Home News in Odia
91
0

ଭୁବନେଶ୍ୱର : ଓଡିଶାରେ ପ୍ରାୟ ୩କୋଟି କୁକୁଡା ଥିବା ଏବଂ ପ୍ରତିବର୍ଷ ରାଜ୍ୟ ବାର୍ଡଫ୍ଲୁର ସାମ୍ନା କରୁଥିବାରୁ ଭୁବନେଶ୍ୱର ଠାରେ ଏକ ଆଞ୍ଚଳିକ ରୋଗ ଚିହ୍ନଟ ପରୀକ୍ଷାଗାର (ଆରଡିଡିଏଲ୍‍) ପ୍ରତିଷ୍ଠା ଜରୁରୀ ହୋଇପଡିଛି । ଏହି ଯୁକ୍ତି ଦର୍ଶାଇ ଆଭିଆନ ଇନ୍‍ଫ୍ଲୁଏଞ୍ଜା (ଏଆଇ) ପରୀକ୍ଷା ପାଇଁ ବିଏସ୍‍ଏଲ୍‍ -୩ ପରୀକ୍ଷାଗାର ଭୁବନେଶ୍ୱର ଠାରେ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ଏବଂ ଦୁଗ୍ଧ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି ।

୨୦୧୧-୧୨ରୁ ଏବେ ସୁଦ୍ଧା ଓଡିଶା ୧୫ଥର ବାର୍ଡଫ୍ଲୁ ରୋଗର ସମ୍ମୁଖୀନ ହୋଇଥିବାବେଳେ ଲକ୍ଷାଧିକ କୁକୁଡାଙ୍କୁ ହତ୍ୟା କରାଯାଇଛି । ଓଡିଶାରେ ପ୍ରାୟ ୩କୋଟି କୁକୁଡା ଥିବାବେଳେ ପ୍ରତିବର୍ଷ ଶୀତଦିନେ ଚିଲିକା, ଭିତରକନିକା ଏବଂ ହୀରାକୁଦ ଜଳଭଣ୍ଡାରକୁ ୧୫ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ ଆସିଥାନ୍ତି । ଏହି ବିଦେଶାଗତ ପକ୍ଷୀମାନେ ହିଁ ବାର୍ଡଫ୍ଲୁର ବାହକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ପ୍ରତିବର୍ଷ ଓଡିଶା ପକ୍ଷରୁ ପକ୍ଷୀମୃତ୍ୟୁ ଓ ଅନ୍ୟାନ୍ୟ କାରଣ ଜାଣିବାକୁ ଲକ୍ଷାଧିକ ନମୂନା ପରୀକ୍ଷା ପାଇଁ କୋଲକାତା ସ୍ଥିତ ଆରଡିଡିଏଲ୍‍ ଏବଂ ଭୋପାଳ ଠାରେ ଥିବା ଜାତୀୟ ଉଚ୍ଚ କ୍ଷମତା ସମ୍ପନ୍ନ ପଶୁ ରୋଗ ପ୍ରତିଷ୍ଠାନ (ଏନ୍‍ଆଇଏଚ୍‍ଏସ୍‍ଏଡି)କୁ ପଠାଯାଇଥାଏ । ଏହି ଦୁଇ ପ୍ରତିଷ୍ଠାନରେ ନମୂନା ପରୀକ୍ଷା ସମୟସାପେକ୍ଷ ହୋଇଥିବାବେଳେ ସୀମିତ କ୍ଷମତା ମଧ୍ୟରେ ପ୍ରତିଦିନ ସେଠାରେ ଅଧିକ ନମୂନା ପହଞ୍ଚୁଥିବାରୁ ରିପୋର୍ଟ ଦେବାରେ ଅସୁବିଧା ହେଉଛି ।

ଓଡିଶା ସରକାର କୋଭିଡ ମହାମାରୀର ସଫ, ମୁକାବିଲା କରିଥିବାବେଳେ ମହାମାରୀ ସମୟରେ କୁକୁଡାଚାଷୀଙ୍କୁ ଜୀବିକା ସହାୟତା ଯୋଗାଇଛନ୍ତି । ତେବେ ନିୟମିତ ଭାବେ ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଦେବା ସହିତ ତାହା ଓଡିଶାର କୁକୁଡା ଶିଳ୍ପ ପାଇଁ ବିପଦ ସୃଷ୍ଟି କରୁଛି । ଠିକଣା ସମୟରେ ତ୍ୱରିତ ଭାବେ ଭୂତାଣୁ ଚିହ୍ନଟ କରାଯାଇପାରିଲେ ବାର୍ଡଫ୍ଲୁ ବ୍ୟାପିବାକୁ ରୋକାଯିବା ସହିତ କୁକୁଡାଚାଷୀଙ୍କ ଜୀବନ ଜୀବିକାକୁ ସୁରକ୍ଷିତ କରାଯାଇ ପାରିବ ।

ଦେଶରେ ୫ଟି ଆରଡିଡିଏଲ୍‍ ଥିବାବେଳେ କୁକୁଡାଙ୍କ ସଂଖ୍ୟା ଓ ବାର୍ଡଫ୍ଲୁ ସଂକ୍ରମଣ ଦର୍ଶାଇ ଓଡିଶା ଆଉ ଗୋଟିଏ ଆରଡିଡିଏଲ୍‍ ଆବଶ୍ୟକ କରିଛି । ଆରଡିଡିଏଲ୍‍ ସହିତ ବିଏସ୍‍ଏଲ୍‍-୩ ପରୀକ୍ଷାଗାର ପ୍ରତିଷ୍ଠା ହେଲେ ଏହା ତ୍ୱରିତ ରୋଗ ଚିହ୍ନଟକରି ଚାଷୀଙ୍କୁ ସହାୟତା କରିବା ସହିତ ରାଜ୍ୟ ଅର୍ଥନୀତିକୁ ମଧ୍ୟ ସୁରକ୍ଷା ଦେଇପାରିବ ବୋଲି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଆଣ୍ଟିଜେନ୍‍ କିଟ୍‍ ଜରିଆରେ ବାର୍ଡଫ୍ଲୁ ଭୂତାଣୁ ଚିହ୍ନଟ ପାଇଁ ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ପ୍ରଶିକ୍ଷଣପ୍ରାପ୍ତ ମାନବସମ୍ବଳ ରହିଛନ୍ତି । ଏଭଳି ସ୍ଥିତିରେ ଓଡିଶାରେ ତୁରନ୍ତ ପରୀକ୍ଷାଗାର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here