Home Culture ଭାଷା ପ୍ରତିଷ୍ଠାନର ଦୁରବସ୍ଥା ଦୂର କେବେ?

ଭାଷା ପ୍ରତିଷ୍ଠାନର ଦୁରବସ୍ଥା ଦୂର କେବେ?

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନରେ ଅର୍ଦ୍ଧାଧିକ ପଦବୀ ଖାଲି ପଡିଥିବାବେଳେ ଏହାର ନିୟମିତ ନିର୍ଦ୍ଦେଶକ ନାହାନ୍ତି । ସଂସ୍କୃତି ନିର୍ଦ୍ଦେଶକ ଅତିରିକ୍ତ ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦାୟିତ୍ୱରେ ରହିଛନ୍ତି ।

ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ଲାଗି ରାଜ୍ୟ ସରକାର ୨୦୦୯ ମସିହାରେ ରାଜଧାନୀର ୟୁନିଟ୍‍ ୩ଅଞ୍ଚଳରେ ଏକ ଜମି ଯୋଗାଇଥିଲେ । ଏହା ପୂର୍ବରୁ ୨୦୦୫-୦୬ ଆର୍ଥିକ ବର୍ଷରୁ ପ୍ରତିଷ୍ଠାନର ଭିତ୍ତିଭୂମି ବିକାଶ ଲାଗି ମଧ୍ୟ ଅର୍ଥ ବରାଦ ହୋଇଥିଲା । ଦୀର୍ଘବର୍ଷ ଧରି ଜମି ଓ ଟଙ୍କା ପଡ଼ି ରହିଥିଲେ ମଧ୍ୟ ଆବଣ୍ଟିତ ଜମିରେ ଏଯାବତ୍‍ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ସୌଧ ନିର୍ମିତ ହୋଇପାରି ନାହିଁ । ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ଝଟ୍‍କାରେ ଗୃହ ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଥିବା ସମୟରୁ ବନ୍ଦ ରହିଛି ।

ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଏକ ସ୍ୱୟଂ ଶାସିତ ସଂସ୍ଥା ବୋଲି କୁହାଯାଇଥାଏ । ତେବେ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହାର କେହି ସ୍ଥାୟୀ ନିର୍ଦ୍ଦେଶକ ନାହାନ୍ତି । କେତେବେଳେ ରାଜ୍ୟ ସଂଗ୍ରହାଳୟର କୌଣସି ଅଧିକାରୀ ଏହାର ନିର୍ଦ୍ଦେଶକ ଦାୟିତ୍ୱରେ ରଖାଯାଉଛି ତ ଆଉ କେତେବେଳେ ସଂଗୀତ ନାଟକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏହାର ଦାୟିତ୍ୱ ଦିଆଯାଉଛି । ଏବେ କିଛିବର୍ଷ ଧରି ସଂସ୍କୃତି ନିର୍ଦ୍ଦେଶକ ଏହି ସଂସ୍ଥାର ଅତିରିକ୍ତ ଦାୟିତ୍ୱରେ ରହୁଛନ୍ତି । ଭାଷାପ୍ରେମୀମାନେ କହୁଛନ୍ତି ଯେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ଥାୟୀ ନିର୍ଦ୍ଦେଶକ ନଥିବାବେଳେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଏହି ଦାୟିତ୍ୱରେ ରଖାଯାଉଛି । କେବଳ ସେତିକି ନୁହେଁ, ଅତିରିକ୍ତ ଦାୟିତ୍ୱରେ ଥିବା ନିର୍ଦ୍ଦେଶକ ମଧ୍ୟ ଭାଷା ପ୍ରତିଷ୍ଠାନ ସମେତ ଅନ୍ୟ ଏକାଡେମୀ, ଓଡ଼ିଆ ପରିବାର ଆଦି ଦାୟିତ୍ୱରେ ବି ରହୁଛନ୍ତି ।

ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟ ନିର୍ବାହୀ କମିଟି ଓ ସାଧାରଣ କମିଟି ବର୍ଷବର୍ଷ ଧରି ଗଢ଼ାଯାଇପାରୁ ନାହିଁ । ୨୦୦୬ ମସିହାରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଗଢ଼ାଯିବା ପରେ ଏହା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିଲା । ସେତେବେଳେ ଏହା ରାଜଧାନୀର ୟୁନିଟ୍‍ ୫ରେ ବିଭାଗୀୟ ମୁଖ୍ୟ ଦପ୍ତର ନିକଟରେ ଥିବା ରାଜ୍ୟ ଜନଶିକ୍ଷା କେନ୍ଦ୍ରର ପ୍ରଥମ ମହଲାରେ ଚାଲୁଥିଲା । ତେବେ ୨୦୧୬ରୁ ଭାଷା ପ୍ରତିଷ୍ଠାନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରକୁ ଆସିବା ପରେ ଏହା ବିଜେବି ନଗର ଅଞ୍ଚଳର ଭଞ୍ଜକଳା ମଣ୍ଡପ ପଛରେ ଥିବା ସଂସ୍କୃତି ଭବନରେ କାର୍ଯ୍ୟ କରୁଥିଲା । ୨୦୨୪ର ଏହି ପ୍ରତିଷ୍ଠାନକୁ ଖାରବେଳ ଭବନକୁ ଉଠାଇ ନିଆଯାଇଛି ।

ଓଡ଼ିଆ ଭାଷାର ବିକାଶ କ୍ଷେତ୍ରରେ ଭାଷା ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ବର୍ଷବର୍ଷ ଧରି ଏହା ଅବହେଳିତ ରହିଛି ବୋଲି ବହୁ ଶିକ୍ଷାବିତ୍‍ ଓ ଭାଷା ପ୍ରେମୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ଏକ ସ୍ୱୟଂ ଶାସିତ ସଂସ୍ଥା ଭାବେ ଭାଷା ବିଶେଷଜ୍ଞମାନଙ୍କୁ ନେଇ ପ୍ରତିଷ୍ଠାନକୁ ଚଳାଇବା ପରିବର୍ତ୍ତେ ବସ୍ତୁତଃ ଏହା ଅମଲାତନ୍ତ୍ରର ନିୟନ୍ତ୍ରଣରେ ରହିଛି । ଭାଷା ପ୍ରତିଷ୍ଠାନ ଲାଗି ଅନୁମୋଦିତ ୩୧ଟି ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡିଛି ।

କୋଲକାତା ମହାନଗରକୁ ବିମାନ ବନ୍ଦରରୁ ପ୍ରବେଶ ପଥରେ ପଶ୍ଚିମବଙ୍ଗ ସରକାର ବିସ୍ତୀର୍ଣ୍ଣ ଜାଗା ପରେ ନିର୍ମାଣ କରିଛନ୍ତି ବିଶ୍ୱ ବାଂଲା ସଦନ । ଆନ୍ତର୍ଜାତିକ ବିମାନ ବନ୍ଦରକୁୁ ସଂଯୋଗ କରୁଥିବା ରାସ୍ତାର ନାମ ବି ବିଶ୍ୱ ବାଂଲା ସରଣୀ ରହିଛି । ସେଠାରେ ସାହିତ୍ୟ, ଗବେଷଣାଠାରୁ ଆରମ୍ଭ କରି ମୁଦ୍ରଣ, ଅଭିଲେଖାଗାର, ସଂଗ୍ରହାଳୟ, ପ୍ରେକ୍ଷାଳୟ, ଅତିଥି ଭବନ ଆଦି ଥିବାବେଳେ ଓଡ଼ିଶାର ଭାଷା ପ୍ରତିଷ୍ଠାନ କିନ୍ତୁ ବାରଦୁଆର ଶୁଣ୍ଡୀପିଣ୍ଡା ହେଉଛି । (ତଥ୍ୟ)