ଭୁବନେଶ୍ୱର : ଖରା ତାପରୁ ରାଜଧାନୀବାସୀଙ୍କୁ ରକ୍ଷା କରିବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବିଭିନ୍ନ ଛକରେ ବାନ୍ଧିଥିବା ଛାମୁଡିଆ ଆଉ ନାହିଁ । ମୌସୁମୀ ପ୍ରବେଶ କଥା ଶୁଣିବାମାତ୍ରେ ବିଏମସି ତୁରନ୍ତ ଏହାକୁ ହଟାଇ ନେଇଛି । ଫଳରେ ବିଭିନ୍ନ ଟ୍ରାଫିକ ଛକରେ ଏବେ ଦୁଇଚକିଆ ଆରୋହୀମାନେ ପୂର୍ବଭଳି ପ୍ରବଳ ଖରା ଓ ଗୁଳୁଗୁଳିରେ କଲବଲ ହେଉଛନ୍ତି ।
ରାଜଧାନୀର ବିଭିନ୍ନ ଟ୍ରାଫିକ ଛକର ସିଗ୍ନାଲ ପାଇଁ ଅଟକୁ ଥିବା ଦୁଇ ଚକିଆ ଓ ସାଇକେଲ ଆରୋହୀମାନଙ୍କ ଉପରେ ଯେଭଳି ଟାଣ ଖରା ନପଡିବ ସେଥିପାଇଁ ପ୍ରାୟ ସମସ୍ତ ଟ୍ରାଫିକ ଛକରେ ଛାମୁଡିଆ ବନ୍ଧା ହୋଇଥିଲା । ଲୋକଙ୍କ ଉପରେ ଯେଭଳି ଖରାନପଡିବ ସେଥିପାଇଁ ରାସ୍ତାର ଉଭୟ ପଟରେ ବାଉଶଁ ପୋତି ତାହା ଉପରେ ପାଲ ପକାଯାଇଥିଲା । କେଉଁଠାରେ ନୀଳ ରଙ୍ଗର ପାଲ ପଡିଥିଲା ତ ଆଉ କେଉଁଠାରେ ନାଲି ରଙ୍ଗ ଲଗାଯାଇଥିଲା । ଲୋକେ ବି ଟିକେ ଛାଇ ପାଇ ଆଶ୍ୱସ୍ତ ହୋଇଥିଲେ ।
ତେବେ କେତେକ ସ୍ଥାନରେ ବାଉଁଶ ପୋତିବାପାଇଁ ବିଏମ୍ସି ପକ୍ଷର ପିଚୁ ରାସ୍ତା ଖୋଳାଯିବାରୁ ପୂର୍ତ୍ତ ବିଭାଗ ପକ୍ଷରୁ ଆପତ୍ତି ଉଠାଯାଇଥିଲା । ପୂର୍ତ୍ତ ବିଭାଗ ବିଭିନ୍ନ ସ୍ଥାନରେ ତିଆରି କରୁଥିବା ମଜବୁତ୍ ପିଚୁ ରାସ୍ତାକୁ ନତାଡିବାପାଇଁ ତାଗିଦା କରିବା ଯୋଗୁଁ ବିଏମ୍ସି କିଛି ସ୍ଥାନରୁ ତାହାର ଛାମୁଡିଆ ହଟାଇ ନେଇଥିଲା । ସେଭଳି କିଛି ଦୁର୍ଘଟଣା ଘଟିନଥିଲେ ମଧ୍ୟ ଏହାପରେ ଛାମୁଡିଆ ଭାଙ୍ଗିଯିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ବିଶେଷକରି ରାଜଧାନୀରେ କାଳବୈଶାଖୀ ପ୍ରଭାବରେ ଜୋର ପବନ ଦେବାରୁ କିଛି ଲୋକ ଏଭଳି ଅପପ୍ରଚାର ଚଳାଇଲେ ।
ଏହାରି ଭିତରେ ରାଜ୍ୟରେ ମୌସୁମୀ ପ୍ରବେଶ ନେଇ ଖବର ବି ପ୍ରକାଶ ପାଇଲା । ଲଘୁଚାପ ପ୍ରଭାବରେ ଓଡିଶାରେ ମୌସୁମୀ ପ୍ରବେଶ କରିବା ସହିତ ଦୁଇ ଦିନ ଭଲବର୍ଷା ବି ହୋଇଥିଲା । ଏହା ଜାଣିବା ପରେ ବିଏମ୍ସି ତୁରନ୍ତ ତାହାର ଛାମୁଡିଆକୁ ତୁରନ୍ତ ହଟାଇ ନେଇଥିଲା । ଏବେ ଓଡିଶାରୁ ମୌସୁମୀ ଏକ ପ୍ରକାରା ଗାଏବ । ପ୍ରବଳ ଖରା ଓ ଗୁଳୁଗୁଳିରେ ରାଜଧାନୀବାସୀ ସନ୍ତୁଳି ହେଉଛନ୍ତି ।
ଏଭଳି ସ୍ଥିତିରେ ବିଏମ୍ସି ଆଉ ଛାମୁଡିଆ ବାନ୍ଧିବ କି ନାହିଁ ତାହା ସ୍ଥିର କରିପାରୁନଥିବାବେଳେ ଲୋକେ କିନ୍ତୁ ଖରାରେ ସିଝି ଯାଉଛନ୍ତି । ଟ୍ରାଫିକ ଛକ ଗୁଡିକରେ ଅଟକିବାମାତ୍ରେ ଅନେକ ଉପରକୁ ଚାହୁଁଥିବାବେଳେ ଛାମୁଡିଆ ନଦେଖି ହତାଶ ହେଉଛନ୍ତି । ଡହ ଡହ ଖରାରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ କଲବଲ ହେଉଛନ୍ତି । ଗତ କିଛିବର୍ଷ ଧରି ବିଏମ୍ସି ପକ୍ଷରୁ ଲୋକଙ୍କପାଇଁ ଏଭଳି ଛାମୁଡିଆ ବନ୍ଧା ହେଉଥିଲେ ମଧ୍ୟ ଚଳିତବର୍ଷ ଭଳି ଖରା ସମୟରେ ଏଭଳି କେବେ ଖୋଲା ହୋଇନଥିବା ରାଜଧାନୀର ପଥଚାରୀମାନେ ମତ ଦେଉଛନ୍ତି । (ତଥ୍ୟ)