ଭୁବନେଶ୍ୱର : କରୋନାର ଭୟଙ୍କର ପରିସ୍ଥିତି ସମୟରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ କଟକଣା ଜାରି ସତ୍ତ୍ୱେ ସାମାଜିକ ଆଳ ଦେଖାଇ ଲୁଚାଛପାରେ ବି ଭୋଜିଭାତ ଚାଲିଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବିବାହ, ବ୍ରତୋପୟନ, ଶୁଦ୍ଧିକ୍ରିୟା, ଜନ୍ମଦିନ ପାଳନ ଆଦି ନାମରେ ବହୁ ସ୍ଥାନରେ ବଡ଼ ଆକାରରେ ନ ହେଲେ ବି ଛୋଟ ଛୋଟ ଭୋଜିଭାତ ହେଉଛି ।
ନିକଟରେ ବାଲେଶ୍ୱର ଓ ଗଜପତି ଜିଲ୍ଲାରେ ଏଭଳି ବେଆଇନ୍ ଭୋଜିଭାତ ରୋକିବାକୁ ଯାଇ ଦୁଇଜଣ ପ୍ରଶାସନିକ ଅଧିକାରୀ ଆୟୋଜକମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ସାମାଜିକ ଓ ଧାର୍ମିକ ଉତ୍ସବ ଉପରେ କରୋନା ପରିପ୍ରେକ୍ଷୀରେ କଟକଣା ଜାରି ରହିଛି । ବିନା ଭକ୍ତରେ ପୁରୀ ଓ ଭୁବନେଶ୍ୱରରେ ବିଧି ରକ୍ଷା ପାଇଁ ରଥଯାତ୍ରା ଓ ଚନ୍ଦନଯାତ୍ରା ଆଦି ହେଉଥିବା ବେଳେ ଗ୍ରାମାଞ୍ଚଳର କେତେକ ସ୍ଥାନରେ କିନ୍ତୁ ମନ୍ଦିରଗୁଡ଼ିକୁ ଭୋଜିସ୍ଥାନ ଭାବେ ବ୍ୟବହାର କରାଯାଉଛି ଏବଂ ବିଭିନ୍ନ କାରଣରୁ ତାହାକୁ ରୋକିବା କାଠିକର ପାଠ ହୋଇପଡ଼ୁଛି ।
ଏଠାରେ ଉଲ୍ଲେଖନୀୟ ଯେ ସରକାର ଜାରି କରିଥିବା କୋଭିଡ୍ କଟକଣା ଅନୁଯାୟୀ ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଓ ଶୁଦ୍ଧି କାର୍ଯ୍ୟକ୍ରମରେ ୨୦ ଜଣ ପର୍ଯ୍ୟନ୍ତ ଲୋକ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେଇ ଏକାଠି ହୋଇପାରିବେ ବୋଲି ବ୍ୟବସ୍ଥା ଅଛି । ଏମିତିକି କେଉଁମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କ ନାମ ଓ ଅନ୍ୟାନ୍ୟ ବିବରଣୀ କର୍ତ୍ତୃପକ୍ଷଙ୍କ ନିକଟରେ ଉଦ୍ୟକ୍ତାମାନେ ଦାଖଲ କରିବା ପରେ ପରିସ୍ଥିତିକୁ ଅନୁଧ୍ୟାନ କରି ଅନୁମତି ଦିଆଯାଉଛି । ଅନୁମତି ପତ୍ରରେ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରିବା, ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ଆଦି ସର୍ତ୍ତ ମଧ୍ୟ ରହିଛି । ସର୍ତ୍ତ ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ବି ଅଛି ।
