Home Agriculture ଚାଷୀଙ୍କ ଉପରେ ଲକଡାଉନ୍‍ ଚଡକ

ଚାଷୀଙ୍କ ଉପରେ ଲକଡାଉନ୍‍ ଚଡକ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଥିବା ପରିବା, ଛତୁ ଓ ଦୁଗ୍ଧ ଚାଷୀଙ୍କ ଉପରେ ଲକ୍‍ଡାଉନ୍‍ ଚଡକ ପଡିଛି । ସେମାନେ କିଭଳି ନିଜ ନିଜ ସାମଗ୍ରୀ ଆଣି ବିକ୍ରି କରିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ।

ଭୁବନେଶ୍ୱରକୁ ପ୍ରତିଦିନ ପିପିଲି, ଡେଲାଙ୍ଗ, ନିମାପଡା, ବାଲିଅନ୍ତା, ଅଡସପୁର ଆଦି ଅଞ୍ଚଳରୁ ହଜାର ହଜାର ପରିବାଚାଷୀ ସେମାନଙ୍କ ଉତ୍ପାଦିତ ଓ ସଂଗୃହୀତ ପରିବା ଦୁଇ ଚକିଆ, ଚାରିଚକ୍ରିା ଓ ସାଇକେଲରେ ନେଇ ଆସିଥାନ୍ତି । ଦୁଇବେଳା ପରିବା ଆଣି ରାଜଧାନୀରେ ବିକ୍ରିକରି ଘରକୁ ଫେରିଥାନ୍ତି । ସେହିଭଳି ଛତୁ ଚାଷୀମାନେ ବି ରାଜଧାନୀ ବଜାର ଉପରେ ଅଧିକାଂଶ ଭାବେ ନିର୍ଭରଶୀଳ । ଅନୁରୂପ ଭାବେ ରାଜଧାନୀରେ ମିଳୁଥିବା ଛେନା, ପନିର ଓ ମିଠା ଆଦି ନିମାପଡା ଅଞ୍ଚଳରୁ ବ୍ୟବସାୟୀମାନେ ଆଣି ବିକ୍ରିକରି ଫେରିଥାନ୍ତି ।

ଲକ୍‍ଡାଉନ୍‍ରେ ଏବେ ଏହିସବୁ ସାମଗ୍ରୀ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବିକ୍ରି କରିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି । ଲୋକେ ନିଜ ନିଜ ଘର ପାଖରେ ଏହି ସବୁ ସାମଗ୍ରୀ କିଣିପାରିବେ ବୋଲି କୁହାଯାଇଛି । ତେବେ ଚାଷୀମାନେ କିନ୍ତୁ ନିଜ ନିଜ ଉତ୍ପାଦିତ ସାମଗ୍ରୀ ଆଣି ରାଜଧାନୀ ଆସିବାକୁ ଡରୁଛନ୍ତି ।

କିଛି ଚାଷୀ କହିଛନ୍ତି ଯେ ପନିପରିବା, ଛେନା, ଛତୁ ଆଦି ସାମଗ୍ରୀ ନେଇ ରାଜଧାନୀକୁ ଯିବାରେ କିଛି ଅସୁବିଧା ନାହିଁ । ତେବେ ଏହା ବିକ୍ରିକରି ସାରି ଫେରିଲା ବେଳକୁ ପୁଲିସ୍‍ ଛାଡିବାକୁ ନାରାଜ । ଅନେକ ସ୍ଥାନରେ ଦୁଇ ଚକିଆ ଓ ଚାରିଚକିଆ ଗାଡିଉପରେ ମୋଟାଅଙ୍କର ଜୋରିମାନା ସହିତ ଚାଷୀଙ୍କୁ ଅଟକାଇ ଦିଆଯାଉଛି । କାରଣ ପନି ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ବିକି ଫେରିଲା ବେଳକୁ ସେମାନଙ୍କ ନିକଟରେ ଚାଷୀ ବୋଲି ଆଉ କିଛି ପ୍ରମାଣପତ୍ର ରହୁନାହିଁ । ଜାରି ହୋଇଥିବା ନାଇଟକର୍ଫ୍ୟୁ ଓ ସପ୍ତାହନ୍ତ ସଟ୍‍ଡାଉନ୍‍ ସମୟରେ କୌଣସି ପ୍ରକାରେ କ୍ଷତିସହି ବେପାର ଚଳାଇଥିଲେ । ହେଲେ ଏବେ ୧୪ଦିନିଆ ଲକ୍‍ଡାଉନ୍‍ରେ ସେମାନଙ୍କ ଭେଳା ବୁଡିବା ଅବସ୍ଥାରେ ।

ଏହାଦ୍ୱାରା କେବଳ ଚାଷୀ ପରିବାର ଉପାସରେ ରହିବେ ନାହିଁ, ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବି ନଷ୍ଟ ହୋଇଯିବ । ଏଥିଯୋଗୁଁ ବ୍ୟାଙ୍କ୍‍ ଋଣରେ ବୁଡିଥିବା ଚାଷୀଙ୍କ ଦୁର୍ଦ୍ଦଶା ଆହୁରି ବଢିଯିବ । ଗତବର୍ଷ କରୋନା ସମୟରେ ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେବା ସହିତ ଅନେକ ସ୍ଥାନରେ ପୁଲିସ୍‍ଠାରୁ ମାଡଗାଳି ଖାଇଥିଲେ । ତେଣୁ ଚଳିତ ଲକ୍‍ଡାଉନ୍‍ ସମୟରେ ରାଜଧାନୀ ଉପକଣ୍ଠର ଚାଷୀମାନେ ଯେଭଳି ସେମାନଙ୍କ ସାମଗ୍ରୀ ଆଣି ସହଜରେ ସହରରେ ବିକ୍ରି କରିବେ ଓ ଫେରିଲାବେଳେ ପୁଲିସ୍‍ ଆକ୍ରୋଷର ଶିକାର ହେବେନାହିଁ ସେଥିପ୍ରତି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଅନେକ ଚାଷୀ ଅନୁରୋଧ କରିଛନ୍ତି । (ତଥ୍ୟ)