ଭୁବନେଶ୍ୱର : ଓଡିଶାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ କରୁଥିବା ବିଦ୍ୟୁତ ଶକ୍ତି ବିତରଣ କମ୍ପାନୀମାନଙ୍କର ୨୯ତମ ବୋର୍ଡ ବୈଠକ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପୃଥକ ପୃଥକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକଗୁଡ଼ିକରେ ବିଭିନ୍ନ ବିତରକ କମ୍ପାନୀଙ୍କ କାର୍ଯ୍ୟଦକ୍ଷତା, ପରିଚାଳନା ଏବଂ ଆଗାମୀ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।
ସାରା ରାଜ୍ୟରେ ଦକ୍ଷ ଏବଂ ଅବିରତ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିଦ୍ୟୁତ ଯୋଗାଣର ନିର୍ଭରଯୋଗ୍ୟତା, ବିଦ୍ୟୁତ୍ ସଂଚରଣରେ କ୍ଷୟକ୍ଷତି କମାଇବା, ଗ୍ରାହକମାନଙ୍କୁ ସେବା ପ୍ରଦାନ ଏବଂ ଭିତ୍ତିଭୂମି ଉନ୍ନୟନ ପରି ପ୍ରମୁଖ ବିଷୟ ଉପରେ ବୈଠକରେ ଆଲୋଚନା କରାଯାଇଥିଲା।
ରାଜ୍ୟରେ ପିଏମ ସୂର୍ଯ୍ୟଘର ଯୋଜନାର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା । ଦେଶରେ ୨୦୨୪ ଫେବୃଆରୀ ୧୩ରେ ୭୫,୦୨୧କୋଟି ଅଟକଳରେ ଆରମ୍ଭ ହୋଇଥିବା ଏହି ଯୋଜନା ଆର୍ଥିକ ବର୍ଷ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟାନ୍ୱୟନ ଲକ୍ଷ୍ୟ ରହିଛି। ଓଡିଶାରେ ଏହାର କାର୍ଯ୍ୟାନ୍ୱୟନ ନେଇ ଦ୍ରୁତ ପ୍ରୟାସ ଜାରି ରହିଥିବା ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଛାତ ଉପରେ ସୌର ଶକ୍ତି ଉତ୍ସରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏହି ଯୋଜନା ପ୍ରଣୟନ କରିଛନ୍ତି। ଓଡିଶାରେ ଏହି ଯୋଜନା ନଭେମ୍ବର ୨୦୨୫ରେ ଆରମ୍ଭ ହୋଇଥିବା ବେଳେ, ୧କିଲୋୱାଟ ସଂଯୁକ୍ତ ଲୋଡ ଥିବା ଘରୋଇ ଉପଭୋକ୍ତା ଅଧିକ ସବସିଡି ଥିବା ଏହି ସ୍କିମରେ ରୁଫଟପ ସୋଲାର ବ୍ୟବସ୍ଥା ସ୍ଥାପନ କରିବାକୁ ସମର୍ଥ ହେଉଛନ୍ତି।
ଏହି ସୋଲାର ଶକ୍ତି ଯୋଜନାରେ ବିଦ୍ୟୁତ ବିତରଣ କମ୍ପାନୀ ଅନେକ ଘରୋଇ କିମ୍ବା ଛୋଟ ଉପଭୋକ୍ତାଙ୍କୁ ଏକସାଥିରେ ଯୋଡ଼ି ରୁଫଟପ ସୋଲାର ସିଷ୍ଟମ ସ୍ଥାପନ କରନ୍ତି, ଯାହାଦ୍ୱାରା ଉପଭୋକ୍ତା ସହଜରେ, ତ୍ୱରିତ ବ୍ୟବସ୍ଥା ସହ କମ୍ ଖର୍ଚ୍ଚରେ ସୋଲାର ବିଦ୍ୟୁତରୁ ଲାଭ ଉଠାଇବାର ସୁବିଧା ନେଇପାରିବେ। ଉଭୟ ଯୋଜନା ଅଧୀନରେ ଓଡ଼ିଶାର ଉତ୍ସାହଜନକ ପ୍ରଗତି ପରିଲକ୍ଷିତ ହେଉଛି।

