ଭୁବନେଶ୍ୱର : ବିଭିନ୍ନ ରାଜସ୍ୱ ଅଦାଲତରେ ପଡ଼ି ରହିଥିବା ମାମଲାଗୁଡ଼ିକର ତ୍ୱରିତ ଫଇସଲା ଲାଗି ରାଜ୍ୟ ସରକାର ବିଶେଷ ଗୁରୁତ୍ୱାରୋପ କରୁଛନ୍ତି । ଏ ସଂକ୍ରାନ୍ତରେ ରାଜସ୍ୱ ପାର୍ଷଦ ସଦସ୍ୟ ଓ ରାଜସ୍ୱ ବିଭାଗ ବାରମ୍ବାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ନିକଟରେ ରାଜସ୍ୱ ପାର୍ଷଦ ସଦସ୍ୟ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ରାଜସ୍ୱ ପାର୍ଷଦ କ୍ଷେତ୍ର ଅଦାଲତଗୁଡ଼ିକରେ ଗଡୁଥିବା ମାମଲାଗୁଡ଼ିକର ତୁରନ୍ତ ଫଇସଲା ହେବା ଦରକାର । ଶ୍ରୀ ସାହୁଙ୍କର ଏହି ନିର୍ଦ୍ଦେଶନାମା ମିଳିବା ପରେ ବିଭାଗୀୟ ଅଦାଲତଗୁଡ଼ିକ ବେଶ୍ ତତ୍ପର ହୋଇ ଉଠିଛନ୍ତି ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଭିନ୍ନ ଜିଲ୍ଲା ଗସ୍ତ କରି କିଭଳି ତହସିଲଠାରୁ ଆରଡିସିଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ପଡ଼ିଥିବା ଜମିଜମା ସଂକ୍ରାନ୍ତୀୟ ମାମଲାଗୁଡ଼ିକର ତ୍ୱରିତ ଫଇସଲା ହୋଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ ତହସିଲ, ଉପଜିଲ୍ଲାପାଳ, ଅତିରିକ୍ତ ଉପଜିଲ୍ଲାପାଳ, ଜିଲ୍ଲାପାଳ ଆଦିଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ବାରମ୍ବାର ସୂଚିତ କରାଯାଉଛି ।
ରାଜସ୍ୱ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେଉଁ କ୍ଷେତ୍ର ଅଧିକାରୀମାନେ ଜମିଜମା ସଂକ୍ରାନ୍ତୀୟ ମାମଲା ଫଇସଲା କରିବାରେ ବିଳମ୍ବ କରିଥିବା ଜଣାପଡିବ ସେମାନଙ୍କ ବିରୋଧରେ ଆବଶ୍ୟକସ୍ଥଳେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପଦୋନ୍ନତିକୁ ଅଟକାଯିବ । କ୍ଷେତ୍ର ଦପ୍ତରଗୁଡ଼ିକରେ ଜମିଜମା ସଂକ୍ରାନ୍ତୀୟ ମାମଲା ଗଡୁଥିବାରୁ ଗାଁ ଗାଁରେ ଅସନ୍ତୋଷ ବଢ଼ିବା ସଂଗେ ସଂଗେ ଲୋକେ ଏହାର ସମାଧାନ ଲାଗି ବାରମ୍ବାର ଦୌଡ଼ି ବହୁ ସମୟ, ଶକ୍ତି ଓ ସମ୍ବଳ ଅପଚୟ କରୁଛନ୍ତି । କେବଳ ସେତିକି ନୁହେଁ, ଏହି ଜମିଜମା ବିବାଦ ପରବର୍ତ୍ତୀ ସମୟରେ ହିଂସାତ୍ମକ ରୂପ ନେବାରୁ ଅପରାଧିକ ମାମଲା ମଧ୍ୟ ବଢ଼ୁଛି ।
