Home Election ଉପ ନିର୍ବାଚନ ପ୍ରଚାରକୁ ଯାଉନଥିଲେ ମୁଖ୍ୟମନ୍ତ୍ରୀ

ଉପ ନିର୍ବାଚନ ପ୍ରଚାରକୁ ଯାଉନଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ପୂର୍ବରୁ ଥରେ ଏମିତି ଏକ ଉପ ନିର୍ବାଚନ ହୋଇଥିଲା ଯେଉଁଥିରେ ପ୍ରଚାର ପାଇଁ ଯିବାକୁ ମୁଖ୍ୟମନ୍ତ୍ରୀ ରୋକଠୋକ୍‍ ଭାବେ ମନା କରିଦେଇଥିଲେ । ଦଳୀୟ ପ୍ରାର୍ଥୀ ତାଙ୍କ ତାକତ ଓ ଜିଲ୍ଲାର ଅନ୍ୟ ନେତା ଓ କର୍ମୀମାନଙ୍କ ସହଯୋଗରେ ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଇ ୧୯୯୧ରେ ପୁରୀ ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରଖିଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏହା ବର୍ତ୍ତମାନର ପ୍ରଚାର ବହୁଳ ଓ ଆକ୍ଷେପ-ପ୍ରତି ଆକ୍ଷେପ ରାଜନୀତି ପ୍ରେକ୍ଷାପଟରେ ଅବିଶ୍ୱାସନୀୟ ଲାଗୁଥିଲେ ମଧ୍ୟ ସତ୍ୟ ।

୧୯୯୦ରେ ହୋଇଥିବା ବିଧାନସଭା ନିର୍ବାଚନରେ ଜନତା ଦଳ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଲଢ଼େଇ କରି ରେକର୍ଡ ସଂଖ୍ୟକ ୧୨୩ ଆସନରୁ ଜିଣିଥିଲା । ସେ ବର୍ଷ ମାର୍ଚ୍ଚ ୫ ତାରିଖରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ତାଙ୍କ ମନ୍ତ୍ରିମଣ୍ଡଳ ଗଢ଼ିଥିଲେ ୧୫ ତାରିଖରେ । ଏହି ନିର୍ବାଚନରେ ପୁରୀ ବିଧାନସଭା ଆସନରୁ ଜନତା ଦଳ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ବ୍ରଜକିଶୋର ତ୍ରିପାଠୀ । ତାଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିଥିଲା । ତେବେ ଅସମୟରେ ଲୋକସଭା ଭଙ୍ଗ ହେବା ସହ ସାରା ଦେଶ ଉପରେ ନିର୍ବାଚନ ଲଦି ଦିଆଯିବାରୁ ପୁରୀ ଲୋକସଭା କ୍ଷେତ୍ରରୁ ଜନତା ଦଳ ଶ୍ରୀ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଥିଲା ଏବଂ ସେ ମଧ୍ୟ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଏଥିଯୋଗୁ ତାଙ୍କୁ ପୁରୀ ବିଧାନସଭା ଆସନ ଛାଡ଼ିବାକୁ ପଡ଼ିଥିଲା ଏବଂ ସେଥିପାଇଁ ୧୯୯୧ରେ ଉପ ନିର୍ବାଚନ ହୋଇଥିଲା ।

ଏହି ଉପ ନିର୍ବାଚନରେ ଜନତା ଦଳରୁ ପ୍ରାର୍ଥୀ ହୋଇଥିଲେ ସେତେବେଳର ରାଜ୍ୟ ଛାତ୍ର ଜନତା ସଭାପତି ଉମା ବଲ୍ଲଭ ରଥ । ଦଳର ଜିଲ୍ଲା କମିଟି ଶ୍ରୀ ରଥଙ୍କ ନାମ ସୁପାରିସ କରିଥିଲା ଏବଂ ରାଜ୍ୟ କମିଟି ଓ କେନ୍ଦ୍ର ସଂସଦୀୟ ବୋର୍ଡ ଏଥିରେ ଏକମତ ହେବା ପରେ ଶ୍ରୀ ରଥଙ୍କୁ ଜନତା ଦଳ ପୁରୀ ବିଧାନସଭା କ୍ଷେତ୍ର ଲାଗି ହେଉଥିବା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲା । ସେତେବେଳର ରାଜସ୍ୱ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ସାଂସଦ ବ୍ରଜ କିଶୋର ତ୍ରିପାଠୀ, ପୁରୀର ନଗରପାଳ ମହେଶ୍ୱର ମହାନ୍ତି, ମୁଖ୍ୟ ସଚେତକ ଅଜୟ ଜେନା, ଚନ୍ଦ୍ରମାଧବ ମିଶ୍ର, ପ୍ରଦୀପ ମହାରଥି ପ୍ରମୁଖ ଶ୍ରୀ ରଥଙ୍କ ନିର୍ବାଚନ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ତେବେ ଶାସକ ଦଳ ପାଇଁ ଏହା ମର୍ଯ୍ୟାଦାର ପ୍ରଶ୍ନ ହୋଇଥିବାରୁ ଦଳୀୟ ପ୍ରାର୍ଥୀ ଶ୍ରୀ ରଥଙ୍କ ସପକ୍ଷରେ ପ୍ରଚାର ପାଇଁ ଗୋଟିଏ ଦୁଇଟି ସଭାରେ ଉଦ୍‍ବୋଧନ ଦେବାକୁ ବିଜୁବାବୁଙ୍କୁ ପ୍ରସ୍ତାବ ଦିଆଯିବାରେ ସେ ଏହାକୁ ରୋକ୍‍ଠୋକ୍‍ ଭାବେ ପ୍ରତ୍ୟାଖ୍ୟାନ କରିବା ସହିତ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଥିବାରୁ ସେ ପ୍ରଚାର ଅଭିଯାନରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସାମିଲ ହେବେ ନାହିଁ ବୋଲି ମନା କରିଦେଇଥିଲେ । ପୁରୀ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମୀ, ଶୁଭେଚ୍ଛୁ ଓ ସମର୍ଥକମାନେ ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ପରାମର୍ଶ ଦେଇ ମିତବ୍ୟୟିତା ରକ୍ଷା ସହିତ ଶାସକ ଦଳ ନିର୍ବାଚନ ଆଚରଣ ବିଧିକୁ କଡ଼ାକଡ଼ି ଭାବେ ଯେପରି ପାଳନ କରେ ଏବଂ ଉପ ନିର୍ବାଚନରେ କୌଣସି ପ୍ରକାର ଦୁର୍ନୀତି ନହୁଏ ତାହା ଉପରେ କଡ଼ା ନଜର ରଖିବାକୁ ସେତେବେଳେ ଦଳର ରାଜ୍ୟ ଶାଖା ସଭାପତି ଅଶୋକ ଦାସଙ୍କୁ ବିଜୁବାବୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଏ ଖବର ସେ ସମୟରେ କେବଳ ଓଡ଼ିଶାରେ ନୁହେଁ, ଜାତୀୟ ସ୍ତରର ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରସାରିତ ହୋଇଥିଲା । ଏହି ଉପ ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ଉମାବଲ୍ଲଭ ରଥ ପ୍ରାୟ ୧୪ ହଜାର ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ଜିଣିଥିଲେ । ଏହାଛଡ଼ା ଏଠାରୁ ସେତେବେଳେ ବିଜେପି ଓ ଜନତା ପାର୍ଟି ସମେତ କେତେକ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢ଼ୁଥିଲେ । (ତଥ୍ୟ)