Home Agriculture ଅରୁଆ ଚାଉଳ ଉତ୍ପାଦନ କମ୍‍ ରହୁଛି

ଅରୁଆ ଚାଉଳ ଉତ୍ପାଦନ କମ୍‍ ରହୁଛି

ଭୁବନେଶ୍ୱର : ରାଜ୍ୟରେ ଧାନ ମିଲିଂ ପାଇଁ ନିୟୋଜିତ ଥିବା ରାଇସ ମିଲ୍‍ ମଧ୍ୟରୁ ସଂଖ୍ୟାଧିକ ମିଲ୍‍ ଅରୁଆ ଚାଉଳ ଉତ୍ପାଦନ କରୁଥିବାବେଳେ ଉତ୍ପାଦିତ ଅରୁଆ ଚାଉଳର ପରିମାଣ କିନ୍ତୁ ଢେର କମ୍‍ ରହୁଛି । ବାର୍ଷିକ ୫୧ଲକ୍ଷ ମେଟ୍ରିକ ଟନ୍‍ରୁ ଅଧିକ ପରିମାଣ ଉଷୁନା ଚାଉଳ ଉତ୍ପାଦନ ହେଉଥିବାବେଳେ ଅରୁଆ ଚାଉଳର ପରିମାଣ ୧୨ଲକ୍ଷ ଟନ୍‍ରେ ପହଞ୍ଚି ପାରୁନାହିଁ ।

ରାଜ୍ୟରେ ସଂଗ୍ରହ ହେଉଥିବା ଧାନ ମିଲିଂ ପାଇଁ ମୋଟ୍‍ ୧୩୭୫ ଟି ରାଇସ୍‍ ମିଲ୍‍ ନିୟୋଜିତ ହୋଇଥିବାବେଳେ ସେଥି ମଧ୍ୟରୁ ୭୬୬ଟି ରାଇସ୍‍ ମିଲ୍‍ ଅରୁଆ ଚାଉଳ ଉତ୍ପାଦନ କରୁଛନ୍ତି । ସେହିଭଳି ୬୦୯ଟି ରାଇସ୍‍ ମିଲ୍‍ ଉଷୁନା ଚାଉଳ ଉତ୍ପାଦନ କରୁଛନ୍ତି । ତେବେ ସୂଚନା ଅନୁଯାୟୀ ୨୦୨୪-୨୫ ବର୍ଷରେ ଖରିଫ ଓ ରବି ଋତୁରେ ସଂଗୃହିତ ୯୨ଲକ୍ଷ ମେଟ୍ରିକ ଧାନ ମଧ୍ୟରୁ ୧୧ଲକ୍ଷ ୨୨ ହଜାର ଟନ୍‍ ଅରୁଆ ଚାଉଳ ଉତ୍ପାଦନ ହୋଇଥିବାବେଳେ ଉତ୍ପାଦିତ ଉଷୁନା ଚାଉଳର ପରିମାଣ ୫୧ଲକ୍ଷ ମେଟ୍ରିକ ଟନରୁ ଅଧିକ ଥିଲା ।

ରାଜ୍ୟ ପାଇଁ ଉଷୁନା ଚାଉଳ ଏକ ପ୍ରକାର ବୋଝ ପାଲଟିଥିବାବେଳେ ଅରୁଆ ଚାଉଳର ଏଭଳି କମ୍‍ ଉତ୍ପାଦନ ଏବେ ସ୍ଥିତିକୁ ଆହୁରି ବିଗାଡିବାରେ ଲାଗିଛି । କାରଣ ଗୋଦାମଘର ଅଭାବରୁ ମହଜୁଦ ଉଷୁନା ଚାଉଳକୁ ହଟାଇବାପାଇଁ ସରକାର ନାକେଦମ ହେଉଥିବାବେଳେ ଏବେ ମାଗଣା ଚାଉଳ ଯୋଗାଣ ପରିମାଣକୁ ବଢାଇ ଦେଇଛନ୍ତି । ଏହା ସତ୍ୱେ ବି ଉତ୍ପାଦିତ ଉଷୁନା ଚାଉଳକୁ ମହଜୁଦ ରଖିବା ସହଜ ହେଉନାହିଁ ।

