ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତବର୍ଷ ମାଟ୍ରିକ ବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏଥି ସହିତ ମାଦ୍ରାସା ପରୀକ୍ଷାକୁ ମଧ୍ୟ ରାଜ୍ୟ ସରକାର ବାତିଲ କରିଛନ୍ତି । ସିବିଏସଇ ଓ ସିଆଇଏସସିଇ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପରେ ଓଡ଼ିଶା ସରକାର ମଧ୍ୟ ସମାନ ପନ୍ଥା ଆପଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଛି । ତେବେ ବୋର୍ଡର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପରୀକ୍ଷା ଫଳ ଘୋଷଣା ହେବ । ପରୀକ୍ଷା ଫଳକୁ ନେଇ ଅସହମତି ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଏହାଛଡ଼ା କରୋନା ସ୍ଥିତି ପ୍ରଶମିତ ହେଲେ ପରୀକ୍ଷା ପାଇଁ ସୁଯୋଗ ମିଳିବ ବୋଲି ସେ କହିଛନ୍ତ ।
ଏନେଇ ସୂଚନା ଦେଇ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ଏବେ ରାଜ୍ୟରେ କରୋନା ମହାମାରୀ ପିକରେ ଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ମଇ ୩ ତାରିଖରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ବାତିଲ ନେଇ ନିଷ୍ପତ୍ତି ନିଆଯାଇଛି । ଗ୍ରେଡେସନ ବା ମାର୍କି କିପରି ହେବ ତାହା ବୋର୍ଡ ନିର୍ଦ୍ଧାରିତ କରିବ ।
ଏହାବ୍ୟତୀତ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡ଼ିଶା ରାଜ୍ୟ ମାଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକୁ ବାତିଲ କରାଗଲା । ଏହି ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ, ଛାତ୍ରୀଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ ହେବ । ଯେଉଁମାନେ ଅସହମତି ପ୍ରକାଶ କରିବେ, କୋଭିଡ ମହାମାରୀ ପ୍ରଶମିତ ହେବା ପରେ ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦିବସରେ ପରୀକ୍ଷା ଦେଇପାରିବେ ।
ସୂଚନାଯୋଗ୍ୟ, ପରୀକ୍ଷା ବାତିଲ ଦାବିରେ ଗତକାଲି ନବୀନ ନିବାସ ଆଗରେ ବହୁ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । ଏହାପରେ ଆଜି ମଧ୍ୟ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ବାସଭବନ ଆଗରେ ଦଶମ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । ଏପରିକି ଜିଲ୍ଲାପାଳଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।
ସୂଚନାଯୋଗ୍ୟ, ରେଗୁଲାର, ଏକ୍ସ-ରେଗୁଲାର, ମଧ୍ୟମା ପିଲାଙ୍କୁ ମିଶାଇ ଚଳିତ ବର୍ଷ ୬ ଲକ୍ଷ ୪୭ ହଜାର ପିଲା ପରୀକ୍ଷା ଦେଇଥାନ୍ତେ । ଏଥିନିମନ୍ତେ ୩୩ଶହ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଥିଲା । ପିଲାମାନେ ନିଜ କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ । ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ ଜାନୁଆରୀ ୨୮ ତାରିଖରୁ ଏପ୍ରିଲ ୨୫ ପର୍ଯ୍ୟନ୍ତ ୧୦୦ ଦିନିଆ ପାଠପଢା ଚାଲିଥିଲା । ପରୀକ୍ଷା ନିମନ୍ତେ ପିଲାମାନଙ୍କୁ ପ୍ରସ୍ତୁତ କରାଯାଉଥିବା ବେଳେ ସେମାନେ ୮୦ ମାର୍କର ପରୀକ୍ଷା ଦେଇଥାନ୍ତେ । ମାତ୍ର ପୁଣିଥରେ କରୋନା ଲେଉଟିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।