ଭୁବନେଶ୍ୱର : ଉପର ମୁଣ୍ଡରେ ଛତିଶଗଡ ମହାନଦୀ ଓ ତାହାର ଉପନଦୀଗୁଡିକରେ ବହୁ ବନ୍ଧ ନିର୍ମାଣ କରିବା ଫଳରେ ଓଡିଶାରେ ମହାନଦୀର ଶଯ୍ୟା ଶୁଖିଲା ପଡୁଛି । ଏ ପ୍ରସଙ୍ଗ ଘେନି ସୁପ୍ରିମକୋର୍ଟରୁ ମହାନଦୀ ଟ୍ରିବ୍ୟୁନାଲ ଏବଂ କେନ୍ଦ୍ର ଓ ଛତିଶଗଡ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଛି । ଅଥଚ ମହାନଦୀରୁ ଓଡିଶା କେତେ ଜଳ ଆବଶ୍ୟକ କରୁଛି ତାହାର ସ୍ପଷ୍ଟ ଚିତ୍ର ସରକାରଙ୍କ ପକ୍ଷରୁ ଦିଆଯାଇପାରୁନଥିବା ଘେନି ମହାନଦୀ ବଞ୍ଚାଅ ଆନ୍ଦୋଳନ ସମେତ ବିଭିନ୍ନ ସଂଗଠନ ଉଦବେଗପ୍ରକାଶ କରୁଛନ୍ତି ।
ପ୍ରାୟ ଆଠବର୍ଷ ଧରି ମହାନଦୀ ଟ୍ରିବ୍ୟୁନାଲ କାମ କରୁଛି । କିନ୍ତୁ ଏଯାବତ୍ ମହାନଦୀକୁ ଛତିଶଗଡ ପାଣି ଛାଡିବା ଘେନି ଗୋଟିଏ ହେଲେ ଅନ୍ତରୀଣ ଆଦେଶ ଓଡିଶା ହାସଲ କରିପାରି ନାହିଁ । ଟ୍ରିବ୍ୟୁନାଲ ତାଙ୍କର ଗତ ଶୁଣାଣି ସମୟରେ ଏ ସଂକ୍ରାନ୍ତରେ ଓଡିଶା କିମ୍ବା ଛତିଶଗଡ ସରକାରଙ୍କର କୌଣସି ସନ୍ତୋଷଜନକ ତଥ୍ୟ ପାଇନଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କର ଉଚ୍ଚ ପଦାଧିକାରୀମାନେ ଟ୍ରିବ୍ୟୁନାଲରେ ମହାନଦୀକୁ ବଞ୍ଚାଇବାପାଇଁ ଲଢେଇ କରିବାକୁ ଯାଉଥିବାବେଳେ ଏହି ତଥ୍ୟକିଭଳି ଉପସ୍ଥାପନ କରାଯାଇ ପାରୁନାହିଁ ସେଥିଘେନି ବିଭିନ୍ନ ମହଲ ବିସ୍ମୟ ପ୍ରକାଶ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ମହାନଦୀ ଅବବାହିକାର ୪୬.୬୦ ପ୍ରତିଶତ ଓଡିଶାରେ ରହିଛି । ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ଉଭୟ ଅବିଭକ୍ତ ମଧ୍ୟପ୍ରଦେଶ ଓ ଓଡିଶା କେତେ ଜଳ ଆବଶ୍ୟକ କରୁଛନ୍ତି ତାହାର ମଧ୍ୟ ଲେଖାପଢା ହୋଇଥିଲା । ମହାନଦୀ ଅବବାହିକାରେ ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଓଡିଶାର ପ୍ରାୟ ୧,୪୧,୫୨୯ ବର୍ଗକିଲୋମିଟର କ୍ୟାଚମେଣ୍ଟ ଏରିଆ ରହିଛି । ଛତିଶଗଡ ସରକାର କେନ୍ଦ୍ରରୁ ଅନୁମତି ନଆଣି କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ଆଳରେ ଗୁଡିଏ ନଦୀବନ୍ଧ ନିର୍ମାଣ କରିବା ସହିତ ଏହାର ଜଳକୁ ବିଭିନ୍ନ ଶିଳ୍ପସଂସ୍ଥା ହାତରେ ଟେକି ଦେଇଛନ୍ତି । ଏହି ବନ୍ଧ ନିର୍ମାଣ ଅନେକ କ୍ଷେତ୍ରରେ ଶିଳ୍ପସଂସ୍ଥାମାନଙ୍କ ଅର୍ଥରେ ହୋଇଛି । ଛତିଶଗଡର ଚାଷୀମାନେ ଏହି ବନ୍ଧ ଯୋଗୁଁ ବିଶେଷକିଛି ଫାଇଦା ପାଉନାହାନ୍ତି ।
