Home General ଧରାପଡୁ ନାହାନ୍ତି ବୋମା ଗୁଜବକାରୀ

ଧରାପଡୁ ନାହାନ୍ତି ବୋମା ଗୁଜବକାରୀ

ଭୁବନେଶ୍ୱର : ବୋମା ଗୁଜବ ଯୋଗୁ ଓଡ଼ିଶାରେ ବାରମ୍ବାର ଆଇନ୍‍ ଅଦାଲତ କାର୍ଯ୍ୟ ବ୍ୟାହତ ହେଉଥିବାବେଳେ ଗୁଜବ ରଟନାକାରୀମାନଙ୍କୁ ଧରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁ ନାହିଁ । ଫଳରେ ଏମାନେ ବାରମ୍ବାର ମିଛ ଆତଙ୍କ ସୃଷ୍ଟି କରି ଚାଲିଛନ୍ତି ।

କଟକରୁ ସମ୍ବଲପୁର ଏବଂ କଳାହାଣ୍ଡିରୁ ପୁରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବୋମା ଆତଙ୍କ କାରଣରୁ ବାରମ୍ବାର କୋର୍ଟ କାର୍ଯ୍ୟ ବ୍ୟାହତ ହୋଇଛି । ଏଥିଯୋଗୁ କୋର୍ଟ କର୍ମଚାରୀଙ୍କ ସମେତ ଓକିଲ ଓ ଅଦାଲତକୁ ଆସୁଥିବା ବାଦୀ, ପ୍ରତିବାଦୀ, ସାକ୍ଷୀ ଇତ୍ୟାଦି ମଧ୍ୟ ଭୟଭୀତ ହେଉଛନ୍ତି ।

ବୋମା ଗୁଜବ ସଂକ୍ରାନ୍ତରେ ବାର୍ତ୍ତା ମିଳିବା ପରେ କର୍ତ୍ତୃପକ୍ଷ ତୁରନ୍ତ ପୁଲିସକୁ ଖବର ଦେଉଛନ୍ତି ଏବଂ ପୁଲିସ ମଧ୍ୟ ବୋମା ଅନୁସନ୍ଧାନକାରୀ କୁକୁରଙ୍କ ସହ ଆସି ଅଦାଲତ ପରିସର ଓ ତାହାର ଆଖପାଖ ଅଞ୍ଚଳରେ ଯାଞ୍ଚ କରୁଛନ୍ତି । ପୁଲିସଠାରୁ ସବୁଜ ସଂକେତ ପାଇବା ପରେ ପୁଣି କୋର୍ଟ କାର୍ଯ୍ୟ ଆରମ୍ଭ ହେଉଛି ।

ବାରମ୍ବାର କିଏ କାହିଁକି ବିଭିନ୍ନ ଅଦାଲତକୁ ମିଛ ବୋମା ଧମକ ଦେଉଛି ତାହାର ଖୋଳତାଡ଼ ଅବଶ୍ୟ ପୁଲିସ କରୁଛି । କିନ୍ତୁ ଏଯାବତ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ । ଏଭଳି ଧମକ କେଉଁ ସୂତ୍ରରୁ ଆସୁଛି ତାହା ଖୋଜିବା ଦିଗରେ ପୁଲିସର ବୈଷୟିକ ଦଳସବୁ କସରତ ଜାରି ରଖିଛନ୍ତି । କେବଳ କୋର୍ଟ ନୁହେଁ, ବୋମା ଗୁଜବ ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳର ଅନ୍ୟ ସରକାରୀ ଓ ବେସରକାରୀ ଦପ୍ତର ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବି ଅଚଳ ହୋଇଯାଉଛି । ଏମିତିକି ଗୁଜବ ବୋମା ଆତଙ୍କରେ ସଂପୃକ୍ତ ଅଞ୍ଚଳରୁ ଲୋକେ ସେମାନଙ୍କ ଗାଡ଼ିମୋଟର ମଧ୍ୟ ନେଇ ପଳାଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ ଏବେ ବିଭିନ୍ନ ଆଇନ ଅଦାଲତରେ ପ୍ରାୟ ୨୨ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥିରୁ ପାଖାପାଖି ୧୫ଲକ୍ଷ ଅପରାଧିକ ମାମଲା ବୋଲି କୁହାଯାଉଛି । ବର୍ଷକୁ ବର୍ଷ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଭିନ୍ନ କାରଣରୁ ଫଇସଲା ସଂଖ୍ୟା ଆଶାନୁରୂପ ହେଉନାହିଁ । ଏମିତିକି ୨୦/୩୦ ବର୍ଷ ତଳର ଅନେକ ପୁରୁଣା ମାମଲା ବି ଗଡ଼ୁଛି । କେତେକ ଦେୱାନୀ ମାମଲା ପୁରୁଷ ପୁରୁଷ ଧରି ଚାଲୁଥିବାବେଳେ ବିଳମ୍ବିତ ବିଚାର ଯୋଗୁ ବହୁ ଅପରାଧିକ ମାମଲା ବି ଦୁର୍ବଳ ହୋଇଯାଉଛି ।

