Home News in Odia ଗୋଟିଏ ଦିନରେ ୭୧ଟି ଯାନ ଅଟକ

ଗୋଟିଏ ଦିନରେ ୭୧ଟି ଯାନ ଅଟକ

ଭୁବନେଶ୍ୱର : ସମସ୍ତ ସଡ଼କ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଲବାହୀ ଯାନରେ ବେଆଇନ ଯାତ୍ରୀ ପରିବହନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବିଶେଷ ଅଭିଯାନ ଜାରି ରହିଛି। ଏହି ଅଭିଯାନର ପ୍ରଥମ ଦିନରେ, ଅର୍ଥାତ ୨୯ ଏପ୍ରିଲ ୨୦୨୬ ରିଖରେ, ସାରା ରାଜ୍ୟରେ ମୋଟ ୧,୦୫୨ଟି ଯାନ ଯାଞ୍ଚ କରାଯାଇଥିବା ବେଳେ ୧୦୯ଟି ମାମଲାରେ ନିୟମ ଉଲ୍ଲଂଘନ ଚିହ୍ନଟ କରାଯାଇ ଚାଲାଣ ଜାରି କରାଯାଇଛି।

ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ସ୍ୱରୂପ ପ୍ରଥମ ଦିନରେ ହିଁ ୭୧ଟି ଯାନକୁ ଅଟକ ରଖାଯାଇଥିବା ବେଳେ ୨୪ଟି ଯାନକୁ ଜବତ କରାଯାଇଛି। ଏହାସହ ୭୯ଟି ଯାନର ପଞ୍ଜୀକରଣ ରଦ୍ଦ ପାଇଁ ନୋଟିସ୍ ଜାରି କରାଯାଇଥିବା ସହ ୬୨ଟି ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇଛି।

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅନୁସାରେ ଯାନ ଜବତ କ୍ଷେତ୍ରରେ ଭୁବନେଶ୍ୱର-୧ (୮ଟି) ସର୍ବାଧିକ ଥିବା ବେଳେ କୋରାପୁଟ ଓ ଭୁବନେଶ୍ୱର-୨ ପ୍ରତ୍ୟେକ ୪ଟି, ଚଣ୍ଡିଖୋଲ ଓ ରାଉରକେଲା ପ୍ରତ୍ୟେକ ୨ଟି, ଏବଂ କଟକ, ଯାଜପୁର, ରାୟରଙ୍ଗପୁର ଓ ସମ୍ବଲପୁର ପ୍ରତ୍ୟେକ ୧ଟି ଲେଖାଏଁ ଯାନ ଜବତ କରିଛନ୍ତି।

ଯାନ ଅଟକ କ୍ଷେତ୍ରରେ ବଲାଙ୍ଗୀର ଓ ଭୁବନେଶ୍ୱର-୧ ପ୍ରତ୍ୟେକ ୮ଟି, କୋରାପୁଟ ୭ଟି, ଗଞ୍ଜାମ ୫ଟି, ଅନୁଗୋଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର-୨ ପ୍ରତ୍ୟେକ ୪ଟି, ଢେଙ୍କାନାଳ, ଭଞ୍ଜନଗର, କଟକ, କଳାହାଣ୍ଡି ଓ ସୋନପୁର ପ୍ରତ୍ୟେକ ୩ଟି, ନୂଆପଡ଼ା, ରାଉରକେଲା ଓ ଚଣ୍ଡିଖୋଲ ପ୍ରତ୍ୟେକ ୨ଟି, ଏବଂ ତାଳଚେର, ଯାଜପୁର, ମାଲକାନଗିରି, ରାୟରଙ୍ଗପୁର, ପୁରୀ ଓ ସୁନ୍ଦରଗଡ଼ ପ୍ରତ୍ୟେକ ୧ଟି ଲେଖାଏଁ ଯାନ ଅଟକ ରଖିଛନ୍ତି।

ଏହି ରାଜ୍ୟବ୍ୟାପୀ ଅଭିଯାନରେ ବଲାଙ୍ଗୀର, କଟକ, ଭୁବନେଶ୍ୱର-୧ ଓ କୋରାପୁଟ ଆଦି ଅଞ୍ଚଳରେ ଉଲ୍ଲେଖନୀୟ ସଂଖ୍ୟାରେ ନିୟମ ଉଲ୍ଲଂଘନ ଚିହ୍ନଟ ହୋଇଛି।

ରାଜ୍ୟ ପରିବହନ ପ୍ରାଧିକରଣ ସ୍ପଷ୍ଟ କରିଛି ଯେ ମାଲବାହୀ ଯାନରେ ଯାତ୍ରୀ ପରିବହନ କରିବା ଏକ ଦଣ୍ଡନୀୟ ଅପରାଧ ଓ ଏହା ସାଧାରଣ ଜନସାଧାରଣଙ୍କ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି କରେ। ସଚେତନତା ସୃଷ୍ଟି ସହ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଏହି ବିଶେଷ ଅଭିଯାନ ୮ ମଇ ୨୦୨୬ ପର୍ଯ୍ୟନ୍ତ ଜାରି ରହିବ।

ସମସ୍ତ ଗାଡ଼ି ମାଲିକ ଓ ଚାଳକମାନଙ୍କୁ ମୋଟର ଯାନ ଆଇନ୍ କଠୋରତାର ସହ ପାଳନ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସତର୍କ କରାଯାଇଛି।