଯୋଗେ ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ହେଉଛି । ଏହି ଜଳକୁ ବିନା ଶୋଧନରେ ବ୍ୟବହାର କରାଯାଇ ପାରିବ । ତେବେ ଏହିସବୁ ଜଳ ଯୋଗାଣ ସମୟରେ କର୍ତ୍ତୃପକ୍ଷ ପୁରୁଣା ପାଇପ୍‍ ଲାଇନ୍‍କୁ ବନ୍ଦକରି ନୂତନ ପାଇପ୍‍ ଲାଇନ୍‍ ବିଛାଇଲେ ଓ ସେଥିରେ ଏହି ଜଳ ଯୋଗାଣ କରୁଛନ୍ତି । ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ପାଇଁ ଜଳ ବିଶୋଧନ ବାବଦରେ ଲିଟର ପ୍ରତି ୧୦ ରୁ ୨୦ ପଇସା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି ।

ଏହି ବିଶୁଦ୍ଧ ଜଳକୁ ପାନୀୟ ଓ ଖାଦ୍ୟ ସାମଗ୍ରୀରେ ବ୍ୟବହାର ସହିତ ବିକଳ୍ପ ନଥିବାରୁ ଲୋକେ ବଗିଚାରେ ବ୍ୟବହାର ସହିତ ଗାଧୁଆଘରେ ବି ଖର୍ଚ୍ଚ କରୁଛନ୍ତି । ଏହି ଜଳର ସିଂହଭାଗ ବାଡି ବଗିଚା, ଗାଡି ଧୁଆ, ଲୁଗା ସଫା ଆଦିରେ ନଷ୍ଟ ହେଉଥିବାରୁ ତାହାକୁ ରୋକିବାପାଇଁ ଏବେ ଆଉ ଗୋଟିଏ ପାଇପ୍‍ରେ ସାଧାରଣ ଜଳ ଯୋଗାଣ ପାଇଁ ଯୋଜନା ପ୍ରସ୍ତୁତ ହେଉଛି ।

ରାଜ୍ୟ ସରକାର ଆଗମୀ ୨୦୨୮ ସୁଦ୍ଧା ସମସ୍ତ ସହରାଞ୍ଚଳ ବାସିନ୍ଦାଙ୍କୁ ୨୪ ଘଣ୍ଟିଆ ଜଳ ଯୋଗାଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ତ୍ତମାନ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ୮୬ଟି ପୌରାଞ୍ଚଳରେ ପାଇପ୍‍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଣ ହେଉଥିବାବେଳେ ଏଥିପାଇଁ ମୁଣ୍ଡପିଛା ୧୩୫ ଲିଟର ଜଳ ଆବଶ୍ୟକ ପଡୁଛି । ତଦୁନଯାୟୀ ଏହିସବୁ ପୌରାଞ୍ଚଳରେ ୪୪୩ ଏମଏଲଡି ଜଳ ଆବଶ୍ୟକ ଥିବାବେଳେ କର୍ତ୍ତୃପକ୍ଷ ୪୫୨ ଏମଏଲଡି ଜଳ ଯୋଗାଣ କରୁଛନ୍ତି ।

ଏଥି ମଧ୍ୟରେ କେତେକ ସ୍ଥାନରେ ୨୪ଘଣ୍ଟିଆ ଜଳ ଯୋଗାଣ ହେଉଛି । ତେବେ ୨୦୨୮ ବେଳକୁ ସମସ୍ତ ପୌରାଞ୍ଚଳରେ ୨୪ଘଣ୍ଟିଆ ଜଳ ଯୋଗାଣ ପାଇଁ ଅଧିକ ଜଳ ଆବଶ୍ୟକ ସହିତ ଏହାକୁ ବିଶୋଧନ ଲାଗି ବିପୁଳ ଅର୍ଥ ଆବଶ୍ୟକ ପଡିବ । ତେଣୁ ବିପୁଳ ଅର୍ଥ ବ୍ୟୟରେ ବିଶୋଧିତ ହେଉଥିବା ଆକ୍ୱାଗାର୍ଡମାନର ଜଳ ଯେଭଳି ନଷ୍ଟ ନହେବ ସେଥିପାଇଁ ଦ୍ୱିତୀୟ ପାଇପ୍‍ ଲାଇନ୍‍ ବିଛାଇବାପାଇଁ କର୍ତ୍ତୃପକ୍ଷ ବିଚାରୁଛନ୍ତି ।

ଉଲ୍ଲେଖନୀୟ ଯେ ଡିଙ୍କ୍‍ ଫ୍ରମ ଟ୍ୟାପ୍‍ ଯୋଜନାରେ ରାଜ୍ୟ ସରକାର ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ସହିତ ଏହାର ନିୟମିତ ଯାଞ୍ଚ ପାଇଁ ସହରାଞ୍ଚଳରେ ଜଳସାଥୀମାନେ ନିଯୁକ୍ତି ହୋଇଛନ୍ତି । ଏମାନେ ଘରକୁ ଘର ପାଇଁ ନିୟମିତ ଭାବେ ଜଳର ମାନ ପରୀକ୍ଷା କରିବା ସହିତ ଜଳ ଟିକସ ଆଦାୟ କରୁଛନ୍ତି । ଏଥିପାଇଁ ହିତାଧିକାରୀଙ୍କ ଘରେ ଜଳ ମିଟରମାନ ଲଗାଯାଇଛି । ତେବେ ଦ୍ୱିତୀୟ ପାଇପ୍‍ ଲାଇନ୍‍ରେ ସାଧାରଣ ଜଳ ଯୋଗାଣ କରାଗଲେ ଏହାର ଦର କେତେ ରହିବ ଓ ଏହାକୁ ଲୋକେ କିଭଳି ବ୍ୟବହାର କରିବେ ସେଥିପାଇଁ ବିସ୍ତୃତ ଖସଡା ପ୍ରସ୍ତୁତ ପାଇଁ ବିଚାର ଆଲୋଚନା ଆରମ୍ଭ ହୋଇଥିବା ସୂଚନା ମିଳିଛି । (ତଥ୍ୟ)