ଭୁବନେଶ୍ୱର : ସିବିଏସ୍ଇର ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଏବେ ଘରୋଇ ଶିକ୍ଷାନୁଷ୍ଠାନ ମୁହାଁ ହୋଇଛନ୍ତି । ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବିଳମ୍ବ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।
ସିବିଏସ୍ଇ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଏପ୍ରିଲ୍ ୧୬ ତାରିଖରେ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଏବେ ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇବାକୁ ବ୍ୟସ୍ତ । ତେବେ ଯେଉଁମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ପଢିବାରୁ ବଞ୍ଚିତ ହୋଇଛନ୍ତି ସେମାନେ ଏବେ ଘରୋଇ ଶିକ୍ଷାନୁଷ୍ଠାନ ମୁହାଁ ହୋଇଛନ୍ତି ।
ସିବିଏସ୍ଇ ବୋର୍ଡର ଯେଉଁସବୁ ଶିକ୍ଷାନୁଷ୍ଠାରେ ଯୁକ୍ତ ଦୁଇ ବା ଏକାଦଶ ଶ୍ରେଣୀ ପାଠ୍ୟକ୍ରମ ରହିଛି ସେଠାରେ ନିର୍ଦ୍ଦିଷ୍ଟ ସଂଖ୍ୟାର ଆସନ ରହିଛି । ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇବା ସମ୍ଭବପର ହେଉନାହିଁ । ଏହାଛଡା ଏହିସବୁ ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀରେ କିଛି ଛାତ୍ରଛାତ୍ରୀ ଫେଲ୍ ହୋଇଥିବାରୁ ସେମାନେ ମଧ୍ୟ ପୁଣିଥରେ ଏକାଦଶ ଶ୍ରେଣୀରେ ପଢିବାକୁ ଥିବାରୁ ଅଧିକ ସଂଖ୍ୟାରେ ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କର ନାମଲେଖା ହୋଇପାରୁ ନାହିଁ ।
ଅନ୍ୟ ପକ୍ଷରେ ମାଧ୍ୟମିକ ଶିକ୍ଷା ବୋର୍ଡର ମାଟ୍ରିକ ଫଳାଫଳ ମଇ ଦ୍ୱିତୀୟ ସପ୍ତାହରେ ପ୍ରକାଶ ହେବାନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଦୁଇ ବୋର୍ଡ ମଧ୍ୟରେ ଫଳ ପ୍ରକାଶ ପାଇବା ନେଇ ପ୍ରାୟ ଏକ ମାସ ବ୍ୟବଧାନ ରହୁଛି । ତେଣୁ ଯେଉଁ ଛାତ୍ରଛାତ୍ରୀମାନେ ସିବିଏସଇ ବୋର୍ଡରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ନମ୍ବର ଆଧାରରେ ହେଉ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ନିଜ ନିଜ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରୁନାହାନ୍ତି ସେମାନେ ଏବେ ରାଜଧାନୀର ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ମୁହାଁ ହୋଇଛନ୍ତି ।
ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ନିଜ ନିଜ ଛାତ୍ରଛାତ୍ରୀଙ୍କ ନାମଲେଖା ସିବିଏସ୍ଇର ଦଶମ ଫଳ ପ୍ରକାଶନ ପୂର୍ବରୁ ସାରିଥିବାବେଳେ ଆଉ କେତେକ ସିଟ୍ ଖାଲି ରଖିଛନ୍ତି । ଏହିସବୁ ଆସନରେ ଏବେ ଅନ୍ୟ ବିଦ୍ୟାଳୟ ବିଶେଷକରି ସିବିଏସଇର ଛାତ୍ରଛାତ୍ରୀମାନଙ୍କ ନାମ ଲେଖାଯାଉଛି । ଅବଶ୍ୟ ଏଥିପାଇଁ ବିଦ୍ୟାଳୟଗୁଡିକ ଭିନ୍ନ ଭିନ୍ନ ପରିମାଣର ଅର୍ଥ ଦାବି କରୁଛନ୍ତି । ଅଭିଭାବକମାନେ ନିଜ ନିଜ ପିଲାଙ୍କ ନାମଲେଖା ପାଇଁ ହଡଳ ବିକଳ ହେଉଥିବାରୁ ଯେଉଁ ବିଦ୍ୟାଳୟ ଯେତିକି ଅର୍ଥ ଦାବି କରୁଛନ୍ତି ତାହା ଦେବାକୁ ବାଧ୍ୟ ହେଉଛନ୍ତି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ଫଳ ପ୍ରକାଶନରେ ବିଳମ୍ବ ହେଉଥିବାରୁ ଓ ଘରୋଇ ବିଦ୍ୟାଳୟରେ ନାମ ଲେଖା ଜାରିରହିଥିବାରୁ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ଘରୋଇ ବିଦ୍ୟାଳୟରେ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଲାଗି ବାଟ ଏକ ପ୍ରକାର ବନ୍ଦହୋଇ ଯାଇଛି । ସେମାନେ ଅଧିକ ନମ୍ବର ରଖିଥିଲେ ମଧ୍ୟ ସେମାନଙ୍କୁ ଏହି ସୁଯୋଗ ମିଳିବନାହିଁ । ଯେଉଁମାନଙ୍କୁ ସୁଯୋଗ ମିଳିବ ସେମାନେ ବିଦ୍ୟାଳୟର ଦାବି ଅନୁଯାୟୀ ଅର୍ଥ ପଇଠ କରିବାକୁ ବାଧ୍ୟ ହେବା ଏକ ପ୍ରକାର ନିଶ୍ଚିତ । (ତଥ୍ୟ)

