Home General ସ୍ୱରେଜ ଲାଇନ୍‍କୁ ସମସ୍ୟା କନଜରଭେନ୍ସି ଟାଇଲ୍‍

ସ୍ୱରେଜ ଲାଇନ୍‍କୁ ସମସ୍ୟା କନଜରଭେନ୍ସି ଟାଇଲ୍‍

ଭୁବନେଶ୍ୱର : କନଜରଭେନ୍ସିରେ ପରିବା ହାଟ ଖୋଲିବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଘୋଷଣା ଅଧାରେ ରହିଯାଇଥିବାବେଳେ କନଜରଭେନ୍ସିରେ ପଡିଥିବା ଟାଇଲ୍‍ ଏବେ ଅନେକ ସ୍ଥାନରେ ଲୋକଙ୍କ ପାଇଁ ସମସ୍ୟା ହେଲାଣି । ନିମ୍ନମାନର କାମ ଯୋଗୁଁ ଟାଇଲ ଉଠିବା ସହିତ ଟାଇଲ୍‍ ତଳେ ଥିବା ବାଲିଗୁଡିକ ସ୍ୱରେଜ ଲାଇନ୍‍ରେ ପଶିବାରେ ଲାଗିଛି ।

ସରକାରୀ କ୍ୱାଟର୍ସ ଓ ବାସଗୃହ ମଧ୍ୟଭାଗରେ ଥିବା କନଜରଭେନ୍ସିଗୁଡିକ ମଶା ଓ ମୂଷାଙ୍କ ବାସସ୍ଥାନ ନେଇ ବାରମ୍ବାର ଅଭିଯୋଗ ହେବାପରେ ଏହାକୁ ସଫା କରିବା ସହିତ ଏଠାରେ ଟାଇଲ୍‍ ବିଛାଇବା ପାଇଁ ବିଏମସି ପଦକ୍ଷେପ ଗ୍ରହଣ କରିଥିଲା । ଏଭଳି ପଦକ୍ଷେପକୁ ସବୁଆଡୁ ସ୍ୱାଗତ କରାଯାଇଥିଲା । କନଜରଭେନ୍ସିରେ ଥିବା ଶହ ଶହ ଟ୍ରକ ଅଳିଆକୁ ଉଠାଇ ସେହି ସ୍ଥାନରେ କର୍ତ୍ତୃପକ୍ଷ ଟାଇଲ୍‍ ବିଛାଇଥିଲେ ।

ଟାଇଲ୍‍ ବିଛା କାର୍ଯ୍ୟ ସରିବାପରେ ଏହାକୁ ନେଇ ଜୋରଦାର ପ୍ରଚାର ହୋଇଥିଲା । ବିଏମ୍‍ସି କର୍ତ୍ତୃପକ୍ଷ ଏହାର ଫଟୋକୁ ବିଭିନ୍ନ ସୋସିଆଲ ମିଡିଆରେ ଛାଡି ନିଜର ସଫଳତା ବୋଲି ଦର୍ଶାଇଥିଲେ । ତେବେ ଟାଇଲ୍‍ ପଡି କନଜଭେନ୍ସିଂଗୁଡିକ ଚକାଚକ୍‍ ହେବାପରେ ସେଠାରେ ପରିବା ବଜାର ଖୋଲାଯିବ ବୋଲି ବିଏମ୍‍ସି ଘୋଷଣା କରିଥିଲା । ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ହାତକୁ ରୋଜଗାର ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ଲୋକେ ବି ଉତ୍ସାହିତ ହୋଇଥିଲେ ।

ତେବେ ବିଏମ୍‍ସି ଏହି ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ରାଜ୍ୟରେ ସରକାର ବଦଳି ଯିବାରୁ ଯୋଜନାଟି ଶୀତଳଭଣ୍ଡାରରେ ରହିଗଲା । କନଜରଭେନ୍ସିଂ ସଫା ସୁତରା ହୋଇଥବାରୁ କେତେକ ସ୍ଥାନରେ ଲୋକେ ଏଠାରେ ଜବରଦଖଲ କରି ବସବାସ ବି ଆରମ୍ଭ କରିଦେଲେଣି । ପରିବା ହାଟ ଖୋଲିବାକୁ ଘୋଷଣା କରିଥିବା ବିଏମ୍‍ସି ଏବେ ଏହି ଜବରଦଖଲ ହଟାଇବାକୁ ଆଗ୍ରହ ପ୍ରକାଶ କରୁନାହିଁ ।

ତେବେ ଟାଇଲ୍‍ ବିଛାଇବାପାଇଁ ଠିକାଦାରମାନେ ଯେଉଁ ବାଲି ପକାଇଥିଲେ ତାହା ଏବେ କନଜନଭେନ୍ସିରେ ଥିବା ସ୍ୱରେଜ ଲାଇନ୍‍ ପାଇଁ କାଳ ହୋଇଛି । ବାଲିଗୁଡିକ ଦବିଯିବା ଫଳରେ ବହୁ ସ୍ଥାନରେ ଟାଇଲ୍‍ ଧସେଇ ଗଲାଣି । ବାଲିଗୁଡିକ ସ୍ୱରେଜ ଲାଇନ୍‍ରେ ପଶିବା ଯୋଗୁଁ ତାହା ଜାମ୍‍ ହୋଇଯାଉଛି । ଲୋକେ ଏ ନେଇ ବାରମ୍ବାର ଅଭିଯୋଗ କରିବାରେ ଲାଗୁଛନ୍ତି । ତେବେ ଠିକାଦାରମାନେ କାମ କରିବା ସମୟରେ ଯନ୍ତ୍ରୀମାନେ କାର୍ଯ୍ୟ ତଦାରଖ ନକରି ବିଲ୍‍ ପଇଠ କରିଦେବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି ।

ସ୍ୱରେଜ ଲାଇନ୍‍ରେ ଜମୁଥିବା ଏହି ବାଲି କଢାଯାଉଥିବାବେଳେ ତାହାକୁ ବହୁ ସ୍ଥାନରେ ଠିକାଦାରମାନେ ଉଠାଉନଥିବାରୁ ଅସରାଏ ବର୍ଷା ହେଲେ ତାହା ପୁଣି ସ୍ୱରେଜ ଲାଇନ୍‍ରେ ପଶିଯାଉଛି । ତେଣୁ ଯେଉଁସବୁ ସ୍ଥାନରେ କନଜରଭେନ୍ସିରେ ଏଭଳି ଦୁର୍ବଳ ଟାଇଲ୍‍ କାମ ହୋଇଛି ତାହାର ତଦାରଖ କରି ମରାମତି କରାଯିବା ସହିତ କନଜରଭେନ୍ସିରେ ହେଉଥିବା ଜବରଦଖଲ ଉଠାନଗଲେ ତାହା ପୁଣିଥରେ ମଶା ଓ ମୂଷାଙ୍କ ବାସସ୍ଥାନ ପାଲଟିବ ବୋଲି ମତପ୍ରକାଶ ପାଇଲାଣି । (ତଥ୍ୟ)