Home Industry ସିଙ୍ଗିଲ ୱିଣ୍ଡୋରେ୧୮ ପ୍ରକଳ୍ପକୁ ମଞ୍ଜୁରୀ

ସିଙ୍ଗିଲ ୱିଣ୍ଡୋରେ୧୮ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର : ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ସାଙ୍ଗକୁ ଓ ଅଧିକ ସଂଖ୍ୟକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ୧୪୬ତମ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ବୈଠକରେ ୧୮ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏହି ପ୍ରକଳ୍ପ ଜରିଆରେ ରାଜ୍ୟରେ ଆଉ ୩୮୭୭ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିସହିତ ଏହିସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଯୁବକ ଯୁବତୀଙ୍କ ପାଇଁ ୭୫୬୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟ ସରକାର ଏବେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରୁଥିବା, ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରୁଥିବା, ଅଧିକ ନିବେଶ ଆଣିପାରୁଥିବା ମଡେଲର ଶିଳ୍ପକୁ ପ୍ରଧାନ୍ୟ ଦେଉଛନ୍ତି।ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ସଫଳତାର ସହ ୧୫୦ରୁ ଅଧିକ ଶିଳ୍ପ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଇବାରେ ସଫଳ ହୋଇଛନ୍ତି। ଏହା ସରକାରଙ୍କ ପୁଞ୍ଜିନିବେଶ ଆଗ୍ରହକୁ କାର୍ଯ୍ୟକାରୀ କରାଇବାର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।

ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ବଠକରେ ବାଲେଶ୍ବର, ଦେବଗଡ, ଗଂଜାମ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ ଭଳି ୧୧ଟି ଜିଲ୍ଲାରେ ହେବାକାକୁ ଥିବା ୧୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଆଜି ଅନୁମୋଦିତ ପ୍ରକଳ୍ପଗୁଡିକ ଭିତ୍ତିଭୂମୀ, ସ୍ବାସ୍ଥ୍ୟସେବା, ପର୍ଯ୍ୟଟନ, ଉତ୍ପାଦନ ଓ ସବୁଜ ଶକ୍ତି ସମ୍ବଦ୍ଧିତ। ଧାତବ୍ୟ ଶିଳ୍ପରେ ରୁନାକ୍ୟ ଇକାର୍ଟ ଆଲୁମିନିୟମ ପାଉଡର୍ସ ପ୍ରାଇଭେଟ ଲିମିଟେଡ ଆଲୁମିନିୟମ କ୍ଷେତ୍ରରେ ଆନୁସଙ୍ଗିକ ଶିଳ୍ପ ବିକାଶ କରିବାକୁ ପ୍ରସ୍ତାବ ରଖିଛି। ସେହିଭଳି ସ୍କାନ ଷ୍ଟିଲ, ଜୟ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ, ଏସଏସ ଆଲୁଫୋଲିସ ଲିମିଟେଡ ଇସ୍ପାତ, ଲୁହା ଓ ଫେରୋ ଆଲୟ ଉତ୍ପାଦନରେ ନିଜ ନିଜର କ୍ଷମତା ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଛନ୍ତି।

ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ଆଜି ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ୬ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଜାସ୍ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ ପକ୍ଷରୁ ସମ୍ବଲପୁରରେ ଏକ ପଞ୍ଚତାରକା ହୋଟେଲ ନିର୍ମାଣର ଯୋଜନା ରଖିଛି। ଏହି ପ୍ରକଳ୍ପ ପାଇଁ ୧୯୬ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ରଥ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡ ପକ୍ଷରୁ ଖୋର୍ଦ୍ଧାରେ ଏକ ପଞ୍ଚ ତାରକା ହୋଟେଲ ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିବା ବେଳେ କେନ୍ଦୁଝର ରିଗାଲ ପାରାଡାଇଜ ପକ୍ଷରୁ କେନ୍ଦୁଝରରେ ଏକ ଚାରି ତାରକା ହୋଟେଲ ନିର୍ମାଣର ପ୍ରସ୍ତାବ ରହଛି।

କାର୍ୟନ ଭେନଚର୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପୁରୀରେ ଏକ ପଞ୍ଚତାରକା ହୋଟେଲ ନିର୍ମାଣର ଯୋଜନା ରଖିଥିବା ବେଳେ ସୂର୍ଯ୍ୟ ଇକୋ ରିସର୍ଟ୍ସ ପକ୍ଷରୁ କୋରାପୁରଟରେ ଏକ ଅତ୍ୟନ୍ତ ଆମୋଦଦାୟୀ ମାଉଣ୍ଟେନ ରିସର୍ଟ ପ୍ରକଳ୍ପ ପାଇଁ ଯୋଜନା ରଖିଛି। ଏହିସବୁ ପ୍ରକଳ୍ପକୁ ଆଜି ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ଏହାଭିନ୍ନ ବାଲେଶ୍ବର ସିପୟାର୍ଡ ଆଣ୍ଡ ଇନଫ୍ରା ପ୍ରାଇଭେଟ ଲିମିଟେଡ ପକ୍ଷରୁ ବାଲେଶ୍ବରରେ ଏକ ଯାହାଜ ତିଆରି ଓ ମରାମତି କାରଖାନା ପ୍ରତିଷ୍ଠା କରାଯିବ। ସୋଲାର ଇଣ୍ଡଷ୍ଟ୍ରିଜ ଇଣ୍ଡିଆ ପକ୍ଷରୁ ଦେବଗଡରେ ଏକ ସାମରିକ ବିସ୍ଫୋରକ ଉତ୍ପାଦ କାରଖାନା ପ୍ରତିଷ୍ଠା କରାଯିବ।