ଭୁବନେଶ୍ୱର : ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବାସସ୍ଥାନ, ଜାତି, ଆୟ ଭଳି ପ୍ରମାଣପତ୍ର ଦେବାପାଇଁ ରାଜସ୍ୱ ନିରୀକ୍ଷକ (ଆରଆଇ)ମାନେ ଏଣିକି ବିଦ୍ୟାଳୟକୁ ଯିବେ । ବିଦ୍ୟାଳୟରେ କ୍ୟାମ୍ପକରି ଅଗଷ୍ଟ ୩୧ତାରିଖ ପୂର୍ବରୁ ସାର୍ଟିଫିକେଟ ପ୍ରଦାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ନୂତନ ମାର୍ଗଦର୍ଶିକା ଆଧାରରେ ଛାତ୍ରଛାତ୍ରୀମାନେ ଯେଭଳି ଆବଶ୍ୟକ ସାର୍ଟିଫିକେଟ ପାଇବେ ସେ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ଏବେଠାରୁ ଆରଆଇ ମାନେ ଦିନ ଧାର୍ଯ୍ୟକରି ବିଦ୍ୟାଳୟରେ କ୍ୟାମ୍ପ ପକାଇବା ସହିତ ପ୍ରଧାନଶିକ୍ଷକ ଓ ଶିକ୍ଷକମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଫର୍ମ ପ୍ରଦାନ କରିବେ । ଜିଲ୍ଲା ସ୍ତରରେ ଏହି ଫର୍ମ ଛପାଇବେ ଓ ଏହାର ଖର୍ଚ୍ଚ ୟୁଜର୍ସ ଫିରୁ ଭରଣା ହେବ ।
ଛାତ୍ରଛାତ୍ରୀମାନେ ଆବଶ୍ୟକ କାଗଜପତ୍ର ସହିତ ଫର୍ମପୂରଣ କରିବେ ଏବଂ ସେଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ରହିବ । ଏହି ଫର୍ମକୁ ଖରାଛୁଟି ପରେ ଛାତ୍ରଛାତ୍ରୀମାନେ ଆଣିବେ । ଆରଆଇମାନେ ଜୁଲାଇ କିମ୍ବା ସ୍ଥିର ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନେ ଦେଇଥିବା ଫର୍ମର ସତ୍ୟାସତ୍ୟ ପ୍ରଧାନଶିକ୍ଷକ ଓ ଶ୍ରେଣୀ ଶିକ୍ଷକଙ୍କ ଉପସ୍ଥିତିରେ ଯାଞ୍ଚ କରିବେ । ଏହାପରେ ଆରଆଇମାନେ ପ୍ରଧାନଶିକ୍ଷକଙ୍କ ଠାରୁ ଆବେଦନପତ୍ରଗୁଡିକ ଆଣିବା ସହିତ ତାହା ଯେଭଳି ଅନ୍ଲାଇନ୍ ବ୍ୟବସ୍ଥାରେ ଇ-ଜିଲ୍ଲା ପୋର୍ଟାଲରେ ଅପ୍ଲୋଡ୍ ହେବ ତାହା ନିଶ୍ଚିତ କରିବେ ।
ଆରଆଇମାନେ ଯାଞ୍ଚ ରିପୋର୍ଟକୁ ତହସିଲଦାରଙ୍କ ନିକଟରେ ଦାଖଲ କରିବେ ଏବଂ ପରେ ସମ୍ପୃକ୍ତ ତହସିଲଦାର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ସପକ୍ଷରେ ସାର୍ଟିଫିକେଟ ଜାରି କରିବେ । ଆରଆଇମାନେ ସାର୍ଟିଫିକେଟ ଆଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ତାହା ପ୍ରଦାନ କରିବେ । ଏହି ସମସ୍ତ ପ୍ରକ୍ରିୟା ଅଗଷ୍ଟ ୩୧ତାରିଖ ସୁଦ୍ଧା ସରିବ । ଛାତ୍ରଛାତ୍ରୀମାନେ ସେମାନଙ୍କ ସାର୍ଟିଫିକେଟକୁ ନିଜେ ଇ-ଜିଲ୍ଲା ପୋର୍ଟାଲ ମେଲ୍ ବକ୍ସ କିମ୍ବା ଡିଜି ଲକରରୁ ଡାଉନଲୋଡ କରିପାରିବେ ।
ତଦନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଏବଂ ପଛୁଆବର୍ଗ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଯୋଜନା ଯେଭଳି ସଫଳ ହେବ ସେ କ୍ଷେତ୍ରରେ ସହାୟତା ପାଇଁ ସେମାନଙ୍କ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ବିଦ୍ୟାଳୟରେ ସାର୍ଟିଫିକେଟ ପ୍ରଦାନ ସହିତ ସରକାରଙ୍କୁ ଆବଶ୍ୟକ ସୂଚନା ପ୍ରଦାନ ଲାଗି ଜିଲ୍ଲା ସ୍ତରରେ ଉପଜିଲ୍ଲାପାଳଙ୍କୁ ନୋଡାଲ ଅଫିସରଭାବେ ମନୋନିତ କରାଯାଇପାରେ । ଉପଜିଲ୍ଲାପାଳ ସାପ୍ତାହିକ ଭିତ୍ତିରେ କାର୍ଯ୍ୟକ୍ରମର ସମୀକ୍ଷା କରିବେ ଏବଂ ଧାର୍ଯ୍ୟ ସମୟରେ ଏହା ଯେଭଳି କାର୍ଯ୍ୟକାରୀ ହେବ ଜିଲ୍ଲାପାଳମାନେ ତାହା ନିଶ୍ଚିତ କରିବେ ।