ଭୁବନେଶ୍ୱର : ସାରା ଦେଶରେ ଏବେ ଅମ୍ଳଜାନ ପାଇଁ କରୋନା ପରିପ୍ରେକ୍ଷୀରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱରର ଫୁସ୍ଫୁସ୍ ବୋଲି କୁହାଯାଉଥିବା ଚନ୍ଦକା ଅଭୟାରଣ୍ୟର ଭରତପୁର ଜଙ୍ଗଲ ବିପଦର ଗୌହର ମଧ୍ୟକୁ ଠେଲିହୋଇ ଯାଉଛି ।
ଏକାମ୍ରକାନନ ବୋଲି କୁହାଯାଉଥିବା ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳରେ ଏକଦା ଘଞ୍ଚ ଜଙ୍ଗଲ ସହିତ ଅନେକ ଚିରସ୍ରୋତା ଝରଣା ଥିଲା । ଏବେ ପ୍ରାୟ ସମସ୍ତ ଝରଣା ନଷ୍ଟହୋଇ ସାରିଲାଣି । ସଂଖ୍ୟାଧିକ ଝରଣା ସ୍ଥାନରେ ଏବେ ନର୍ଦ୍ଦମାପାଣିର ସୁଅ ଛୁଟୁଛି । ଏହାଛଡା ରାସ୍ତାକଡର ସବୁଜିମାକୁ ନଷ୍ଟକରି କଂକ୍ରିଟ ଓ ଟାଇଲ୍ ବିଛାଯିବା ଫଳରେ ଭୂତଳ ଜଳସ୍ତର ଉଦ୍ବେଗଜନକ ଭାବେ ତଳକୁ ଖସିଚାଲିଛି । ଦୁଇ ତିନି ଦଶନ୍ଧି ତଳେ ଭୁବନେଶ୍ୱରର ଯେଉଁସବୁ ସ୍ଥାନରେ ତଳକୁ ୨୦/୩୦ ଫୁଟ ଖୋଳିଲେ ପାଣି ବାହାରୁଥିଲା ଏବେ ସେଠି ୨୦୦ଫୁଟରୁ ଅଧିକ ଖୋଳିବାକୁ ପଡୁଛି । ଆଖିବୁଜା ଆପାର୍ଟମେଣ୍ଟ ନିର୍ମାଣ ଫଳରେ ଭୂତଳ ଜଳସ୍ତର ଅଧିକ ନିମ୍ନଗାମୀ ହେଉଛି ।
କୁଆଖାଇ ଓ ଦୟାରୁ ପାଇପଯୋଗେ ଅଣାଯାଉଥିବା ଜଳ ପର୍ଯ୍ୟାପ୍ତ ହେଉନଥିବାରୁ ବିପୁଳ ଅର୍ଥ ବ୍ୟୟକରି ମୁଣ୍ଡଳି ବ୍ୟାରେଜ ନିକଟରୁ ଭୁବନେଶ୍ୱରକୁ ପାଣି ଅଣାଯାଉଛି । ତେବେ ମହାନଦୀର ଉପରମୁଣ୍ଡରେ ଛତିଶଗଡ ଯେଭଳି ପାଣି ଅଟକାଇ ଚାଲିଛି ସେଥିରେ ଖରାଦିନେ ମହାନଦୀ ଶଯ୍ୟା ମରୁଭୂମିର ଭ୍ରମ ସୃଷ୍ଟିକରୁଛି । ଯେଉଁ ହାରରେ ପରିସ୍ଥିତି ବିଗୁଡୁଛି ତାହା ଅବ୍ୟାହତ ରହିଲେ ଆଉ କିଛିବର୍ଷ ମଧ୍ୟରେ ରାଜଧାନୀପାଇଁ ଜଳସଙ୍କଟ ଭୟଙ୍କର ରୂପ ନେଇପାରେ ବୋଲି ପରିବେଶବିତ୍ମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।
