ଭୁବନେଶ୍ୱର : ଅପମିଶ୍ରିତ ଖାଦ୍ୟ ଜବତ ସହିତ ଏଥିରେ ଜଡିତ ଲୋକଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଜାରି ହେଉଥିବାବେଳେ ଗତ ତିନିବର୍ଷ ମଧ୍ୟରେ କିନ୍ତୁ ଜଣେ ହେଲେ କେହି ଦଣ୍ଡିତ ହୋଇନାହାନ୍ତି । ଏହା ଫଳରେ ଖାଦ୍ୟ ଅପମିଶ୍ରଣରେ ଜଡିତ ଲୋକେ କେବଳ ଜୋରିମାନା ଦେଇ ଖସିଯିବାରେ ସଫଳ ହେଉଛନ୍ତି ।
ଅପମିଶ୍ରିତ ଖାଦ୍ୟ ଚଢାଉ ସଂକ୍ରାନ୍ତରେ ମିଳିଥିବା ସୂଚନାରୁ ଜଣାଯାଇଛିଯେ ୨୦୨୩-୨୪ ବର୍ଷରେ ରାଜ୍ୟରେ ୬୫୭ଟି ନମୂନା ସଂଗ୍ରହ ହୋଇଥିବାବେଳେ ସମସ୍ତ ନମୂନାର ପରୀକ୍ଷା କରାଯାଇଥିଲା । ତେବେ ଏଥିରୁ ୧୧୯ଟି ନମୂନା ଅପମିଶ୍ରଣ ଥିବା ଜଣାପଡିଥିଲା । ଏହି ଘଟଣାରେ ୬୨ଟି ମାମଲା ରୁଜୁ ହୋଇଥିବାବେଳେ ଏଥିରୁ ୩୬ଟି ଥିଲା ଫୌଜଦାରୀ ମାମଲା । ସେହିବର୍ଷ ୬ଟି ମାମଲାର ସମାଧାନ କରାଯାଇ ୩ଲକ୍ଷ ୨୦ ହଜାର ଟଙ୍କାର ଜୋରିମାନା ଆଦାୟ ହୋଇଥିବାବେଳେ ମଧ୍ୟ କାହାକୁ ଜେଲଦଣ୍ଡ ହୋଇନଥିଲା ।
ସେହିଭଳି ୨୦୨୪-୨୫ ବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୦୪ଟି ନମୂନା ସଂଗ୍ରହ ହୋଇଥିବାବେଳେ ସମସ୍ତ ନମୂନାର ଯାଞ୍ଚ କରାଯାଇଥିଲା । ତେବେ ଏଥିରୁ ୭୫ଟିରେ ଅପମିଶ୍ରଣ ଚିହ୍ନଟ ହୋଇଥିଲା । ଏଥିପାଇଁ ୬୫ଟି ମାମଲା ରୁଜୁ ହୋଇଥିବାବେଳେ ଏଥିରୁ ୩୩ଟି ଥିଲା ଫୌଜଦାରୀ ମାମଲା । ଚାରିଟି ମାମଲାର ଫଏସଲା କରାଯାଇ ଦେଢ ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା । ତେବେ ଏହିବର୍ଷ ୩୩ଟି ଫୌଜଦାରୀ ମାମଲା ରୁଜୁ ହୋଇଥିବାବେଳେ ଜଣେ ହେଲେ କେହି ଦଣ୍ଡିତ ହୋଇନଥିଲେ ।
ଗତ ଆର୍ଥିକବର୍ଷରେ ଫେବୃଆରୀ ଶେଷ ସୁଦ୍ଧା ୮୬୦ଟି ନମୂନା ସଂଗ୍ରହ କରାଯାଇ ସେଗୁଡିକର ପରୀକ୍ଷା ହୋଇଥିଲା । ଏଥିରୁ ୯୨ଟି ନମୂନା ଅପମିଶ୍ରଣ ଚିହ୍ନଟ ହୋଇଥିଲା । ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ ୫୨ଟି ମାମଲା ହୋଇଥିଲା । ୩୩ଟି ଫୌଜଦାରୀ ମାମଲା ବି ରୁଜୁ ହୋଇଥିଲା । ୫ଟି ମାମଲାର ସମାଧାନ କରାଯାଇ ୩ଲକ୍ଷ ଟଙ୍କାର ଜୋରିମାନା ଆଦାୟହୋଇଥିଲା । ତେବେ ଫୌଜଦାରୀ ମାମଲା ସତ୍ୱେ କାହାରିକୁ ଦଣ୍ଡିତ କରାଯାଇ ପାରିନାହିଁ ।
ରାଜ୍ୟର ବିଭିନ୍ନ ସହର ବିଶେଷକରି ରାଜଧାନୀ ଭୁବନେଶ୍ୱର ଓ ପୁରୁଣା ରାଜଧାନୀ କଟରୁ ତେଲ, ଘିଅ, ଅମୁଲ ଠାରୁ ଆରମ୍ଭ କରି ଲୁଗାଧୁଆ ସର୍ଫ ପର୍ଯ୍ୟନ୍ତ ସବୁକିଛିର ଅପମିଶ୍ରଣ ଚିହ୍ନଟ ହେଉଥିବାବେଳେ ନମୂନା ସଂଗ୍ରହ ସଂଖ୍ୟା କିନ୍ତୁ ହଜାରେ ଟପିପାରୁ ନାହିଁ । ଖାଦ୍ୟ ସୁରକ୍ଷା ଅଧିକାରୀମାନେ କ’ଣ ପାଇଁ ଏତେ କମ୍ ପରିମାଣର ନମୂନା ସଂଗ୍ରହ କରୁଛନ୍ତି ଓ ସେହିସବୁ ନମୂନା ମଧ୍ୟରେ କି କି ସାମଗ୍ରୀ ରହୁଛି ତାହା ସାଧାରଣ ଲୋକେ ଜାଣିପାରୁ ନାହାନ୍ତି ।
ତେବେ ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ବଦଳରେ ଦଣ୍ଡ କେବଳ ଜୋରିମାନା ଆଦାୟରେ ସୀମିତ ରହୁଥିବାରୁ ଅପମିଶ୍ରଣକାରୀମାନଙ୍କ ମଧ୍ୟରେ ଭୟ ରହୁନାହିଁ । ଫଳରେ ଦିନକୁ ଦିନ ଖାଦ୍ୟ ଅପମିଶ୍ରଣ ପରିମାଣ ବଢିବାରେ ଲାଗିଛି । ଏହାଦ୍ୱାରା ଲୋକେ ବିଭିନ୍ନ ରୋଗର ସମ୍ମୁଖୀନ ହେଉଥିବାବେଳେ ପିଲାମାନେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)