ହୀରାକୁଦ ନଦୀବନ୍ଧ ଯୋଜନା ଏକ ଜାତୀୟ ପ୍ରକଳ୍ପ । ଉପରମୁଣ୍ଡରୁ ଜଳ ପ୍ରବାହ ରୋକାଯିବା ଫଳରେ ଏହି ଜାତୀୟ ପ୍ରକଳ୍ପ ମଧ୍ୟ ଯେଉଁ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରାଯାଇଥିଲା ତାହା ଲକ୍ଷ୍ୟଭ୍ରଷ୍ଟ ହେଉଛି ।
ମହାନଦୀ ଉପରେ ଓଡିଶାର ୬୫ ପ୍ରତିଶତ ଲୋକ ନିର୍ଭରଶୀଳ ଥିବାରୁ ଏହାକୁ ରାଜ୍ୟର ଜୀବନରେଖା ବୋଲି କୁହାଯାଏ । ମହାନଦୀ ବିପର୍ଯ୍ୟୟ ହେଲେ ଚିଲିକା, ଭିତରକନିକା, ସାତକୋଶିଆ, ଗହୀରମଥା ଆଦି ମଧ୍ୟ ପ୍ରଭାବିତ ହେବ । ମହାନଦୀ ଶୁଖିଲା ପଡିଥିବାରୁ ଏହାର ଶାଖାନଦୀଗୁଡିକ ମଧ୍ୟ ସତ୍ତା ହରାଇବାକୁ ଯାଉଛନ୍ତି । ମହାନଦୀର ଅନେକ ଶାଖାନଦୀ ଚିଲିକା ହ୍ରଦରେ ପଡିଥାଏ । ଶାଖାନଦୀଗୁଡିକ ଶୁଖିଲା ପଡୁଥିବା ଏବଂ ଭୁବନେଶ୍ୱରର ବର୍ଜ୍ୟଜଳ ଗଙ୍ଗୁଆ ଦେଇ ଦୟା ମାଧ୍ୟମରେ ଚିଲିକାରେ ପଶୁଥିବାରୁ ଚିଲିକା ପାଣି ବିଷାକ୍ତ ହେବାରେ ଲାଗିଛି । ଏମିତିକି ଦୟା ତଟବର୍ତ୍ତୀ ଅଞ୍ଚଳଗୁଡିକରେ ପାନୀୟଜଳ ସଙ୍କଟ ଉତ୍କଟତର ହେଉଛି । ମୋଟାମୋଟି ଭାବେ ରାଜ୍ୟର ୧୬ଟି ଜିଲ୍ଲା ମହାନଦୀର ଜଳସଙ୍କଟ ଦୃଷ୍ଟିରୁ ଭୟଙ୍କର ଭାବରେ ପ୍ରଭାବିତ ହେଉଛନ୍ତି ।
ମହାନଦୀ ସମସ୍ୟା ସମାଧାନ ହେଉନଥିବାରୁ ଜଳସେଚନ ମଧ୍ୟ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏମିତିକି ଭୂତଳ ଜଳ ଭଣ୍ଡାର ବି ଉଦବେଗଜନକ ଭାବେ ତଳକୁ ତଳକୁ ଖସିବାରେ ଲାଗିଛି । ମହାନଦୀ ଟ୍ରିବ୍ୟୁନାଲ ସମେତ କେନ୍ଦ୍ରୀୟ ଜଳ କମିଶନ, ପରିବେଶ ମନ୍ତ୍ରଣାଳୟ, କେନ୍ଦ୍ର ସରକାର ଏବଂ ବିଶେଷକରି ଛତିଶଗଡ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ବାରମ୍ବାର ଦାବି ହେଉଛି ।
ଅତୀତରେ ୧୯୬୮ ମସିହାରେ ଆନ୍ଧ୍ର ସହ ସୀମା ବିବାଦ ପ୍ରସଙ୍ଗ ଓଡିଶା ହାଇକୋର୍ଟରେ ଉଠିଥିଲା । ଏଯାବତ୍ ଏହି ସମସ୍ୟା ସମାଧାନ ହୋଇନଥିବାବେଳେ ଇତି ମଧ୍ୟରେ ପୋଲାଭରମ ଓ ନରେଡି ନଦୀବନ୍ଧ ଯୋଗୁଁ ଓଡିଶାର ବ୍ୟାପକ ଅଞ୍ଚଳ ଜଳାର୍ଣ୍ଣବ ହେବାକୁ ଯାଉଛି । ଏ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ମହାନଦୀ ଭଳି ସ୍ପର୍ଶକାତର ପ୍ରସଙ୍ଗରେ ହସ୍ତକ୍ଷେପ କରି ଛତିଶଗଡର ଅବରୋଧ ହଟାଇବାକୁ ଦାବି ହେଉଛି । (ତଥ୍ୟ)

