Home General ମଶା ତେଲରେ ବିଏମସିର ଖର୍ଚ୍ଚ କୋଟିଏରୁ ଅଧିକ

ମଶା ତେଲରେ ବିଏମସିର ଖର୍ଚ୍ଚ କୋଟିଏରୁ ଅଧିକ

ଭୁବନେଶ୍ୱର : ରାଜଧାନୀରେ ମଶା ନିପାତ ପାଇଁ ଗୋଟିଏ ବର୍ଷରେ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମଶାତେଲ ପକାଯାଇ ସାରିଲାଣି । ଏହା ପରେ ବି ମଶା କାମୁଡାରେ ଲୋକେ କଲବଲ ହେବାରେ ଲାଗିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ କେବଳ ମଶାତେଲ ବାବଦରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ୨୦୨୪ ବର୍ଷରେ ୧.୧୬,୮୮,୧୨୬ ଟଙ୍କା ଖର୍ଚ୍ଚ କରିଛି । ଏହା ସମଗ୍ର ରାଜ୍ୟରେ ଥିବା ପୌରାଞ୍ଚଳ ମଧ୍ୟରେ ସର୍ବାଧିକ । ମଶା ନିୟନ୍ତ୍ରଣ ପାଇଁ ବିଏମ୍‍ସି କୋଟିଏ ରୁ ଅଧିକ ଟଙ୍କାର ମଶାତେଲ ସିଞ୍ଚନ ଓ ବିଶୋଧନ ପାଇଁ ବ୍ୟବହାର କରିଥିବାବେଳେ ରାଜଧାନୀବାସୀ କିନ୍ତୁ ମଶା କାମୁଡାରେ କଲବଲ ହେଉଛନ୍ତି ।

ସହରରେ ଏବେ ବିଭିନ୍ନ ସ୍ଥାନରେ ମଶାଙ୍କ ସାନ୍ଧ୍ରତା ଢେର ଅଧିକ ରହୁଛି । ଗ୍ରୀଷ୍ମ ଲହରୀ ଆରମ୍ଭ ହୋଇଥିଲେ ମଧ୍ୟ ସଂଧ୍ୟା ସମୟରେ ଖୋଲା ସ୍ଥାନରେ ଛିଡାହେବା କଷ୍ଟକର ହୋଇପଡୁଛି । ସେହିଭଳି ଛାତ୍ରଛାତ୍ରୀମାନେ ବିନା ମଶାବତୀ କିମ୍ବା ମଶା ମରା ର‌୍ୟାକେଟ ନଧରିଲେ ପାଠପଢିପାରୁ ନାହାନ୍ତି । ଏଥିଯୋଗୁଁ ରାଜଧାନୀରେ ଏବେ ମଶା ନିୟନ୍ତ୍ରଣ ସାମଗ୍ରୀର ବିକ୍ରି ବଢି ଯାଉଛି ।

ତେବେ ବିଏମ୍‍ସିର ୬୭ଟି ୱାର୍ଡରେ ମଶାତେଲ ସିଞ୍ଚନ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳ ନଥିବା ଓ ମଶାଧୁଆଁ ଛାଡିବାପାଇଁ ଆବଶ୍ୟକ ଯନ୍ତ୍ରପାତି ନଥିବାବେଳେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ମଶାତେଲ ବର୍ଷକ ମଧ୍ୟରେ କିଭଳି କେଉଁଠାରେ ବ୍ୟବହାର ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛି । କାରଣ ସହରରେ କାଁ ଭାଁ ମଶାତେଲ ସିଞ୍ଚନକାରୀଙ୍କୁ ଦେଖିବାକୁ ମିଳୁଥିବାବେଳେ କେବଳ ଭିଆଇପି ଓ ଭିଭିଆଇପି ଅଞ୍ଚଳରେ ମଶାଧୁଆଁ ଗାଡି ବାରମ୍ବାର ପଇଁତରା ମାରୁଥିବା ଦେଖାଯାଏ । ଅନ୍ୟ ସ୍ଥାନରେ ଯଦି ଲୋକେ ଅଭିଯୋଗ କଲେ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ପାଏ ତେବେ ମଶାତେଲ ସିଞ୍ଚନକାରୀମାନେ ସେଠାରେ ଯାଇ ମଶା ଲାର୍ଭାମରା ତେଲ ପକାଇଥାନ୍ତି ।

ତେବେ ବିଏମ୍‍ସି ଗୋଟିଏ ବର୍ଷରେ କୋଟିଏରୁ ଅଧିକ ଟଙ୍କାର ମଶାତେଲ ଖର୍ଚ୍ଚ କରିଥିବାବେଳେ କଟକ ମହାନଗର ନିଗମରେ ଏହି ପରିମାଣ ୨୭ଲକ୍ଷ ୮୪ ହଜାର ଟଙ୍କା ରହିଛି । ବଡବିଲ ମ୍ୟୁନିସିପାଲିଟିରେ ମଶାତେଲ ବାବଦରେ ୪୭ଲକ୍ଷ ୪୩ ହଜାର ଟଙ୍କା ବ୍ୟୟ ହୋଇଥିବା ଯୋଡା ମ୍ୟୁନିସିପାଲିଟରେ ୨୫ଲକ୍ଷ ୪୩ହଜାର, ଜଟଣୀ ମ୍ୟୁନିସିପାଲଟିରେ ୨୪ଲକ୍ଷ ୭୦ହଜାର, ଜୟପୁର ମ୍ୟୁନିସିପାଲିଟିରେ ୧୨ଲକ୍ଷ ୪୦ହଜାର, ରାୟଗଡା ମ୍ୟୁନିସିପାଲିଟିରେ ୬୭ଲକ୍ଷ ୪୪ହଜାର, ପୁରୀ ମ୍ୟୁନିସିପାଲିଟିରେ ୩୧ଲକ୍ଷ ୫୬ହଜାର, ଭଦ୍ରକ ମ୍ୟୁନିସିପାଲଟିରେ ୨୨ଲକ୍ଷ ୯୮ହଜାର ଟଙ୍କା ମଶାତେଲ ବାବଦରେ ବ୍ୟୟ ହୋଇଛି ।

ମଶା ବଂଶ ନିପାତ ପାଇଁ ସରକାର ମଶାତେଲ ବାବଦରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଭୁବନେଶ୍ୱର ଭଳି ବହୁ ସ୍ଥାନରୁ ଲୋକେ ମଶା କାମୁଡାରେ କଲବଲ ହେଉଥିବାର ଖବର ବାରମ୍ବାର ପ୍ରକାଶିତ ହେଉଛି । ତେବେ ମଶାତେଲ କିଣାରେ ହେରଫେର ଯୋଗୁଁ ନିକଟରେ ଝାରସୁଗୁଡା ମ୍ୟୁନିସିପାଲିଟିରେ କେତେ ଅଧିକାରୀ ଜେଲ୍‍ ଯାଇଥିଲେ । ସେଠାରେ ମଶାତେଲ ବାବଦରେ ୧୪ଲକ୍ଷ ୭୨ହଜାର ଟଙ୍କା ବ୍ୟୟ ହୋଇଥିବାବେଳେ ଅଧିକାରୀମାନେ ମଶାତେଲ ଦରକୁ ବହୁଗୁଣିତ କରି ବ୍ୟାପକ ହେରଫେର କରିଥିବା ସରକାରଙ୍କ ନଜରକୁ ଆସିଥିଲା । (ତଥ୍ୟ)