Home Administration ସରକାରୀ ଚାକିରିରେ ଲକ୍ଷାଧିକ ପଦବୀ ଖାଲି

ସରକାରୀ ଚାକିରିରେ ଲକ୍ଷାଧିକ ପଦବୀ ଖାଲି

ଭୁବନେଶ୍ୱର : ଓଡ଼ିଶାରେ ମଞ୍ଜୁରୀପ୍ରାପ୍ତ ସରକାରୀ ପଦପଦବୀ ଭିତରୁ ପ୍ରାୟ ଏକ ତୃତୀୟାଂଶ ଖାଲି ରହୁଛି । ଗୋଟିଏ ପଟେ ଉତ୍କଟ ବେକାରୀ ସମସ୍ୟା ଲାଗି ରହିଥିବାବେଳେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ବହୁ ଯୁବକ ଯୁବତୀ ବିଭିନ୍ନ ରାଜ୍ୟକୁ ଏମିତିକି ବିଦେଶକୁ କାମଧନ୍ଦା ପାଇଁ ଚାଲିଯାଉଥିବା ବେଳେ ନିଜ ରାଜ୍ୟରେ କିନ୍ତୁ ଲକ୍ଷାଧିକ ସରକାରୀ ଚାକିରି ଖାଲି ରହୁଛି ।

ସରକାରୀ ତଥ୍ୟ ମୁତାବକ ୨୦୨୪ ଆରମ୍ଭ ବେଳକୁ ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସଂଖ୍ୟା ଥିଲା ୫,୯୬,୬୪୭ । ସେତେବେଳକୁ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ଥିଲା ୨,୦୫,୨୨୮ ସଂଖ୍ୟକ ପଦବୀ । ଏଥିରୁ ‘କ’ ବର୍ଗର ୧୯,୨୯୯ ପଦବୀ ଖାଲି ପଡିଥିବାବେଳେ ‘ଖ’ ବର୍ଗରେ ଖାଲି ରହିଥିଲା ୪୪,୮୮୬ ପଦବୀ । ‘ଗ’ ବର୍ଗର ସରକାରୀ ଚାକିରିରେ ସର୍ବାଧିକ ୧,୦୪,୦୪୨ ପଦବୀ ୨୦୨୪ ଜାନୁଆରୀ ପହିଲା ବେଳକୁ ଖାଲି ରହିଥିବାବେଳେ ‘ଘ’ ବର୍ଗ ବା ଚତୁର୍ଥ ଶ୍ରେଣୀ ପାହ୍ୟାରେ ଖାଲି ପଡିଥିଲା ୩୭,୦୦୧ ସଂଖ୍ୟକ ପଦବୀ । ମୋଟାମୋଟି ଭାବେ ୨୦୨୩ ବର୍ଷ ଶେଷ ଓ ୨୦୨୪ ବର୍ଷ ଆରମ୍ଭ ବେଳକୁ ଓଡ଼ିଶାରେ ମଞ୍ଜୁରୀପ୍ରାପ୍ତ ସରକାରୀ ପଦବୀରୁ ୩୪ ପ୍ରତିଶତରୁ ଅଧିକା ଖାଲି ପଡିଥିଲା ।

୨୦୨୪ରେ ସାଧାରଣ ନିର୍ବାଚନ ଘୋଷଣା ପରିପ୍ରେକ୍ଷୀରେ ନିର୍ବାଚନୀ କଟକଣା ଯୋଗୁ କେତେ ମାସ ଧରି ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଥିଲା । ଗତବର୍ଷ ଜୁନ୍‍ ୧୨ ତାରିଖରେ ଓଡ଼ିଶାରେ ବିଜେପି ସରକାର ଗଠିତ ହୋଇଥିଲା । ଚଳିତ ମାସ ୬ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ମେଳାରେ ୭ଟି ବିଭାଗର ୧୨୯୪ ପଦବୀ ପୂରଣ ପାଇଁ ନିଯୁକ୍ତିପତ୍ର ବଣ୍ଟା ଯାଇଥିଲା । ଏହି ଅବସରରେ ସରକାରଙ୍କ ପକ୍ଷରୁ ଯେଉଁ ସୂଚନା ଦିଆଯାଇଥିଲା ସେଥିରେ ବର୍ଷକ ମଧ୍ୟରେ ୨୭,୪୨୮ଟି ପଦବୀ ପୂରଣ ହୋଇଥିବାବେଳେ ଦ୍ୱିତୀୟବର୍ଷ ଶେଷ ସୁଦ୍ଧା ଆଉ ପ୍ରାୟ ୩୮ ହଜାର ପଦବୀ ପୂରଣ ହେବ । ମୋଟାମୋଟି ଭାବେ ପ୍ରଥମ ଦୁଇବର୍ଷରେ ୬୫ ହଜାର ପଦବୀ ପୂରଣ ଏବଂ ୫ବର୍ଷରେ ସର୍ବମୋଟ ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ଘୋଷଣା କରାଯାଇଛି ।

