Home Agriculture ସବୁଜ ସାର ଦର ଆକାଶଚୁଆଁ

ସବୁଜ ସାର ଦର ଆକାଶଚୁଆଁ

ଭୁବନେଶ୍ୱର : ସବୁଜ ସାର ଭାବେ ବ୍ୟବହାର ହେଉଥିବା ଧନିଚାର ଦର ଚଳିତବର୍ଷ ଆକାଶଛୁଆଁ ହୋଇଛି । କୁଇଣ୍ଟାଲ ପ୍ରତି ୪ହଜାର ଟଙ୍କା ହୋଇଥିବାବେଳେ ଏହାକୁ ନେବାପାଇଁ ଚାଷୀମାନଙ୍କୁ ପ୍ରଥମେ ୧୯ହଜାର ଟଙ୍କା ଦାଖଲ ପାଇଁ କୁହାଯାଉଛି । ଚାଷୀମାନେ ପ୍ରଥମେ ୧୯ହଜାର ଟଙ୍କା ପ୍ରଦାନ କରି ଧନିଚା ବିହନ ଉଠାଇବା ପରେ ସବସିଡ୍‍ ବାବଦରେ ସେମାନଙ୍କ ବ୍ୟାଙ୍କ୍‍ ଆକାଉଣ୍ଟରକୁ ୧୫ହଜାର ଟଙ୍କାର ଫେରିବ । ତେବେ ଚାଷୀମାନେ ଏକକାଳୀନ ଭାବେ ଏତେ ଟଙ୍କା କେଉଁଠୁ ଆଣି ଜମା କରିବେ ସେହି ଚିନ୍ତାରେ ପଡିଛନ୍ତି ।

ଚାଷକାର୍ଯ୍ୟ ଆରମ୍ଭରୁ ଚାଷୀମାନେ ବିଲରେ ଧନିଚା ବୁଣିଥାନ୍ତି । ଧନିଚା ଗଛଗୁଡିକ ଫୁଟେ ଦେଢଫୁଟ ଉଚ୍ଚର ହୋଇଗଲେ ତାହାକୁ ହଳକରି ମାଟିରେ ମିଶାଇ ଦିଆଯାଏ । ମାଟିରେ ମିଶିବାପରେ ଏହାର ସାରର କାମ ଦେଇଥାଏ । ଧାନ ଫସଲ ପାଇଁ ଆବଶ୍ୟକ ସାରର ୩୦ ପ୍ରତିଶତ ଏହାର ମେଣ୍ଟାଉଥିବାରୁ ଚାଷୀମାନେ ଧନିଚା ବିହନ ବୁଣିଥାନ୍ତି ।

ଓଡିଶା ରାଜ୍ୟ ବିହନ ନିଗମ ଧନିଚା ବିହନ ଚାଷୀମାନଙ୍କୁ ଯୋଗାଇଥାଏ । ଓଡିଶାରେ ଏହା ଉତ୍ପାଦନ ହେଉନଥିବାରୁ ମିଜୋରାମ, ମଣିପୁର ଭଳି ରାଜ୍ୟରୁ ଏହା ଖରିଦ କରି ଚାଷୀଙ୍କୁ ଯୋଗାଇ ଦିଆଯାଏ । ଚଳିତବର୍ଷ ସରକାରୀ ଭାବେ ଏହାର ଦର କୁଇଣ୍ଟାଲପ୍ରତି ୪ହଜାର ଟଙ୍କା ରହିଛି । ତେବେ ଚାଷୀମାନଙ୍କୁ କିନ୍ତୁ ପାଇବାକୁ ଥିବା ସବସିଡ୍‍ ଅର୍ଥକୁ ମିଶାଇ କୁଇଣ୍ଟାଲ ପିଛା ୧୯ହଜାର ଟଙ୍କା ଜମା କରିବାକୁ କୁହାଯାଉଛି । ହେଲେ ଗାଁ ଗହଳର ଚାଷୀମାନେ ଏକକାଳୀନ ଏତେ ଟଙ୍କା କେଉଁଠାରୁ ଆଣିବେ ସେ ନେଇ ଚିନ୍ତାରେ ପଡିଛନ୍ତି ।

ଚାଷୀମାନଙ୍କର କହିବାକଥା ଯେ ଧନିଚା ବିହନର ହଠାତ୍‍ ଏଭଳି ଦରବୃଦ୍ଧି ରାଜ୍ୟର ଚାଷ ବିଶେଷକରି ଜୈବିକ ଚାଷ ଉପରେ ପ୍ରଭାବ ପକାଇବ । ପୂର୍ବରୁ ଧନିଚା ବିହନ କୁଇଣ୍ଟାଲ କିଲୋପ୍ରତି ୭ଶହରୁ ୮ଶହ ଟଙ୍କାରେ ମିଳୁଥିବାବେଳେ ଏବେ ତାହା ଆକାଶଛୁଆଁ ହେବାରେ ଲାଗିଛି । ଏପରିକି ଧାନ ଓ ଅନ୍ୟାନ୍ୟ ଫସଲ ତୁଳନାରେ ଏହା ଅଧିକ ରହିଛି । ଯେଉଁସବୁ ରାଜ୍ୟରେ ଧନିଚା ଉତ୍ପାଦନ ହୋଇଥାଏ ସେଠାରେ ଏହା ମୁଖ୍ୟତଃ ଗୋଖାଦ୍ୟ ଭାବେ ବ୍ୟବହାର ହୋଇଥାଏ । ତେବେ ଓଡିଶା ସରକାର ଚାହିଦା ମେଣ୍ଟାଇବାକୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକୁ ଏହା ଖରିଦ କରିଥାନ୍ତି । ତେବେ ହଠାତ୍‍ ଏହାର ଦାମ ଏତେ ଅଧିକ ହେବା ଏବେ ଓଡିଶାର ଚାଷୀମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରାଜ୍ୟ ସରକାର ଜୈବିକ ଚାଷ ସହିତ କମ୍‍ ପରିମାଣର ରସାୟନିକ ସାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ରାଜ୍ୟରେ କିନ୍ତୁ ସବୁଜସାର ପାଲଟିଥିବା ଧନିଚା ଉତ୍ପାଦନ ଉପରେ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ରାଜ୍ୟର ଚାଷୀମାନେ ଏଥିପାଇଁ ଅନ୍ୟ ରାଜ୍ୟ ଉପରେ କେବଳ ନିର୍ଭରଶୀଳ ହେଉନାହାନ୍ତି ଏ ବାବଦରେ ବିପୁଳ ଅର୍ଥ ମଧ୍ୟ ବ୍ୟୟ କରୁଛନ୍ତି । ତେବେ ଚଳିତବର୍ଷ ଧନିଚାର ଉଚ୍ଚା ଦର ସହିତ ଯେଭଳି ଅଧିକ ଅର୍ଥ ଜମା କରିବାକୁ ଚାଷୀମାନଙ୍କୁ କୁହାଯାଉଛି ସେଥିରୁ ରାଜ୍ୟରେ ଏଥର ସବୁଜସାରର ବ୍ୟବହାର ଢେର ହ୍ରାସ ପାଇବ ବୋଲି ଚାଷୀମାନେ ମତ ଦେଉଛନ୍ତି । (ତଥ୍ୟ)