ବହୁ କ୍ଷେତ୍ରରେ ଜମିଜମା ସଂକ୍ରାନ୍ତୀୟ ବିବାଦର ଫଇସଲା ଲାଗି ଓଡ଼ିଶା ହାଇକୋର୍ଟ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ ବି ତାହାର ସମୟ ଭିତ୍ତିକ ଅନୁପାଳନ କରାଯାଉନଥିବା ଘେନି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଛି । ଏମିତିକି ଖୋଦ୍ ମୁଖ୍ୟମନ୍ତ୍ରୀ ପାଠ ପଢ଼ିଥିବା ଆନନ୍ଦପୁର କଲେଜ୍ର ଜଣେ ଅବସରପ୍ରାପ୍ତ ଅଧ୍ୟାପକ ନିଜ ସାତ ପୁରୁଷର ଭିଟାମାଟିର ସୁରକ୍ଷା ଲାଗି ପ୍ରାୟ ୨୦ବର୍ଷ ଧରି ଦପ୍ତରରୁ ଦପ୍ତର ଦୌଡୁଥିବା ଘେନି ଅଭିଯୋଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଛି । ଏ ସଂକ୍ରାନ୍ତରେ ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ବି ତହସିଲ ସ୍ତରରେ ସମାଧାନ କରାନଯାଇ ବର୍ଷବର୍ଷ ଧରି ଗଡ଼ାଯାଉଛି ଏବଂ ଜଣକ ପରେ ଜଣେ ତହସିଲଦାର ବଦଳି ହୋଇଯାଉଥିବାବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇପାରୁ ନାହିଁ ।
କେବଳ ଆନନ୍ଦପୁରରେ ନୁହେଁ, ରାଜ୍ୟର ବହୁ ସ୍ଥାନରୁ ଅନୁରୂପ ଅଭିଯୋଗମାନ ଆସୁଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଯେଉଁ ଅଧିକାରୀମାନେ ସୀମିତ ସମୟ ମଧ୍ୟରେ ଅନୁପାଳନ କରି ଜମିଜମା ବିବାଦର ଫଇସଲା କରୁନାହାନ୍ତି ସେମାନଙ୍କୁ ଉତ୍ତରଦାୟୀ ରଖାଯିବା ସହିତ ବିଭାଗୀୟ କର୍ତ୍ତୃପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚିନ୍ତା କରୁଥିବା କୁହାଯାଉଛି ।
ଜମି କିଣାବିକା ପରେ ଏହାର ଦାଖଲ ଖାରଜ ଛାଏଁ ଛାଏଁ କ୍ଷେତ୍ର କର୍ତ୍ତୃପକ୍ଷ କରି କ୍ରେତାଙ୍କୁ ପଟା ଦେବାର ଆଇନ୍ଗତ ବ୍ୟବସ୍ଥା ରହିଛି । ଏହା ସତ୍ତ୍ୱେ ବି ଜମି କିଣୁଥିବା ଲୋକେ ପୁଣିଥରେ ଦାଖଲ ଖାରଜ ମାମଲା ରୁଜୁ କରିବାକୁ ବାଧ୍ୟ ହେଉଛନ୍ତି । ସେହିଭଳି ଭାଇ ଭାଗ ବଣ୍ଟା ଏବଂ ଜମି ମାପ ସଂକ୍ରାନ୍ତରେ ତହସିଲକୁ ବାରମ୍ବାର ଦୌଡ଼ି ଦୌଡ଼ି ଲୋକେ ଧୈର୍ଯ୍ୟ ହରାଉଥିବା ଦୃଷ୍ଟିରୁ ପ୍ରଶାସନିକ ବ୍ୟବସ୍ଥା ଉପରୁ ଭରସା କମୁଛି । ଏସବୁ ସମସ୍ୟାକୁ ଆଖି ଆଗରେ ରଖି ତହସିଲ ସ୍ତରରେ ଯେପରି ଜମିଜମା ସମସ୍ୟାର ତ୍ୱରିତ ଫଇସଲା ହୁଏ ଏବଂ ଯେଉଁ କ୍ଷେତ୍ରରେ ହାଇକୋର୍ଟ କିମ୍ବା ଅନ୍ୟ ଅଦାଲତଙ୍କର ନିର୍ଦ୍ଦେଶନାମା ରହିଛି ତାହାର ଅନୁପାଳନ ଉପରେ ଠିକଣା ସମୟ ମଧ୍ୟରେ କରାଯାଇପାରିବ ତାହା ଏବେ ବିଭାଗୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । (ତଥ୍ୟ)

