ଭୁବନେଶ୍ୱର : ରାଜ୍ୟରେ ମାଂସ କୁକୁଡା (ବ୍ରଏଲର) ଫାର୍ମ କରିପାଇଁ ଯେଭଳି ଆଗ୍ରହ ପ୍ରକାଶ ପାଉଛି ଅଣ୍ଡାଦିଆ କୁକୁଡା (ଲେୟାର) ଫାର୍ମ ପାଇଁ ସେଭଳି ଆଗ୍ରହ ପରିଲକ୍ଷିତ ହେଉନାହିଁ । ଯେଉଁଥିପାଇଁ ରାଜ୍ୟର ଚାହିଦା ମୁତାବକ ଅଣ୍ଡା ଉତ୍ପାଦନ ହୋଇପାରୁନାହିଁ ଏବଂ ଅଣ୍ଡା ପାଇଁ ଓଡିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେଉଛି ।
ଗତ ଆର୍ଥିକ ବର୍ଷରେ ରାଜ୍ୟରେ କୁକୁଡା ଚାଷ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ୫୩୫୨ଟି ବ୍ରଏଲର ଫାର୍ମ ପ୍ରତିଷ୍ଠା ହୋଇଥିବାବେଳେ ମାତ୍ର ୩୦୦ଟି ଲେୟାର ଫାର୍ମ ପ୍ରତିଷ୍ଠା ହୋଇଛି । ବ୍ରଏଲର ଫାର୍ମ ମଧ୍ୟରେ ସବୁଠାରୁ ଅଧିକ ୩୭୮ଟି ଫାର୍ମ ମୟୁରଭଞ୍ଜରେ ହୋଇଥିବାବେଳେ ସବୁଠାରୁ କମ୍ ମାତ୍ର ୬୧ଟି ଫାର୍ମ ବୌଦ୍ଧ ଜିଲ୍ଲାରେ ସ୍ଥାପନ ହୋଇଛି । ଗଞ୍ଜାମ ଜିଲ୍ଲାରେ ୩୫୪ଟି ବ୍ରଏଲର ଫାର୍ମ ପ୍ରତିଷ୍ଠା ହୋଇଥିବାବେଳେ କଟକ ଜିଲ୍ଲାରେ ୨୮୬, ବଲାଙ୍ଗିରରେ ୨୬୩, ପୁରୀରେ ୨୪୧ଟି ଫାର୍ମ ହୋଇଛି । ତେବେ ଲେୟାର ଫାର୍ମ କ୍ଷେତ୍ରରେ ଗଞ୍ଜାମ ୨୩ଟି ଫାର୍ମ ସହିତ ସବୁଠାରୁ ଆଗରେ ଥିବାବେଳେ କେନ୍ଦୁଝରରେ ୨୧, ଅନୁଗୁଳ ଓ ପୁରୀରେ ୧୭ଟି କରି ଲେୟାର ଫାର୍ମ ରହିଛି । ବୌଦ୍ଧ ଜିଲ୍ଲାରେ ୨ଟି ଲେୟାର ଫାର୍ମ ପ୍ରତିଷ୍ଠା ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ୩ଟି ଫାର୍ମ ହୋଇଛି ।
ବ୍ରଏଲର ଉତ୍ପାଦନ କ୍ଷେତ୍ରରେ ଓଡିଶା ଆତ୍ମ ନିର୍ଭର ହେବା ସହିତ ପଡୋଶୀ ପଶ୍ଚିମବଙ୍ଗକୁ ଦୈନିକ ଟ୍ରକ ଟ୍ରକ କୁକୁଡା ରପ୍ତାନି କରୁଛି । ହେଲେ ଅଣ୍ଡା ଉତ୍ପାଦନରେ ଓଡିଶା ପଛରେ ପଡିଛି । ଅବସ୍ଥା ଏଭଳି ହୋଇଛି ଯେ ପଡୋଶୀ ରାଜ୍ୟର ଅଣ୍ଡା ନଆସିଲେ ମଧ୍ୟାହ୍ନଭୋଜନରେ ପିଲାଙ୍କୁ ଅଣ୍ଡାଟିଏ ଦେବା ସହଜ ହେଉନାହିଁ । ସେହିଭଳି ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଚାହିଁଲେ ଓଡିଶାରେ ଅଣ୍ଡା ଦର ଉପର ତଳ ହେଉଛି ।
