Home General ଅବହେଳିତ ମଧୁ ବାବୁଙ୍କ ଘର

ଅବହେଳିତ ମଧୁ ବାବୁଙ୍କ ଘର

କଟକ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିବସ ଅବସରରେ ତାଙ୍କ ଜନ୍ମମାଟି ସତ୍ୟଭାମାପୁର ଉତ୍ସବ ମୁଖର ହୋଇପଡିଥିବାବେଳେ ସେଠାରେ ଥିବା ମଧୁବାବୁଙ୍କ ଏନ୍ତୁଡିଶାଳ, ତାଙ୍କ ପରିବାରର ପ୍ରସିଦ୍ଧ ରାସକୁଣ୍ଡ ପୋଖରୀ ଓ ଐତିହ୍ୟ ସମ୍ପନ୍ନ ପ୍ରାଚୀନ କୋଠାର ଦୁରବସ୍ଥା ଦେଖି ମଧୁପ୍ରେମୀମାନେ କିନ୍ତୁ ଗଭୀର ଉଦବେଗପ୍ରକାଶ କରିଛନ୍ତି ।

ଯେଉଁ ଚାଳଛପର ମାଟିଘରେ ମଧୁବାବୁଙ୍କ ଜନ୍ମ ହୋଇଥିଲା ତାହାକୁ ମଧୁସ୍ମୃତି ଓ କସ୍ତୁରବାଗାନ୍ଧୀ ଜାତୀୟ ମେମୋରିଆଲ ଟ୍ରଷ୍ଟ ସଂରକ୍ଷିତ କରି ରଖିଆସିଛି । ରାଜ୍ୟ ସରକାର ଏବେ ମଧୁବାବୁଙ୍କ ଜନ୍ମପୀଠର ବିକାଶ ପାଇଁ ୨୩କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବାବେଳେ ଏହି ଏନ୍ତୁଡିଶାଳ ଘରର ରକ୍ଷଣା ବେକ୍ଷଣ ତାଙ୍କର ଦାୟିତ୍ୱ ବୋଲି ବିଭାଗୀୟ ଅଧିକାରୀମାନେ ନିଜ ମୁଣ୍ଡକୁ ନେଇ କିନ୍ତୁ ମାସ ମାସ ଧରି ଏହି ଘରଟିକୁ ଆଉ ଛପର କରୁନାହାନ୍ତି କିମ୍ବା ମଧୁସ୍ମୃତି ଅଥବା ଟ୍ରଷ୍ଟକୁ ଛପର କରାଇବାକୁ ଦେଉନାହାନ୍ତି । ଫଳରେ ଏହି ନଡା ଛପର ଘର ଅତି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ସେହିଭଳି ସେଠାରେ ଥିବା ପବିତ୍ର ରାସକୁଣ୍ଡ ପୋଖରୀରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଲୋକେ ଗୁଟ୍‍ଖା, ପଲିଥିନ୍‍ ଓ ଅନ୍ୟାନ୍ୟ ସାମଗ୍ରୀ ଫିଙ୍ଗି ଅତି କଦର୍ଯ୍ୟ ଅବସ୍ଥାରେ ରଖିଛନ୍ତି । କାଚକେନ୍ଦୁ ପାଣି ଭଳି ଥିବା ରାସକୁଣ୍ଡ ପୋଖରୀରେ ଗୋଡ ଧୋଇବାକୁ ବି ଲୋକେ ପସନ୍ଦ କରୁନାହାନ୍ତି ।

ସେହିଭଳି ପୁରୁଣା ଘରର ଯେଉଁ ଛାତ ଉପରେ ଜାତିର ଜନକ ମହାତ୍ମା ଗାନ୍ଧୀ ପଦଯାତ୍ରା କାଳରେ ରାତ୍ରୀଯାପନ ସହ ଦୁଇ ଦୁଇଥର ପ୍ରାର୍ଥନା କରିଥିଲେ ସେଠାରେ ପୂର୍ବରୁ ବସାଯାଇଥିବା ସ୍ମୃତିଫଳକ ବି ପରିତ୍ୟକ୍ତ ଅବସ୍ଥାରେ ପଡିଛି । ଏହା ପୂର୍ବରୁ ଉତ୍କଳ ଦିବସ ପାଳନବେଳେ ମଧୁସ୍ମୃତି ପୀଠର ଦୁରବସ୍ଥା ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲା ଏବଂ ଏପ୍ରିଲ୍‍ ୨୮ ଜନ୍ମଦିନ ପୂର୍ବରୁ ସବୁ ଠିକଠାକ୍‍ ହୋଇଯିବ ବୋଲି କୁହାଯାଇଥିଲେ ମଧ୍ୟ ଏବେ ଅବସ୍ଥା ସୁଧୁରିବା ପରିବର୍ତ୍ତେ ବିଗିଡିଛି ବୋଲି ଅନେକ ଗ୍ରାମବାସୀଙ୍କ ସମେତ ଏହି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଆସିଥିବା ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତି ଖୋଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଆଜି ଦିନ ତମାମ ସତ୍ୟଭାମାପୁରକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମଧୁପ୍ରେମୀମାନଙ୍କ ସୁଅ ଛୁଟିବାରେ ସେଠାରେ ଶହ ଶହ ମୋଟରଯାନ ଦେଖିବାକୁ ମିଳିଥିଲା । କଂଗ୍ରେସ, ବିଜେଡି, ବିଜେପି, ବାମପନ୍ଥୀଙ୍କ ସମେତ ବିଭିନ୍ନ ରାଜନୈତିକଦଳର ନେତାମାନେ ପଟୁଆରରେ ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧା ନିବେଦନ କରିଥିଲେ । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମଧୁବାବୁଙ୍କ ପବିତ୍ର ପୀଠରୁ ଆଜି ଓଡିଶା ଯାତ୍ରା ଆରମ୍ଭ ହୋଇଛି । ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ଏକାଧିକ ସଭା ମଧ୍ୟ ଅନୁଷ୍ଠିତ ହୋଇଛି । ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପାଗାର ମଧୁ ବଜାର, ସତ୍ୟଭାମାପୁରର ପ୍ରବେଶ ପଥ, ମଧୁ କୋଠି ଆଦି ନିକଟରେ ତୋରଣମାନ କରାଯାଇଥିଲା ।

ଏହି ଅବସରରେ ସତ୍ୟଭାମାପୁରର ମଧୁସ୍ମୃତି କମିଟି ପକ୍ଷରୁ ସଭାପତି ଗୋପାଳକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ସହିତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସଭାରେ ଟ୍ରଷ୍ଟ ସହ ପ୍ରାୟ ୪୦ବର୍ଷ ଧରି ଜଡିତ ଥିବା ଗାନ୍ଧୀ ବିଚାର ଚିନ୍ତକ ପ୍ରହଲ୍ଲାଦ ସିଂହ, ସର୍ବୋଦୟ ସଂଗଠନର ମିହିର ପ୍ରତାପ ଦାସ, ଅଧ୍ୟାପିକା ଡକ୍ଟର ବାସନ୍ତି ମହାନ୍ତି, ଟ୍ରଷ୍ଟ ପକ୍ଷରୁ ଗାୟତ୍ରୀ ଦାସ, ନିରୂପମା ସାମଲ, ସଂଧ୍ୟାରାଣୀ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । (ତଥ୍ୟ)