Home Judiciary ହାଇକୋର୍ଟରେ ବିଚାରପତି ପଦବୀ ଖାଲି

ହାଇକୋର୍ଟରେ ବିଚାରପତି ପଦବୀ ଖାଲି

ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ଏବେ ୧୩ଟି ବିଚାରପତି ପଦବୀ ଖାଲି ପଡିଥିବାବେଳେ ନିମ୍ନ ଅଦାଲତଗୁଡିକରେ ୨ଶହରୁ ଅଧିକ ବିଚାରପତି ପଦବୀ ଖାଲି ପଡିଛି । ରାଜ୍ୟସଭାରେ ଆଇନ୍‍ ଓ ନ୍ୟାୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଦେଇଥିବା ସୂଚନାରୁ ଏହା ଜଣାପଡିଛି ।

ଦେଶର ୨୫ଟି ଯାକ ହାଇକୋର୍ଟ ଲାଗି ୧୧୨୨ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ଗତ ଜୁଲାଇ ୨୫ତାରିଖ ସୁଦ୍ଧା ଏଗୁଡିକରେ ୭୬୦ଜଣ ବିଚାରପତି କାର୍ଯ୍ୟ କରୁଛନ୍ତି ଏବଂ ୩୬୨ଟି ବିଚାରପତି ପଦବୀ ଖାଲି ପଡିଛି । ଓଡିଶା ହାଇକୋର୍ଟ ପାଇଁ ୩୩ଟି ବିଚାରପତି ପଦବୀ ଥିବାବେଳେ ଏହି ସମୟ ସୁଦ୍ଧା ସେଥିରେ ମାତ୍ର ୨୦ଜଣ ବିଚାରପତି କାର୍ଯ୍ୟରତ ଥିବା ଆଇନ୍‍ ମନ୍ତ୍ରୀ ଦର୍ଶାଇଛନ୍ତି ।

ଆହ୍ଲାବାଦ ହାଇକୋର୍ଟ ଲାଗି ସର୍ବାଧିକ ୧୬୦ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ସେଥିରୁ ୮୦ଟି ଖାଲି ପଡିଛି । ସେହିପରି ବମ୍ବେ ହାଇକୋର୍ଟର ୯୪ଟି ବିଚାରପତି ପଦବୀରୁ ୨୭ଟି ଖାଲି ପଡିଥିବାବେଳେ କଲିକତା ହାଇକୋର୍ଟର ୭୨ଟି ବିଚାରପତି ପଦବୀରୁ ମଧ୍ୟ ୨୪ଟି ଖାଲି । ଦିଲ୍ଲୀ ହାଇକୋର୍ଟ ଲାଗି ୬୦ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ସେଥିରୁ ୧୭ଟି ଖାଲି ରହିଛି । ଏମିତିକି ଗୁଜୁରାଟ ହାଇକୋର୍ଟର ୫୨ଟି ବିଚାରପତି ପଦବୀରୁ ମଧ୍ୟ ୧୩ଟି ଖାଲି । ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ହାଇକୋର୍ଟ ଏବଂ ଝାଡଖଣ୍ଡ ହାଇକୋର୍ଟ ପାଇଁ ୨୫ଟି କରି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ସେଠାରେ ବି ୧୦ଟି ଲେଖାଏଁ ବିଚାରପତି ପଦବୀ ଖାଲି । କର୍ଣ୍ଣାଟକ ହାଇକୋର୍ଟରେ ୧୫ଟି ବିଚାରପତି ପଦବୀ ଖାଲି ପଡିଥିବାବେଳେ ମଧ୍ୟପ୍ରଦେଶ ହାଇକୋର୍ଟରେ ୨୦ଟି, ମାଡ୍ରାସ ହାଇକୋର୍ଟରେ ୧୮ଟି, ପାଟଣା ହାଇକୋର୍ଟରେ ୧୭ଟି, ପଞ୍ଜାମ ଓ ହରିଆନା ହାଇକୋର୍ଟରେ ୩୬ଟି ଏବଂ ତେଲେଙ୍ଗାନା ହାଇକୋର୍ଟରେ ୧୬ଟି ବିଚାରପତି ଖାଲି ରହିଛି ।

