Home General ଆଖୁରସ, ସରବତର ଯାଞ୍ଚ ଜରୁରୀ

ଆଖୁରସ, ସରବତର ଯାଞ୍ଚ ଜରୁରୀ

ଭୁବନେଶ୍ୱର : ଖରାଦିନେ ବଜାରରେ ବିକ୍ରି ହେଉଥିବା ଆଖୁରସ ସହିତ ଅନ୍ୟାନ୍ୟ ଲସି ଓ ସରବତର ମାନ ପରୀକ୍ଷା ଜରୁରୀ ହୋଇପଡିଛି । ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ନଦେଲେ ପେଟରୋଗ ବ୍ୟାପକ ହେବାର ସମ୍ଭାବନା ଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ଗ୍ରୀଷ୍ମଋତୁରେ ସହରାଞ୍ଚଳ ବିଶେଷକରି ରାଜଧାନୀରେ ବିଭିନ୍ନ ସ୍ଥାନରେ ଆଖୁରସ ବ୍ୟବସାୟ ଜୋରସୋରରେ ହୋଇଥାଏ । ବିଭିନ୍ନ ସ୍ଥାନରେ ଆଖୁପେଡା ମେସିନ ବସାଇ ଲୋକେ ଆଣିଥିବା ଆଖୁରୁ ରସ ବାହାରକରି ବିକ୍ରି କରିଥାନ୍ତି । ହେଲେ ଏହି ଆଖୁଗୁଡିକୁ ଗୋଟିଏ ଦିନ ପୂର୍ବରୁ ବିଭିନ୍ନ ଜଳାଶୟ, ନଦୀ, ନାଳ ଆଦିରେ ବୁଡାଇ ରଖାଯାଏ । ଫଳରେ ଏଥିରୁ ଅଧିକ ପରିମାଣ ରସ ବାହାରିଥାଏ । ବର୍ତ୍ତମାନ ରାଜଧାନୀ ଓ ଏହାର ଆଖପାଖରେ ଥିବା ଜଳାଶୟଗୁଡିକ ପ୍ରଦୂଷିତ ହୋଇଥିବା ଖୋଦ ପ୍ରଦୂଷଣ ବୋର୍ଡ ସୂଚାଉଛନ୍ତି । କୁଆଖାଇ ଠାରୁ ଦୟା, ଗଙ୍ଗୁଆ ଠାରୁ ଭାର୍ଗବୀ ପର୍ଯ୍ୟନ୍ତ ବିଭିନ୍ନ ଉତ୍ସର ଜଳ ପାନୀୟ ଉପଯୋଗୀ ନୁହେଁ । ଏହି ଜଳ ମାରାତ୍ମକ ଜୀବାଣୁ ରହିଛନ୍ତି ।

ତେବେ ସହର ଉପକଣ୍ଠରୁ ଆସୁଥିବା ଆଖୁରସ ବ୍ୟବସାୟୀମାନେ ହିଁ ଏହିସବୁ ଜଳଉତ୍ସରେ ସେମାନଙ୍କ ଆଖୁକୁ ରାତିସାରା ବୁଡାଇ ରଖିଥାନ୍ତି । ପରେ ତାହାକୁ ଆଣି ସିଧାସଳଖ ରସ ବାହାରକରି ଲୋକଙ୍କୁ ଦେଇଥାନ୍ତି । ରାତିସାରା ପାଣିରେ ବୁଡି ରହିବା ଫଳରେ ଆଖୁରୁ ଦୁଇ ତିନିଗୁଣ ଅଧିକ ରସ ବାହାରିଥାଏ । ଏଥିରେ ଲେମ୍ବୁ, ଅଦା ଓ ବରଫ ମିଶାଉଥିବାରୁ ଲୋକେ ସହଜରେ ଆଖୁରସର ମାନ ଜାଣିପାରି ନଥାନ୍ତି । ତେବେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ କେବେ ବି ଆଖୁରସର ମାନ ଯାଞ୍ଚ ହୋଇନଥାଏ । ଫଳରେ ଦୂଷିତ ଜଳ ମିଶା ଆଖୁରସକୁ ସହରବାସୀ ପିଇଥାନ୍ତି ।

କେବଳ ସେତିକି ନୁହେଁ, ସହରର ବିଭିନ୍ନ ସ୍ଥାନରେ ଖରାଦିନେ ଲସି, ସରବତ, ଫଳରସ ଆଦିର ପସରା ଖୋଲିଛି । ହେଲେ ଏହି ବ୍ୟବସାୟୀମାନେ କେଉଁ କିସମର ସାମଗ୍ରୀ ବ୍ୟବହାର କରୁଛନ୍ତି ତାହାର ଯାଞ୍ଚ ହୋଇନଥାଏ । ଅନେକ ସ୍ଥାନରେ ଲୋକେ ଏହାକୁ ଆଗ୍ରହର ସହିତ ସେବନ କଲାପରେ ବିଭିନ୍ନ ପ୍ରକାର ପେଟରୋଗର ଶିକାର ହେଉଛନ୍ତି । ଏହି ବ୍ୟବସାୟୀମାନେ କେଉଁ ମାନର ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ବିଶେଷକରି ଦହି ଓ ପାଣି ତାହାର ମାନ କ୍ୱଚିତ୍‍ ଯାଞ୍ଚ ହୋଇଥାଏ ।

ରାଜଧାନୀରେ ଏବେ ଉଠା ବ୍ୟବସାୟୀଙ୍କ ସଂଖ୍ୟା ହୁ ହୁ ହୋଇ ପଢୁଥିବାବେଳେ ଏମାନଙ୍କ ମଧ୍ୟରେ ଚଟ୍‍ପଟି ଖାଦ୍ୟ ଦୋକାନର ସଂଖ୍ୟା ସର୍ବାଧିକ ରହିଛି । ରାସ୍ତାକଡରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ ପାଇଁ ସହରରେ ଆବଶ୍ୟକ ଖାଦ୍ୟ ସୁରକ୍ଷା ଅଧିକାରୀ ନଥିବାବେଳେ ଯେଉଁମାନେ ବି ରହିଛନ୍ତି ସେମାନେ ଖରାଦିନେ ବିକ୍ରି ହେଉଥିବା ଏହି ପାନୀୟ ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । (ତଥ୍ୟ)