୫ବର୍ଷ ଭିତରେ ଅବସର, ଦଣ୍ଡବିଧାନ ଯୋଗୁ କାର୍ଯ୍ୟରୁ ବହିଷ୍କାର, କର୍ମଚାରୀଙ୍କ ମୃତ୍ୟୁ, ବାଧ୍ୟତାମୂଳକ ଓ ସ୍ୱେଚ୍ଛାକୃତ ଅବସର, ଇସ୍ତଫା ଯୋଗୁ କେତେ ପଦବୀ ଖାଲି ହେବ ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଭାବେ ପୂର୍ବରୁ ଆକଳନ କରାଯାଇନଥିଲେ ମଧ୍ୟ ଏହି ସଂଖ୍ୟା ୮୦ ହଜାରରୁ କମ୍‍ ହେବ ନାହିଁ ବୋଲି ଆଶଙ୍କା କରାଯାଉଛି । ଯଦି ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ୫ବର୍ଷରେ ଦେଢ଼ ଲକ୍ଷ ସରକାରୀ ଚାକିରି କ୍ଷେତ୍ରରେ ନିଯୁକ୍ତି ଦିଆଯାଏ ତେବେ ଖାଲି ଥିବା ପଦବୀ ସଂଖ୍ୟା ନିଶ୍ଚିତ ଭାବେ ହ୍ରାସ ପାଇବ । ୨୦୨୪ ଆରମ୍ଭରୁ ୨ଲକ୍ଷ ୫ ହଜାରରୁ ଅଧିକ ସରକାରୀ ଚାକିରି ଓଡ଼ିଶାରେ ଖାଲି ପଡିଥିବାବେଳେ ୫ବର୍ଷ ଭିତରେ ଏହି ସଂଖ୍ୟା ନୂଆ ନିଯୁକ୍ତି ଓ ଉକ୍ତ ସମୟ ମଧ୍ୟରେ ଖାଲି ହେଉଥିବା ଚାକିରିକୁ ହିସାବକୁ ନେଲେ ୨୦୨୯ ବେଳକୁ ଓଡ଼ିଶାରେ ପ୍ରାୟ ୧ଲକ୍ଷ ୩୫ ହଜାର ସରକାରୀ ଚାକିରି ଖାଲି ପଡିଥିବ ବୋଲି ବେସରକାରୀ ସ୍ତରରେ ଆଶଙ୍କା ବ୍ୟକ୍ତ କରାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ପ୍ରାୟ ୨୬ବର୍ଷ ତଳେ ଓଡ଼ିଶା ସରକାର ତାଙ୍କ ଆର୍ଥିକ ପରିଚାଳନାରେ ମିତବ୍ୟୟିତା ନୀତି ଆପଣାଇ ବ୍ୟାପକ ସଂଖ୍ୟକ ପଦପଦବୀ ଉଚ୍ଛେଦ କରିବା ସହିତ ନିଯୁକ୍ତି ଉପରେ କଟକଣା ଜାରି କରିଥିଲେ । ଏଥିଯୋଗୁ ବିଭିନ୍ନ ପଦପଦବୀରେ ପ୍ରତିବର୍ଷ ଯେତେ ସଂଖ୍ୟକ ଚାକିରି ଖାଲି ପଡୁଥିଲା ସେସବୁ ପୂରଣ ନକରି ମଝିରେ ମଝିରେ ଅଳ୍ପ କିଛି ପଦବୀ ପୂରଣ କରାଯିବା ଫଳରେ ୨୦୨୪ ଆରମ୍ଭ ସୁଦ୍ଧା ୨ଲକ୍ଷରୁ ଅଧିକ ପଦବୀ ଖାଲି ପଡିଥିଲା । ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ପୁଲିସ ବିଭାଗ ପର୍ଯ୍ୟନ୍ତ ଚାରିଆଡ଼େ ମାଳମାଳ ପଦବୀ ଖାଲି ପଡିବା ଫଳରେ ସେବା କ୍ଷେତ୍ର ପ୍ରଭାବିତ ହେବା ସହିତ ନିଯୁକ୍ତି ନପାଇ ଶିକ୍ଷିତ ବେକାରମାନେ ହନ୍ତସନ୍ତ ହେଉଛନ୍ତି । ଅବଶ୍ୟ ଇତିମଧ୍ୟରେ ସରକାର ଚାକିରି କ୍ଷେତ୍ରରେ ସର୍ବୋଚ୍ଚ ବୟସ ସୀମାକୁ ୩୨ରୁ ୪୨କୁ ବୃଦ୍ଧି କରିଛନ୍ତି । (ତଥ୍ୟ)