Home Health ସପ୍ତାହରେ ଦୁଇଗୁଣ କରୋନା ରୋଗୀ

ସପ୍ତାହରେ ଦୁଇଗୁଣ କରୋନା ରୋଗୀ

ଭୁବନେଶ୍ୱର: ସପ୍ତାହକ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ଦୁଇଗୁଣ ହୋଇଛି । ମାର୍ଚ୍ଚ ୩୧ ତାରିଖରେ ରାଜ୍ୟରେ ୩୯୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତକାଲି ଏହି ସଂଖ୍ୟା ୭୯୧ରେ ପହଞ୍ଚିଛି । ସେହିଭଳି ସପ୍ତାହକ ମଧ୍ୟରେ କରୋନା ସଂକ୍ରମିତ ଜିଲ୍ଲା ସଂଖ୍ୟା ୨୫ରୁ ବଢ଼ି ୨୯ ଛୁଇଁଛି ।

ମାର୍ଚ୍ଚ ୩୧ରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତକାଲି ସୁଦ୍ଧା ଏହି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି । ତେବେ ଗତକାଲି ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ସର୍ବାଧିକ ୧୪୭ ଜଣ ସୁନ୍ଦରଗଡ଼ ଜିଲ୍ଲାର ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୭୯୧ ସଂକ୍ରମିତଙ୍କ ମଧ୍ୟରୁ ୪୫୯ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ଲୋକାସ କେସ ସଂଖ୍ୟା ୩୩୨ । ଗୋଟିଏ ଦିନରେ ଜଣେ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି । ସଂକ୍ରମିତ ଅନ୍ୟ ୨୯ ଜିଲ୍ଲା ମଧ୍ୟରୁ ବରଗଡ଼ରୁ ୪୮, କଟକରୁ ୪୬, ସମ୍ବଲପୁରରୁ ୪୫, ପୁରୀରୁ ୪୩, କେନ୍ଦୁଝରରୁ ୩୯, କଳାହାଣ୍ଡିରୁ ୩୮, ଝାରସୁଗୁଡ଼ା ଓ ନୂଆପଡ଼ାରୁ ୩୧କରି, ମୟୂରଭଞ୍ଜରୁ ୨୪, ନବରଙ୍ଗପୁରରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହି ସମୟ ମଧ୍ୟରେ କେନ୍ଦ୍ରାପଡ଼ା ଓ ଦେବଗଡ଼ ଜିଲ୍ଲାରୁ ଜଣେକରି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ଓ ମାଲକାନଗିରି ଜିଲ୍ଲାରୁ ୨ ଜଣକରି, ଢେଙ୍କାନାଳରୁ ୩, କନ୍ଧମାଳରୁ ୪ ଏବଂ ନୟାଗଡ଼ ଜିଲ୍ଲାରୁ ୭ ଜଣ ସଂକ୍ରମିତ ବାହାରିଛନ୍ତି ।

ଆଜିସୁଦ୍ଧା ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୮୪,୬୪୭ ଥିବା ବେଳେ ଏମାନଙ୍କ ମଧ୍ୟରୁ ୩,୩୮,୪୧୬ ଜଣ ସୁସ୍ଥ ହୋଇଛନ୍ତି । କରୋନା ସଂକ୍ରମଣରେ ୧୯୨୩ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୫୩ ଜଣ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ଏବେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪୨୫୫ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ କରୋନା ନମୁନା ପରୀକ୍ଷା ସଂଖ୍ୟା ୯୨,୪୪,୫୭୪ ଥିବା ଜଣାଯାଇଛି ।