Home Covid ଅନିଶ୍ଚିତତାରେ ଦ୍ୱିତୀୟ ଡୋଜ୍‍

ଅନିଶ୍ଚିତତାରେ ଦ୍ୱିତୀୟ ଡୋଜ୍‍

ଭୁବନେଶ୍ୱର : ଦ୍ୱିତୀୟ ଡୋଜ୍‍ କରୋନା ଟିକା ନେବାପାଇଁ ଓଡିଶାରେ ପ୍ରାୟ ୯ଲକ୍ଷ ଲୋକ ଅପେକ୍ଷାରେ ଥିବାବେଳେ କେନ୍ଦ୍ର ସରକାରଙ୍କ ସନ୍ତୁଷ୍ଟିକରଣ ନୀତିପାଇଁ ଏମାନେ କେବେ ଟିକା ପାଇବେ ସେଥିଘେନି ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ଗୋଟିଏ ପଟେ ପର୍ଯ୍ୟାପ୍ତ ପରିମାଣର ଟିକା ଦେଶରେ ଉତ୍ପାଦିତ ହୋଇପାରୁନଥିବା, ଯେତିକି ବି ଟିକା ଉତ୍ପାଦିତ ହେଉଛି ସେଥିରୁ ଓଡିଶା ଚାହିଦାର ଏକ ଦଶମାଂଶରୁ କମ୍‍ ମିଳୁଥିବାବେଳେ ବହୁ ପ୍ରଚାରିତ ଏହି କରୋନା ଟିକାକରଣର ଶୃଙ୍ଖଳା ଓ ସଫଳତା ଘେନି ବୈଜ୍ଞାନିକମାନେ ବି ପ୍ରଶ୍ନ ଉଠାଉଛନ୍ତି ।

ପ୍ରଥମ ଡୋଜ୍‍ କରୋନା ଟିକା ନେବାର ୨୮ଦିନ ପରେ ତୁରନ୍ତ ଦ୍ୱିତୀୟ ଡୋଜ୍‍ ନିଆଯିବା କଥା ଏବଂ ଦ୍ୱିତୀୟ ଡୋଜ୍‍ ଟିକା ନେବାର ୧୦ରୁ ୨୦ଦିନ ମଧ୍ୟରେ ଏହା କାର୍ଯ୍ୟକରୀ ଶରୀରରେ ରୋଗପ୍ରତିରୋଧଶକ୍ତି ବଢାଇଥାଏ । ତେଣୁ ପ୍ରଥମ ଡୋଜ୍‍ ଟିକା ନେବାର ୨୮ଦିନ ପୂରିବା ମାତ୍ରେ ତୁରନ୍ତ ଦ୍ୱିତୀୟ ଡୋଜ୍‍ ଟିକା ନେବା ଆବଶ୍ୟକ ପଡିଥାଏ । ଏ କ୍ଷେତ୍ରରେ ଅତି ବିଳମ୍ବ ହେଲେ ଉଭୟ ଡୋଜ୍‍ ଟିକାରୁ ବିଶେଷ କିଛି ସଫଳତା ମିଳିବ ନାହିଁ ବୋଲି ବୈଜ୍ଞାନିକମାନେ କହୁଛନ୍ତି ।

ଓଡିଶାରେ ଦ୍ୱିତୀୟ ଡୋଜ୍‍ ଟିକା ନେବାପାଇଁ ପ୍ରାୟ ୯ଲକ୍ଷ ଲୋକ ଅପେକ୍ଷାରେ ଥିବାବେଳେ ଟିକାକରଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଏହାର ଏକ ତୃତୀୟାଂଶ ଟିକା ବି ଉପଲବ୍ଧ ନାହିଁ । ରାଜ୍ୟ ସରକାର ୨୦୦୦ କୋଟି ଟଙ୍କା ବ୍ୟୟ କରି ଲୋକଙ୍କୁ ମାଗଣାରେ ଟିକା ଦେବାପାଇଁ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ଟିକା କମ୍ପାନୀମାନେ ଚାହିଦା ମୁତାବକ ଟିକା ଯୋଗାଇ ପାରୁନାହାନ୍ତି ।