ଏବେ ରାଜ୍ୟରେ କରୋନା ସଂକ୍ରମଣ ଯେଭଳି ଭୟଙ୍କର ସ୍ଥିତିରେ ରହିଛି ସେଥିରେ ସଚେତନ ଲୋକମାନେ ବିବାହ, ଶୁଦ୍ଧି, ବ୍ରତପୋନୟନ ଆଦି କାର୍ଯ୍ୟରେ ସାମିଲ ହେବାକୁ ପସନ୍ଦ କରୁନାହାନ୍ତି । କାରଣ ଏଭଳି ସମାବେଶରୁ କରୋନା ସଂକ୍ରମଣ ବଢ଼ିବା ଢେର୍ ଆଶଙ୍କା ରହିଛି । ଏମିତିକି ଧର୍ମାନୁଷ୍ଠାନଗୁଡ଼ିକରେ ମଧ୍ୟ କଟକଣା ଲଗାଯାଇ ଭକ୍ତମାନଙ୍କୁ ଭିତରକୁ ଛଡ଼ାଯାଉନାହିଁ କେବଳ ପୂଜକମାନେ ବିଧି ରକ୍ଷା କରୁଛନ୍ତ । ଗତବର୍ଷ ଭଳି ଏବର୍ଷ ବି ଇସଲାମ ସମ୍ପ୍ରଦାୟର ଇଦ୍ ମିଳନ ଓ ଖ୍ରୀଷ୍ଟିଆନ୍ମାନଙ୍କର ଇଷ୍ଟର ପର୍ବ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପାଳିତ ହେଉଛି ।
ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମିଳିଥିବା ଖବର ଅନୁଯାୟୀ ତେକେ ସ୍ଥାନରେ କରୋନା ପରିପ୍ରେକ୍ଷୀରେ ବିବାହ, ବ୍ରତପୋନୟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଉଥିବା ବେଳେ ଆଉ କେତେକ ସ୍ଥାନରେ ସଚେତନ ଲୋକେ ବିନା ଜନ ସମାଗମରେ ନିରାଡମ୍ବର ଭାବେ ବିବାହ, ବ୍ରତ ଆଦି ବିନା ଭୋଜିରେ ସମ୍ପନ୍ନ କରାଉଛନ୍ତି । ତେବେ ଗ୍ରାମାଞ୍ଚଳରେ ସାମାଜିକ ଚଳଣିର ଦ୍ୱାହିଦେଇ ଅନେକ ଉଦ୍ୟକ୍ତା ଚୋରା ଲୁଚାରେ ଭୋଜିଭାତ କରୁଛନ୍ତି, ଏମିତିକି ଗାଁ ଠାକୁରାଣୀଙ୍କ ମନ୍ଦିରକୁ ନିରାପଦ ସ୍ଥାନ ଭାବେ ବ୍ୟବହାର କରାଯାଉଛି ।
ଦୁଇଦିନ ତଳେ ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦଠାରେ ଏଭଳି ଏକ ଭୋଜିଭାତ ହୋଇଥିଲେ ବି ତାହା ବନ୍ଦ କରାଯାଇପାରିନଥିଲା । ଆଉ କେତେକ ଭୋଜି ପାଇଁ ଅଡିବସି ବାସନ୍ଦ ଭୟ ଦେଖାଉଥିବାରୁ ଶହ ଶହ ଲୋକଙ୍କ ପାଇଁ ରୋଷେଇ କରି ଘରେ ଘରେ ଭୋଜି ସାମଗ୍ରୀ ବଣ୍ଟନ କରାଯାଉଛି । ଏମିତିକି କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଲାଗି ବି ଏକାଦଶାହ ଭୋଜି ହେଉଛି । ବାରମ୍ବାର ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ସରକାରୀ ଓ ବେସରକାରୀ ସ୍ତରରେ ପ୍ରଚାର କରାଯାଉଥିଲେ ମଧ୍ୟ ମାହାମାରୀ ପରିସ୍ଥିତି ସମୟରେ ଭୋଜିଭାତ ସମ୍ପୂର୍ଣ୍ଣ ବନ୍ଦ ନ ହେବା ଦୁର୍ଭାଗ୍ୟଜନକ । ତେବେ ହୋଟେଲ ଓ ମଣ୍ଡପଗୁଡ଼ିକ କିନ୍ତୁ ଏ କ୍ଷେତ୍ରରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)