ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୫ ତମ ସଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ବୈଠକରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହିସବୁ ପ୍ରକଳ୍ପରେ ୪୫୧୦ କୋଟି ୬୫ ଲକ୍ଷ ଟଙ୍କାର ନିବେଶ ହେବା ସହ ୧୦ହଜାର ୧୨୨ ଜଣ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଏହିସବୁ ପ୍ରକଳ୍ପ ରାଜ୍ୟର ଅର୍ଥନୈତିକ ବିକାଶରେ ସହଯୋଗ କରିବା ସହ ଦେଶର ପ୍ରମୁଖ ଶିଳ୍ପ ଡେଷ୍ଟିନେସ ଭାବେ ରାଜ୍ୟକୁ ପ୍ରତିଷ୍ଠିତ କରିବ ବୋଲି ସରକାର ଆଶା ରଖିଛନ୍ତି। ନିଯୁକ୍ତି ଭିତ୍ତିକ ଶିଳ୍ପ ସାଙ୍ଗକୁ ରାଜ୍ୟର ସବୁ ଅଞ୍ଚଳରେ ସମାନ୍ତରାଳ ଭାବେ ଶିଳ୍ପର ବିକାଶକୁ ଫୋକସରେ ରଖି ଏହିସବୁ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଆଜି ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପଗୁଡିକ ମୁଖ୍ୟତଃ ରସାୟନ, ପୋଷାକ, ବୟନ, ଔଷଧ, ମେଡିକାଲ ଉପକରଣ, ଉତ୍ପାଦନ, ବୈଦ୍ୟୁତିକ ଉପକରଣ, ଏବଂ ଆଲୁମିନିୟମ ଓ ଧାତବ୍ୟ ଆନୁସଙ୍ଗିକ ଶିଳ୍ପ। ଏହି ପ୍ରକଳ୍ପଗୁଡିକ ବାଲେଶ୍ବର, ବଲାଙ୍ଗୀର, କଟକ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ ଆଦି ୧୧ଟି ଜିଲ୍ଲାରେ ପ୍ରତିଷ୍ଠା ହେବ।
ପ୍ରଥମ ଥର ପାଇଁ ସେଞ୍ଚୁରୀ ପ୍ଲାଏଉଡ ପକ୍ଷରୁ କୋରାପୁଟରେ ୮୭୦ କୋଟି ୮୨ ଲକ୍ଷର ପୁଂଜିନିବେଶରେ ଏକ କାଠ ସାମଗ୍ରୀ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ। ଏହାଦ୍ବାରା ଦକ୍ଷୀଣ ଓଡିଶାରେ ହଜାରେରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରସାୟନ କ୍ଷେତ୍ରରେ ପିଡିଲାଇଟ ପକ୍ଷରୁ ବାଲେଶ୍ବରରେ ଏକ ଉତ୍ପାଦନଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ପାଇଁ ୬୧ କୋଟି ଟଙ୍କାର ନିବେଶ ସହ ୮୮ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଖୋର୍ଦ୍ଧାରେ ସୋନା ସିଲେକ୍ସନ ପକ୍ଷରୁ ୧୩୦ କୋଟିର ନିବେଶରେ ଏକ କପଡା ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ। ଏହାଦ୍ବାରା ୧୮୫୮ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା ରଖାଯାଇଛି। ଆଲ୍ଫାଟେକ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଖୋର୍ଦ୍ଧାରେ ୧୮୦ କୋଟି ନିବେଶରେ ଏକ ଟେକ୍ସଟାଇଲ ୟୁନିଟ ପ୍ରତିଷ୍ଠା କରାଯିବ, ଯେଉଁଥିରେ ୧୦୫୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ସେହିଭଳି ଅଲଟେୟୁସ ଲାଇଫ ପକ୍ଷରୁ କଟକରେ ଏକ ଔଷଧ କାରଖାନା ପ୍ରତିଷ୍ଠା କରାଯିବ। ଏଥିରେ ୨୩୬ କୋଟିର ନିବେଶ ସହ ୫୪୯ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶ୍ରୀଜୀ ଇମାଜିନ ଖୋର୍ଦ୍ଧାରେ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଭିତ୍ତିଭୂମୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଖୋର୍ଦ୍ଧାରେ ନିଫା ଲିମିଟେଡ ପକ୍ଷରୁ ଏକ କୃଷି ଯନ୍ତ୍ରପାତି ୟୁନିଟ ସ୍ଥାପନ କରିବ। ଏଥିପାଇଁ ୧୬୪ କୋଟିର ନିବେଶ ସହ ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିଧିରିଡିହି ଇଣ୍ଟରନ୍ୟାସନାଲ ପକ୍ଷରୁ କେନ୍ଦୁଝରରେ ଏବଂ ସ୍କାନ ଷ୍ଟିଲ ପକ୍ଷରୁ ସୁନ୍ଦରଗଡରେ ଇସ୍ପାତ ଓ ଧାତବ୍ୟ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା କରିବ। ଏଥିପାଇଁ ୬୧୯ କୋଟିର ନିବେଶ ସହ ୧୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିସହିତ ପର୍ଯ୍ୟଟନ କ୍ଷେତ୍ରରେ କୋରାପୁଟ, ଭୁବନେଶ୍ବର, ବଲାଙ୍ଗୀର ଓ ପୁରୀରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ଏହି ଶିଳ୍ପରେ ନିଯୁକ୍ତି ସମ୍ଭାବନା ମଧ୍ୟ ଅଧିକ ରହିଛି।

