Home General ଓଡ଼ିଶାରୁ ଦିଆଯାଇନି ଭାରତ ରତ୍ନ

ଓଡ଼ିଶାରୁ ଦିଆଯାଇନି ଭାରତ ରତ୍ନ

ଭୁବନେଶ୍ୱର : କେନ୍ଦ୍ର ସରକାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଚଳନ କରିବାର ୭୨ ବର୍ଷ ଭିତରେ ଓଡ଼ିଶାର ଜଣେ ହେଲେ କାହାକୁ ଏଥିପାଇଁ ଚୟନ କରାଯାଇ ନାହିଁ । ଅନ୍ୟପକ୍ଷରେ ବର୍ଷ ତମାମ ବିଭିନ୍ନ ସମୟରେ ଓଡ଼ିଶାରୁ ଏହି ଦାବି ଉଠୁଛି ।

କଳା, ସଂସ୍କୃତି, ସାହିତ୍ୟ, ବିଜ୍ଞାନ, ସାଧାରଣ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଅନବଦ୍ୟ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କୁ କେନ୍ଦ୍ର ସରକାର ୧୯୫୪ ମସିହାରୁ ଭାରତ ରତ୍ନ ପ୍ରଦାନ କରିଆସୁଛନ୍ତି । ଏଯାବତ୍‍ ଦେଶର ବିଭିନ୍ନ ରାଜ୍ୟର ୫୩ଜଣ ଏହି ସମ୍ମାନରେ ସମ୍ମାନିତ ହୋଇଥିବାବେଳେ ସେମାନଙ୍କ ଭିତରୁ ଅନ୍ୟୁନ ୨୦ଜଣ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ଭୂଷିତ ହୋଇଛନ୍ତି ।

୧୯୫୪ରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ, ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‍ ଓ ବୈଜ୍ଞାନିକ ଡ. ସି.ଭି. ରମଣଙ୍କୁ ପ୍ରଥମ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧିଙ୍କ ଠାରୁ କର୍ପୁରୀ ଠାକୁର, ପି.ଭି. ନରସିଂହରାଓ, ଚୌଧୁରୀ ଚରଣ ସିଂହ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ଏମ୍‍.ଏସ୍‍. ସ୍ୱାମୀନାଥନ, ସଚିନ ତେନ୍ଦୁଲକର, ସୀମାନ୍ତ ଗାନ୍ଧି, ଖାଁ ଅବଦୁଲ ଗଫର ଖାଁ ଓ ନେଲସନ୍‍ ମଣ୍ଡେଲା ଆଦିଙ୍କୁ ଭାରତ ସରକାର ଏହି ସମ୍ମାନରେ ଭୂଷିତ କରିଛନ୍ତି । ବର୍ଷରେ ଅତି ବେଶୀରେ ୩ଜଣ ପ୍ରତିଭାଙ୍କୁ ଏହି ସମ୍ମାନ ଦିଆଯାଇଥାଏ ।

ମରଣୋତ୍ତର ଭାରତ ରତ୍ନ ସମ୍ମାନ ଲାଗି ବିଭିନ୍ନ ସମୟରେ ଓଡ଼ିଶାରୁ ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ମା’ରମାଦେବୀ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ଚନ୍ଦ୍ର ଶେଖର ବେହେରା, ପଣ୍ଡିତ ରଘୁନାଥ ମୁର୍ମୁ, ମୋହନ ନାଏକ, ନିର୍ମଳ ମୁଣ୍ଡା, ପ୍ରାଣକୃଷ୍ଣ ପରିଜା, ମନୋଜ ଦାସଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଦାବି ହେଉଛି । ଏହାଛଡ଼ା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଆଉ କେତେକ ଜୀବିତ ବ୍ୟକ୍ତିଙ୍କ ନାଁ ବି ଓଡ଼ିଶାରୁ ଭାରତ ରତ୍ନ ସମ୍ମାନ ପାଇଁ ଉଠିଛି ।

ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଦାବିପତ୍ରମାନ ଦିଆଯାଉଛି । ବହୁ କ୍ରୀଡ଼ାବିତ୍‍, ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଚେହେରା, ସାହିତ୍ୟିକ, ସମାଜସେବୀ, ରାଜନେତା, ବୈଜ୍ଞାନିକ ଆଦିଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନ ପ୍ରଦାନ କରାଯାଇଥିବାବେଳେ ଏହି କ୍ରମରେ ଅନେକ ରାଜ୍ୟର ଏକାଧିକ ବ୍ୟକ୍ତି ଏହି ସମ୍ମାନରେ ଭୂଷିତ ହୋଇସାରିଛନ୍ତି । କିନ୍ତୁ ଗତ ୭୨ବର୍ଷ ଭିତରେ କେନ୍ଦ୍ରରେ ସରକାର ଚଳାଉଥିବା କୌଣସି ଦଳ କିମ୍ବା ତା’ର ନେତୃତ୍ୱମାନେ ଓଡ଼ିଶାରୁ ଜଣେ ହେଲେ କାହାକୁ ଭାରତ ରତ୍ନ ସମ୍ମାନ ଦେଇପାରି ନାହାନ୍ତି ।

ଭାରତ ରତ୍ନ ଆମ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ । ଏଥିପାଇଁ କୌଣସି ଭାରତ ରତ୍ନ ବିଜେତାଙ୍କୁ ପୁରସ୍କାର ଆକାରରେ ଅର୍ଥ ପ୍ରଦାନ କରାଯାଏ ନାହିଁ । ଏହା କେବଳ ଏକ ଗୌରବାବହ ସମ୍ମାନ । କେଉଁ ମାପଦଣ୍ଡରେ ଓଡ଼ିଶାର ପ୍ରଥିତଯଶା ବ୍ୟକ୍ତିମାନେ ଭାରତର ରତ୍ନ ପାଇବାରୁ ବଞ୍ôଚତ ହେଉଛନ୍ତି ଏବଂ ଜଣେ ହେଲେ ଓଡ଼ିଆ ଲୋକଙ୍କୁ ଏଥିପାଇଁ କେନ୍ଦ୍ର ସରକାର ଯୋଗ୍ୟ ବିବେଚିତ କରିପାରୁ ନାହାନ୍ତି ସେଥିଘେନି ବିଭିନ୍ନ ମହଲରେ ବାରମ୍ବାର ଅସନ୍ତୋଷ ପ୍ରକାଶ ପାଇଥାଏ । ଏମିତିକି ବିଧାନସଭା ଭିତରେ ବି ଅନେକ ମାନ୍ୟବର ସଦସ୍ୟ ଏହି ପ୍ରସଂଗ ଉଠାଇ ଚାଲିଥିଲେ ବି ତାହାର କୌଣସି ପ୍ରଭାବ ପଡୁଥିବା ଭଳି ମନେ ହେଉନାହିଁ । ତେବେ ଆଗାମୀ ଦିଗରେ କେଉଁ ଓଡ଼ିଆ ପ୍ରଥମ ଭାରତ ରତ୍ନ ସମ୍ମାନ ପାଇବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।(ତଥ୍ୟ)