Home Energy ତିନି ଲକ୍ଷ ସୌର ଶକ୍ତି ସଂଯୋଗ ଲକ୍ଷ୍ୟ

ତିନି ଲକ୍ଷ ସୌର ଶକ୍ତି ସଂଯୋଗ ଲକ୍ଷ୍ୟ

ଭୁବନେଶ୍ୱର : ଆସନ୍ତା ଦୁଇ ବର୍ଷ ମଧ୍ୟରେ ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ରାଜ୍ୟରେ ୩ଲକ୍ଷ ସୌର ପ୍ୟାନେଲ ସଂଯୋଗ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଆବେଦନକାରୀଙ୍କ ସଂଖ୍ୟା ୯୦ ହଜାର ଛୁଇଁଲାଣି । ତେବେ ଆବେଦନକାରୀଙ୍କ ମଧ୍ୟରୁ ପ୍ୟାନେଲ୍‍ ସଂଯୋଗ ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୫ ପ୍ରତିଶତ ବି ହୋଇପାରି ନାହିଁ ।

ଅକ୍ଷୟଶକ୍ତି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ସହିତ ସରକାରୀ ଦପ୍ତର, ବିଭିନ୍ନ ସଂସ୍ଥା ଓ ସାଧାରଣ ଲୋକେ ଯେଭଳି ସୌରଶକ୍ତିର ବ୍ୟବହାର କରିବେ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ଆକର୍ଷଣୀୟ ସବସିଡ୍‍ ପ୍ରଦାନ କରାଯାଉଛି । ପୌରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହି ସବସିଡ୍‍ ପରିମାଣ ଅଧିକ ରହୁଛି । ପୌରସଂସ୍ଥାମାନେ ସ୍ୱତନ୍ତ୍ର ସବସିଡ୍‍ ଯୋଗାଇ ଦେଉଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୦ହଜାରରୁ ଅଧିକ ଲୋକେ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହେବାପାଇଁ ଆବେଦନ କରିଛନ୍ତି । ତେବେ ପାଖାପାଖି ଅଢେଇ ହଜାର ଲୋକଙ୍କ ଘରେ ସୌର ପ୍ୟାନେଲ ଲଗାଯାଇଛି । ଆବଦନ କରୁଥିବା ଲୋକଙ୍କ ମଧ୍ୟରୁ ପ୍ୟାନେଲ ସଂଯୋଗ କରିଥିବା ଲୋକଙ୍କ ସଂଖ୍ୟା ପାଖାପାଖି ଅଢେଇ ହଜାର ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ସବୁଠାରୁ ଅଧିକ ଲୋକେ ଆବେଦନ କରିଛନ୍ତି ଭଦ୍ରକ ଜିଲ୍ଲାରେ । ଏହି ଜିଲ୍ଲାରେ ଆବେଦନକାରୀଙ୍କ ସଂଖ୍ୟା ୧୭ହଜାର ଟପିଥିବାବେଳେ ଗଞ୍ଜାମରେ ୧୩ହଜାରରୁ ଅଧିକ ଲୋକେ ଆବେଦନ କରିଛନ୍ତି । ଅନ୍ୟ ଜିଲ୍ଲା ମଧ୍ୟରେ ବାଲେଶ୍ୱରରେ ୯୬୩୨, ଖୋରଧାରେ ୪୬୨୨, ଜଗତ୍‍ସିଂହପୁରରେ ୪୪୯୪, ବରଗଡରେ ୩ହଜାର, ଯାଜପୁରରେ ୩୮୨୧, କଟକରେ ୩୬୪୪, ମୟୁରଭଞ୍ଜରେ ୨୫୯୦, କେନ୍ଦ୍ରାପଡାରେ ୨୩୧୩ ଜଣ ଆବେଦନ କରିଛନ୍ତି । ସବୁଠାରୁ କମ୍‍ ୩୦୬ ଜଣ ଦେବଗଡରେ ଆବେଦନ କରିଥିବା ଜଣାଯାଇଛି ।

ତେବେ ସୌରଶକ୍ତି ପ୍ୟାନେଲ ସଂଯୋଗ କରିଥିବା ଜିଲ୍ଲା ମଧ୍ୟର ସବୁଠାରୁ ଆଗରେ ରହିଛି ଖୋରଧା । ଏହି ଜିଲ୍ଲାରେ ୯୩୧ ଜଣଙ୍କ ଘରେ ସୌରଶକ୍ତି ପ୍ୟାନେଲ ଖଞ୍ଜାଯାଇ ସାରିଥିବାବେଳେ କଟକରେ ୧୯୧, ସୁନ୍ଦରଗଡରେ ୧୪୮ ଜଣଙ୍କର ସଂଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲାରେ ୧୮୨୦ ଜଣ ଆବେଦନକାରୀଙ୍କ ମଧ୍ୟରୁ ଜଣଙ୍କର ହେଲେ ବି ସଂଯୋଗ ହୋଇନଥିବାବେଳେ କନ୍ଧମାଳରେ ୧, ମାଲକାନଗିରିରେ ୨, ବୌଦ୍ଧରେ ୫, ରାୟଗଡାରେ ୬ ଓ ଗଜପତିରେ ୭ଜଣ ସଂଯୋଗ ନେଇଛନ୍ତି ।

ତେବେ ଖୋରଧା ଜିଲ୍ଲା ଏ କ୍ଷେତ୍ରରେ ଆଗରେ ରହିଥିବାବେଳେ ଭୁବନେଶ୍ୱର ସହରେ ସରକାରୀ କ୍ୱାଟର୍ସ ପାଇଁ କିନ୍ତୁ ସବସିଡ୍‍ରେ ସଂଯୋଗ ବ୍ୟବସ୍ଥା ନାହିଁ । ଏହା ହୋଇଥିଲେ ସଂଯୋଗ ସଂଖ୍ୟା ଢେର ଅଧିକ ହୋଇଥାନ୍ତା । ତେଣୁ ସରକାରୀ କୋଠା ଭଳି ସରକାରୀ କ୍ୱାଟର୍ସଗୁଡିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଏବଂ ତଦନୁଯାୟୀ ସେହିଘରେ ରହୁଥିବା ଲୋକଙ୍କ ଠାରୁ ଅର୍ଥ ଆଦାୟ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)