ତେବେ ମେଘାଳୟ ଓ ସିକିମ ହାଇକୋର୍ଟରେ ସମସ୍ତ ବିଚାରପତି ପଦବୀ ପୂରଣ ହୋଇଥିବାବେଳେ ତ୍ରିପୁରାରେ ଗୋଟିଏ ଏବଂ ଉତ୍ତରାଖଣ୍ଡ ଓ ମଣିପୁର ହାଇକୋର୍ଟରେ ୨ଟି କରି, କେରଳ ହାଇକୋର୍ଟରେ ୪ଟି, ଛତିଶଗଡ ଓ ହିମାଚଳପ୍ରଦେଶରେ ୬ଟି କରି ବିଚାରପତି ପଦବୀ ଖାଲି ପଡିଥିବା ସରକାରଙ୍କ ସୂଚନାରୁ ଜଣାପଡିଛି ।

ସେହିଭଳି ସାରା ଦେଶପାଇଁ ଜିଲ୍ଲାକୋର୍ଟଗୁଡିକ ଲାଗି ମୋଟ୍‍ ୨୫,୮୪୩ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ସେଥିରୁ ୪୭୨୧ଟି ପଦବୀ ଖାଲି ପଡିଛି । ଉତ୍ତରପ୍ରଦେଶରେ ସର୍ବାଧିକ ଏହି କିସମର ୧୦୨୫ଟି ବିଚାରପତି ପଦବୀ ଖାଲି ପଡିଥିବାବେଳେ ବିହାରରେ ୩୪୩, ଗୁଜୁରାଟରେ ୫୩୫, କର୍ଣ୍ଣାଟକରେ ୨୨୭, ଝାଡଖଣ୍ଡରେ ୨୦୬, ମଧ୍ୟପ୍ରଦେଶରେ ୩୫୯, ମହାରାଷ୍ଟ୍ରରେ ୨୫୦, ଓଡିଶାରେ ୨୦୮, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବରରେ ୨୩୦ ଟି ବିଚାରପତି ପଦବୀ ନିମ୍ନ ଅଦାଲତଗୁଡିକରେ ଖାଲି ରହିଛି । ତେବେ ଚଣ୍ଡିଗଡ ଓ ଲକ୍ଷାଦ୍ୱୀପରେ ଜିଲ୍ଲାସ୍ତରୀୟ ଅଦାଲତରେ ସମସ୍ତ ବିଚାରପତି ପଦବୀଗୁଡିକ ପୂରଣ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ହାଇକୋର୍ଟଗୁଡିକର ବିଚରପତି ପଦବୀ ପୂରଣ ପାଇଁ ସମ୍ପୃକ୍ତ ହାଇକୋର୍ଟ ପକ୍ଷରୁ ଯୋଗ୍ୟ ଜିଲ୍ଲାଜଜ୍‍ ଓ ଅଭିଜ୍ଞ ଆଇନ୍‍ଜୀବୀମାନଙ୍କ ନାମ ସୁପାରିଶ କରାଯାଇଥାଏ । ସୁପ୍ରିମକୋର୍ଟର କଲେଜିୟମ ଏହା ଉପରେ ତର୍ଜମା କରି ମୋହର ବସାଇବା ପରେ କେନ୍ଦ୍ର ସରକାର ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଥାନ୍ତି । ବେଳେବେଳେ କେନ୍ଦ୍ର ସରକାରଙ୍କ ନିକଟରେ କଲେଜିୟମର ପ୍ରସ୍ତାବ ଦୀର୍ଘଦିନ ଧରି ପଡି ରହୁଥିବାବେଳେ ଆଉ କେତେକ କ୍ଷେତ୍ରରେ ଏହା ଫେରାଇ ଦିଆଯାଇଥାଏ । ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ମୋହର ବସାଇବାପରେ ରାଷ୍ଟ୍ରପତି ହାଇକୋର୍ଟ ବିଚାରପତି ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଥାନ୍ତି । (ତଥ୍ୟ)