ବ୍ରଏଲର, ଲେୟାର ଭଳି ସରକାର ମଧ୍ୟ ବତକ ଚାଷ ପାଇଁ ସବସିଡ୍ ପ୍ରଦାନ କରୁଛନ୍ତି । ହେଲେ ଲେୟାର ଫାର୍ମ ଭଳି ବତକ ଫାର୍ମ ପ୍ରତିଷ୍ଠା ପାଇଁ ମଧ୍ୟ ଚାଷୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଗତ ଆର୍ଥିକ ବର୍ଷରେ ରାଜ୍ୟରେ ମାତ୍ର ୨୧୯ଟି ବତକ ଫାର୍ମ ପ୍ରତିଷ୍ଠା ହୋଇଛି । ଦେବଗଡ ଜିଲ୍ଲାରେ ମାତ୍ର ଗୋଟିଏ ଫାର୍ମ ପ୍ରତିଷ୍ଠା ହୋଇଥିବାବେଳେ କୌଣସି ଜିଲ୍ଲାରେ ଏହି ସଂଖ୍ୟା ୨୦ରେ ପହଞ୍ଚି ପାରିନାହିଁ । ଉଲ୍ଲେଖନୀୟ ଯେ ରାଜ୍ୟରେ କୁକୁଡା ଓ ବତକ ଚାଷ ସହିତ ଦାନା କାରଖାନା ସ୍ଥାପନ ପାଇଁ ରାଜ୍ୟ ସରକାର ୨୦୨୫-୨୬ରେ ୨୨୨ କୋଟି ଟଙ୍କାରୁ ଅଧିକ ସବସିଡ୍ ପ୍ରଦାନ କରିଛନ୍ତି ।
ସବସିଡ୍ ବ୍ୟବସ୍ଥା ସତ୍ୱେ ରାଜ୍ୟରେ ଦାନା କାରଖାନା ସ୍ଥାପନ ପାଇଁ ଉଦ୍ୟୋଗୀମାନେ ସେଭଳି ଆଗ୍ରହ ଦେଖାଉ ନାହାନ୍ତି । ରାଜ୍ୟରେ କୁକୁଡା, ଗୋପାଳନ, ଛେଳି ଓ ମେଣ୍ଢା ଫାର୍ମ ଆଦି ସରକାରଙ୍କ ପ୍ରୋତ୍ସାହନରେ ପ୍ରତିଷ୍ଠା ହେଉଥିବାବେଳେ ଏମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟର ସିଂହଭାଗ ଅନ୍ୟ ରାଜ୍ୟରୁ ଆମଦାନୀ କରିବାକୁ ପଡୁଛି । ଏ ସଂକ୍ରାନ୍ତରେ ଜଣାଯାଇଛି ଯେ ରାଜ୍ୟ ସରକାର ଦାନା ପ୍ରସ୍ତୁତିରେ ବ୍ୟବହାର ହେଉଥିବା କଞ୍ଚାମାଲ ସୋୟା ଉପରେ ସବସିଡ୍ ପ୍ରଦାନ କରୁନଥିବାରୁ ଏହାର ଫାଇଦା ଅନ୍ୟ ରାଜ୍ୟର ଦାନା ବ୍ୟବସାୟୀମାନେ ନେଉଛନ୍ତି । ସେହିଭଳି ଗୋଖାଦ୍ୟ ଆବଶ୍ୟକ ହେଉଥିବା କୁଣ୍ଡା ଠାରୁ ଚୋକଡ ପର୍ଯ୍ୟନ୍ତ ଅଧିକାଂଶ ରାଜ୍ୟ ବାହାରୁ ହିଁ ଆମଦାନୀ ହେଉଛି ।
ଏଠାରେ ଉଲ୍ଲେଖ କରାପାଇପାରେ ଯେ ରାଜ୍ୟରେ ଗୋପାଳନକୁ ଗାଁ ଗହଳରେ ଲୋକେ ରୋଜଗାରର ପ୍ରମୁଖ ମାଧ୍ୟମ କରିଥିବାବେଳେ ଦୁଗ୍ଧ ସମବାୟ ସମିତି ସଂଖ୍ୟା ୪୩୮୫ରେ ପହଞ୍ଚିଛି । କଟକ ଓ ଜଗତ୍ସିଂହପୁର ଜିଲ୍ଲାରେ ଏହି ସଂଖ୍ୟା ହଜାରେରୁ ଅଧିକ ରହିଛି । ରାଜ୍ୟରେ ରେକର୍ଡ ପରିମାଣର ଦୁଗ୍ଧ ଉତ୍ପାଦନ ହେଉଥିବାବେଳେ ଗାଈ ଗୋରୁଙ୍କ ପାଇଁ ଆବଶ୍ୟକ ଗୋଖାଦ୍ୟ ପାଇଁ କିନ୍ତୁ ଓଡିଶାକୁ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । (ତଥ୍ୟ)

