Home General ପିକକ୍ ପ୍ରସ୍ତୁତ ଚଳଚ୍ଚିତ୍ର ସମ୍ମାନିତ

ପିକକ୍ ପ୍ରସ୍ତୁତ ଚଳଚ୍ଚିତ୍ର ସମ୍ମାନିତ

ଭୁବନେଶ୍ୱର : “ଛୁଅଁନା … ନା ମାନେ ନା” ଏକ ଶିକ୍ଷାମୂଳକ କ୍ଷୁଦ୍ର ଚଳଚ୍ଚିତ୍ର, ଯାହାର ପ୍ରମୁଖ ଉଦ୍ଦେଶ୍ୟ ହେଲା “ଭଲ ସ୍ପର୍ଶ” ଓ “ଖରାପ ସ୍ପର୍ଶ” ବିରୋଧରେ ସଚେତନତା ସୃଷ୍ଟି କରିବା। ଏହି ଚଳଚ୍ଚିତ୍ରଟି ରାଜ୍ୟର ଅନ୍ୟତମ ପ୍ରମୁଖ ସ୍ଵେଚ୍ଛାସେବୀ ଆନୁଷ୍ଠାନ ପିପୁଲସ୍ କଲ୍ଚରାଲ୍ ସେଣ୍ଟର (ପିକକ୍) ଦ୍ୱାରା ପ୍ରସ୍ତୁତ ହୋଇଛି। ଏହାକୁ ସିନେ କଳାକାର, ପ୍ରଯୋଜକ ତଥା ନିର୍ଦ୍ଦେଶକ ଶ୍ରୀ ସୁଭ୍ରାଂଶୁ ରଞ୍ଜନ ନାୟକ ନିର୍ଦ୍ଦେଶନା ଦେଇଛନ୍ତି।

ଚଳଚ୍ଚିତ୍ରଟି ଏହି ବର୍ଷ ଦୁଇଟି ପ୍ରମୁଖ ମଞ୍ଚ, ୨୮ ଏପ୍ରିଲ୍ ରେ କୋଚିର ଏଲ୍.କେ. ଫିଲ୍ମ ଫେଷ୍ଟିଭାଲରେ ଏବଂ ୩୦ ଏପ୍ରିଲ୍ ରେ ନୂଆଦିଲ୍ଲୀର ୧୬ତମ ପ୍ରତିଷ୍ଠିତ ଦାଦା ସାହେବ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହୋଇଛି। ଉଭୟ ଉତ୍ସବରେ ଏହି ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇଥିଲା ଏବଂ ବିଶେଷ ପ୍ରଶଂସା ଲାଭ କରିଥିଲା। ଏଲ୍.କେ. ଫିଲ୍ମ ଫେଷ୍ଟିଭାଲରେ ଶ୍ରୀ ଅଭିଜିଥଲାଲ୍ ଏନ୍. ଏସ୍. ଏବଂ ଦାଦା ସାହେବ ଫିଲ୍ମ ଫେଷ୍ଟିଭାଲରେ ଶ୍ରୀ ଶିବାଂଶ ଦାଶ ପୁରସ୍କାର ଗ୍ରହଣ କରିଥିଲେ ।

ଏପରି ଶିକ୍ଷାମୂଳକ ଚଳଚ୍ଚିତ୍ର ସୃଷ୍ଟିର ମୂଳ ଉଦ୍ଦେଶ୍ୟ ବିଷୟରେ ପିକକ୍ ର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତି କହିଥିଲେ, “ସମସ୍ତ ପ୍ରକାର ହିଂସା ବିରୋଧରେ ଶିଶୁମାନଙ୍କୁ ସ୍ଵରଉତ୍ତୋଳନ କରିବା ପାଇଁ ସାହସ ଦେବା ଅତ୍ୟନ୍ତ ଆବଶ୍ୟକ। ଏହି ଚଳଚ୍ଚିତ୍ର ତାଙ୍କୁ ଅସୁରକ୍ଷିତ ପରିସ୍ଥିତିକୁ ଚିହ୍ନଟ କରିବା, ଆତ୍ମବିଶ୍ୱାସ ସହ ଏହାର ମୁକାବିଲା କରିବା ଏବଂ ଆବଶ୍ୟକ ସମୟରେ ସହାୟତା ନେବାକୁ ପ୍ରେରିତ କରେ । କୌଣସି ଶିଶୁ କେବେବି ନିରବରେ  ଯନ୍ତ୍ରଣା ସହିବା ଉଚିତ୍ ନୁହେଁ।”

ଏହି ଚଳଚ୍ଚିତ୍ରରେ ଦେଖାଯାଇଛି ଯେ, ଝିଅ ଓ ପୁଅ ଉଭୟ ଭରସା କରୁଥିବା ଲୋକଙ୍କ ଦ୍ୱାରା ନିର୍ଯାତନାର ସମ୍ମୁଖୀନ ହେବାର ସମ୍ଭାବନା ଥାଏ । ଶିଶୁମାନେ ଅସୁରକ୍ଷିତ ପରିସ୍ଥିର ସମ୍ମୁଖୀନ ହୋଇଥିଲେ ମଧ୍ୟ ଭୟ ଓ ଧମକ ଯୋଗୁଁ କାହାକୁ କିଛି କୁହନ୍ତି ନାହିଁ,   ଯାହା ତାଙ୍କ ମନରେ ଆତଙ୍କ ସୃଷ୍ଟି କରେ। ଏହି ଚଳଚ୍ଚିତ୍ର ସଚେତନତା ବଢ଼ାଇ ଶିଶୁମାନଙ୍କୁ କହିବା, ସହାୟତା ନେବା ଓ ନିଜକୁ ସୁରକ୍ଷିତ ରଖିବାକୁ ପ୍ରେରିତ କରେ।

ଏହି ଚଳଚ୍ଚିତ୍ର ଏକ ସୁକ୍ଷ୍ମ କିନ୍ତୁ ଶକ୍ତିଶାଳୀ ବାର୍ତ୍ତା ହେଲା ଶିଶୁମାନଙ୍କୁ ଅନ୍ୟାୟ ଓ ହିଂସା ବିରୋଧରେ ଦୃଢ଼ ଭାବରେ ନିଜର ସ୍ଵର ଉତ୍ତୋଳନ କରିବାପାଇଁ ପ୍ରେରଣା ଦିଏ। ସେହିପରି, ଏହା ଏକ ଭରସାଯୋଗ୍ୟ ବୟସ୍କଙ୍କ ସହାୟତା ନେବା କିମ୍ବା ଭରସାଯୋଗ୍ୟ ହେଲ୍ପଲାଇନ୍ ନମ୍ବରରେ ଅଭିଯୋଗ କରିବାର ଗୁରୁତ୍ୱକୁ ମଧ୍ୟ ଉଲ୍ଲେଖ କରେ।

Top of Form

Bottom of Form