ଖୋଲା ଶୀତଳ ପବନ ପାଇଁ ଏକଦା ଚର୍ଚ୍ଚାରେ ଥିବା ଭୁବନେଶ୍ୱରରେ ଏବେ ତାପମାତ୍ରା ୪୩ଡିଗ୍ରୀ ଟପିଲାଣି । ଏହାଛଡା ଜନସଂଖ୍ୟା ବୃଦ୍ଧିସହ ତାଳଦେଇ ଯାନବାହାନ ଓ ଏସି ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ବାୟୁ ପ୍ରଦୂଷଣ ବଢିବା ସଂଗେ ସଂଗେ ତାପାମାତ୍ରା ବି ବଢୁଛି । ବିଶେଷକରି ପିଚୁ ଓ କଂକ୍ରିଟ ରାସ୍ତା, ଟାଇଲ୍, କୋଠାବାଡି ଆଦିର ବିକିରଣ ଯୋଗୁଁ ଉତ୍ତାପ ଅଧିକ ରହୁଛି । ଏହାକୁ ନିୟନ୍ତ୍ରିତ କରୁଥିବା ବଡ ବଡ ପୁରୁଣା ଗଛରୁ ଅନେକ ରାସ୍ତା ସମ୍ପ୍ରସାରଣ ଓ ଘର ତିଆରି ପାଇଁ ବଳି ପଡିସାରିଛନ୍ତି । ବାତ୍ୟାରେ ବି ଅନେକ ଗଛ ଉଜୁଡି ଯାଇଛି । ଏବେ ନୂଆ ଗଛ ଲାଗୁଥିଲେ ମଧ୍ୟ ତାହା ପୁରୁଣା ଗଛ ଭଳି ପରିବେଶର ସନ୍ତୁଳନ ରକ୍ଷା କରିପାରୁନାହିଁ ।
ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା ଅଭୟାରଣ୍ୟକୁ ଜଙ୍ଗଲ ବିଭାଗ ରାଜଧାନୀର ଫୁସ୍ଫୁସ୍ ବୋଲି କହୁଛନ୍ତି । ଏହି ଅଭୟାରଣ୍ୟର ଆଖପାଖରେ ଥିବା ଗାଁ ଗୁଡିକରୁ ଗଛ ପ୍ରାୟ ଲୋପ ପାଇଗଲାଣି । ଏହାଛଡା ଅନ୍ଧାରୁଆ, ଭୁଆଶୁଣି ଭଳି ଅଞ୍ଚଳରେ ଭୁବନେଶ୍ୱର ମହାନଗର ନିଗମର ବର୍ଜ୍ୟବସ୍ତୁ ଜମା କରାଯିବା ଫଳରେ ପରିବେଶ ଅଧିକ ବିଗୁଡୁଛି । ତେଣେ ରାଜଧାନୀ ଉପକଣ୍ଠରେ ଥିବା ଦୟା, ଗଙ୍ଗୁଆ, କୁଆଖାଇ ଆଦିର ନଦୀର ଜଳ ଅତି ମାତ୍ରାରେ ପ୍ରଦୂଷିତ ।
ପରିବେଶବିଜ୍ଞାନୀମାନେ କହୁଛନ୍ତି ଯେ ଭୁବନେଶ୍ୱର ପାଇଁ ପ୍ରାକୃତିକ ଉପାୟରେ ଅମ୍ଳଜାନ ଯୋଗାଣ କ୍ଷେତ୍ରରେ ଚନ୍ଦକା ଅଭୟାରଣ୍ୟ ଏବେ ଏକମାତ୍ର ଭରସା । କିନ୍ତୁ ଏହି ଅଭୟାରଣ୍ୟର ସମ୍ପୂର୍ଣ୍ଣ ସଂରକ୍ଷଣ ଓ ବିକାଶ ସହିତ ଅନ୍ୟ ଅଞ୍ଚଳରେ କୋଠାବାଡି ନିର୍ମାଣ ଉପରେ କଟକଣା ଓ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବା ସହ ଭୂତଳ ଜଳର ଘର ୱାରି ସଂରକ୍ଷଣ କରାନଗଲେ ଆଗାମୀ ଦିନରେ ଭୁବନେଶ୍ୱରବାସୀଙ୍କୁ ଦିଲ୍ଲୀ ଭଳି ଅମ୍ଳଜାନ ମରୁଡି ପରିସ୍ଥିତିର ସାମ୍ନା କରିବାକୁ ବେଶିଦିନ ଲାଗିବନାହିଁ । (ତଥ୍ୟ)