ତେଣେ କେନ୍ଦ୍ର ସରକାର ତିନି ପର୍ଯ୍ୟାୟରେ କରୋନା ଯୋଦ୍ଧା ଏବଂ ୪୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଲାଗି ରାଜ୍ୟଗୁଡିକୁ ପୂର୍ବରୁ ସମ୍ପୂର୍ଣ୍ଣ ମାଗଣାରେ ଆଗରୁ ଟିକା ଯୋଗାଇ ଦେଉଥିବାବେଳେ ଏବେ ରାଜ୍ୟ ସରକାର ଓ ଘରୋଇ ସଂସ୍ଥାମାନଙ୍କ ଉପରେ ଏ ଦାୟିତ୍ୱ ଛାଡିଦେବା ସହ ୧୮ବର୍ଷରୁ ଉର୍ଦ୍ଧ୍ୱ ବୟସ୍କମାନଙ୍କୁ ଟିକାକରଣ ପାଇଁ ଅନୁମତି ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ନୂଆ ନୀତି ଅନୁଯାୟୀ ଏବେ ୧୮ରୁ ୪୫ବର୍ଷ ବୟସ୍କ ବହୁ ଲୋକ ଟିକା ପାଇଁ ଅନଲାଇନ୍‍ ପଞ୍ଜିକରଣ କରୁଥିବାବେଳେ ଇଣ୍ଟରନେଟ୍‍ କାମ କରୁନଥିବା ଅଞ୍ଚଳ ଏବଂ ଏହାର ବ୍ୟବହାର ଜାଣିନଥିବା ଲୋକେ ପଞ୍ଜିକରଣ କରିପାରୁ ନାହାନ୍ତି । ଏଣେ ଦ୍ୱିତୀୟ ଡୋଜ୍‍ ଟିକା ପାଇଁ ସମୟ ହୋଇ ଆସୁଥିବାବେଳେ ପଞ୍ଜିକରଣ କ୍ଷେତ୍ରରେ ଟିକାର ଅଭାବ ସମସ୍ୟା ସୃଷ୍ଟି କରୁଛି । ଫଳରେ ମାସକ ତଳେ ପ୍ରଥମ ଡୋଜ୍‍ ଟିକା ନେଇ ସାରିଥିବା ଅନେକ ଲୋକଙ୍କ ଚିନ୍ତା ବଢିଯାଉଛି ।

ପୂର୍ବରୁ ସରକାର ଅନେକ ବେସରକାରୀ ଡାକ୍ତରଖାନାକୁ ଟିକାକରଣ ପାଇଁ ଅନୁମତି ଦେଇଥିଲେ ଏବଂ ସେମାନେ ୨୫୦ ଟଙ୍କା କରି ସର୍ଭିସ ଚାର୍ଜ ନେଇ ଟିକା ଦେଉଥିଲେ । ଏବେ ଘରୋଇ ଡାକ୍ତରଖାନାଗୁଡିକୁ ଟିକା ମିଳୁନାହିଁ । ତେଣୁ ସରକାରୀ ଟିକାଦାନ କେନ୍ଦ୍ରଗୁଡିକ ଉପରେ ଚାପ ବଢୁଛି । ଏଥିଯୋଗୁଁ ଅନେକ ଟିକାଦାନ କେନ୍ଦ୍ରରେ ଏତେ ଗହଳି ଓ ବିଶୃଙ୍ଖଳା ଉପୁଜୁଛି ଯେ ସଶସ୍ତ୍ର ପୁଲିସ୍‍ଙ୍କୁ ଭିଡ ନିୟନ୍ତ୍ରଣ ପାଇଁ ମୁତୟନ କରିବାକୁ ପଡୁଛି । ପର୍ଯ୍ୟାପ୍ତ ସଂଖ୍ୟକ ଟିକା ନଥିବାରୁ ଅନେକ କେନ୍ଦ୍ରରେ ଟିକାଦାନ ବନ୍ଦ ରହିଛି । (ତଥ୍ୟ)