ଭୁବନେଶ୍ୱର : ରାଜ୍ୟରେ ଥିବା ୬ଲକ୍ଷରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀରେ ୭୦ଲକ୍ଷ ମହିଳା ସଦସ୍ୟ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ମହିଳା ସଦସ୍ୟା ରହିଛନ୍ତି ।
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉପରେ ବିଧାୟକ ନବଚରଣ ମାଝି ପଚାରିଥିବା ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ, ମିଶନ୍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ମୋଟ୍ ୬,୦୨,୦୧୩ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଥିବା ବେଳେ ଏଥିରେ ସଦସ୍ୟାଙ୍କ ସଂଖ୍ୟା ହେଉଛି ୭୦ଲକ୍ଷ ୧୦ଜଣ ।
ଏହି ସଂଗଠିତ ମହିଳାମାନଙ୍କ ଆର୍ଥିକ ପ୍ରଗତି ନିମନ୍ତେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଆର୍ଥିକ ପ୍ରଦାନ କରାଯାଉଛି । ସିଡ୍ ମନି ବାବଦରେ ୨୦୧୮-୧୯ ବର୍ଷରେ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ୪୬୯ କୋଟି ୨୬ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥ ମୋଟ୍ ୩,୧୨,୮୪୪ଟି ସ୍ୱୟଂ ସହାୟିକା ଗୋଷ୍ଠୀ ସପକ୍ଷରେ ମଞ୍ଜୁର ହୋଇଛି ।
ମହିଳା ସଦସ୍ୟାମାନଙ୍କୁ ଡିଜିଟାଲ ସଶକ୍ତିକରଣ କରିବା ଲାଗି ୨୦୧୮-୧୯ ଓ ୨୦୧୯-୨୦ ବର୍ଷରେ ୬ଲକ୍ଷ ୭୪୫ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ମୋଟ୍ ୧୮୦ କୋଟି ୨୨ଲକ୍ଷ ୩୫ହଜାର ଟଙ୍କା ଯୋଗାଇ ଦିଆଯାଇଛି । ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାକୁ ୧୨ କୋଟିରୁ ଅଧିକ ଟଙ୍କା ଦିଆଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାକୁ ୧୧ କୋଟି ୮୫ ଲକ୍ଷରୁ ଅଧିକ ଟଙ୍କା ଦିଆଯାଇଥିବା ବେଳେ ବାଲେଶ୍ୱର, ବୌଦ୍ଧ, କଟକ, ପୁରୀ ଜିଲ୍ଲାକୁ ୯ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି । (ତଥ୍ୟ)