ଅନ୍ୟ ପକ୍ଷରେ ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଲୋକେ ଅରୁଆ ଚାଉଳ ଖାଉଥିବାରୁ ଭାରତୀୟ ଖାଦ୍ୟ ନିଗମ ଓଡିଶାରୁ ଅନ୍ୟ ରାଜ୍ୟକୁ ଉଷୁନା ଚାଉଳ ନେବାକୁ ରାଜି ହେଉନାହିଁ । ଦୀର୍ଘଦିନ ଧରି ବ୍ୟାପକ ଉଷୁନା ଚାଉଳ ବଦଳରେ ଅରୁଆ ଚାଉଳ ଉତ୍ପାଦନ ପାଇଁ ଓଡିଶାକୁ କହି ଆସୁଥିଲେ ମଧ୍ୟ ସ୍ଥିତିରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହେଉନାହିଁ ।

ରାଜ୍ୟରେ ଧାନର କୁଇଣ୍ଟାଲ ପ୍ରତି ଦର ୩୧୦୦ ଟଙ୍କା ହେବାପରେ ଚାଷୀମାନେ ଏବେ ଅଧିକରୁ ଅଧିକ ପରିମାଣରେ ଧାନ ଚାଷ କରିବା ସହିତ ଲାଭ ପାଇବା ଆଶାରେ ସରୁଧାନ ବଦଳରେ ମୋଟା କିସମର ଧାନ ଚାଷ କରୁଛନ୍ତି । ଫଳରେ ସେହିସବୁ ଧାନରୁ ଅରୁଆ ଚାଉଳ ପ୍ରସ୍ତୁତ ପାଇଁ ମିଲ୍‍ମାନେ ରାଜି ହେଉନାହାନ୍ତି । କାରଣ ମୋଟା କିସମର ଅରୁଆ ଚାଉଳକୁ ଅନ୍ୟ ରାଜ୍ୟକୁ ପଠାଇବା ତ ଦୂରରକଥା, ଓଡିଶାର ଲୋକେ ବି ଖାଇବାକୁ ମଙ୍ଗୁ ନାହାନ୍ତି ।

ଉଲ୍ଲେଖନୀୟ ଯେ ଧାନ ଚାଷ ପାଇଁ ଓଡିଶା ଏକାଧିକଥର କେନ୍ଦ୍ରରୁ ପୁରସ୍କୃତ ହୋଇଥିବାବେଳେ ଓଡିଶା ବଜାରକୁ କିନ୍ତୁ ଦୈନିକ ଶହ ଶହ ଟ୍ରକ ସରୁ ଅରୁଆ ଚାଉଳ ଅନ୍ୟ ରାଜ୍ୟରୁ ଆସୁଛି । ପଡୋଶୀ ରାଜ୍ୟର ଚାଷୀମାନେ ସରୁଧାନ ଚାଷ କରି ସେଥିରୁ ଉତ୍ପାଦନ କରୁଥିବା ସରୁ ଅରୁଆ ଚାଉଳକୁ ଓଡିଶା ବଜାରରେ ବିକ୍ରି ମାଲେମାଲ ହେଉଥିବାବେଳେ ଓଡିଶାର ଚାଷୀମାନେ ସରକାରଙ୍କୁ ଧାନ ବିକିବାପାଇଁ ମୋଟା କିସମର ଧାନ ଚାଷ କରୁଛନ୍ତି ଓ ସେହି ଧାନରୁ ଉତ୍ପାଦିତ ଚାଉଳକୁ ମାଗଣାରେ ପାଉଛନ୍ତି । (ତଥ୍ୟ)