ପୁରୁଣା ମାମଲା ଏକ ଆହ୍ୱାନ ଭାବେ ଉଭା ହୋଇଥିବାରୁ ଇତିମଧ୍ୟରେ ସୁପ୍ରିମକୋର୍ଟ ସବୁ ହାଇକୋର୍ଟଙ୍କୁ ପତ୍ର ଲେଖି ପ୍ରତି ଶନିବାରରେ କୋର୍ଟ କାର୍ଯ୍ୟ ଅବ୍ୟାହତ ରଖିବାକୁ କହିଛନ୍ତି । ଏ ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟରେ ମଧ୍ୟ ପୁରୁଣା ମାମଲା ଫଇସଲା ପାଇଁ ଶନିବାରିଆ ଅଦାଲତ କାମ ଆରମ୍ଭ ହୋଇଛି ।

ତେବେ ଅଭିଜ୍ଞ ଆଇନ୍‍ଜୀବୀମାନେ କହୁଛନ୍ତି ଯେ ପୁରୁଣା ମାମଲା ଫଇସଲା ପାଇଁ ସମୟସୀମା ରଖାଯିବା ସହିତ ନୂଆ ମାମଲାଗୁଡ଼ିକର ଯେପରି ତ୍ୱରିତ ଫଇସଲା ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଇ ଭିତ୍ତିଭୂମିର ବିକାଶ କରାଯିବାର ଆବଶ୍ୟକ । ଅନ୍ତତଃପକ୍ଷେ ୨୦୦୦ ମସିହା ପୂର୍ବରୁ ରୁଜୁ ହୋଇ ଏଯାବତ୍‍ ଗଡ଼ୁଥିବା ଅପରାଧିକ ମାମଲାଗୁଡ଼ିକୁ ଆଗାମୀ ଗ୍ରୀଷ୍ମାବକାଶ ମଧ୍ୟରେ ଫଇସଲା କରାଯାଇପାରିଲେ ଓଡ଼ିଶା ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିପାରନ୍ତା ବୋଲି ଆଇନ୍‍ଜୀବୀମାନେ କହୁଛନ୍ତି । ମାମଲା ଫଇସଲା ପାଇଁ ବିଚାରପତିଙ୍କଠାରୁ ଆରମ୍ଭ କରି ବାଦୀ ଓ ପ୍ରତିବାଦୀମାନେ ଆଗ୍ରହ ପ୍ରକାଶ କରୁଥିବାବେଳେ ବାରମ୍ବାର ବୋମା ଗୁଜବ ସୃଷ୍ଟି କରି ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନ୍‍ ଅଦାଲତ କାର୍ଯ୍ୟ ବ୍ୟାହତ କରାଯିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କୁହାଯାଉଛି । (ତଥ୍ୟ)