Home Assembly ପାଣ୍ଡିଆନ ମନ୍ତବ୍ୟକୁ ନେଇ ହଟ୍ଟଗୋଳ

ପାଣ୍ଡିଆନ ମନ୍ତବ୍ୟକୁ ନେଇ ହଟ୍ଟଗୋଳ

ଭୁବନେଶ୍ୱର : ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପାଣ୍ଡିଆନ ମନନ୍ତବ୍ୟକୁ ନେଇ ଆଜି ଶୂନକାଳରେ ହଟଗୋଳ ହୋଇଥିଲା । ଶ୍ରୀ ମିଶ୍ର କହିଥିଲେ ଯେ ଚାଷୀ ପ୍ରସଙ୍ଗରେ ବିରୋଧିମାନେ ଗୃହରେ ହଟ୍ଟଗୋଳ କରି ବିଧାନସଭା ଚଳାଇ ଦେଉନାହାନ୍ତି । ସେହି ଚାଷୀ ପ୍ରସଙ୍ଗରେ ବିଜେଡି ଦେଇଥିବା ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରି ଆଲୋଚନା ପାଇଁ ଡାକିଥିଲେ ମଧ୍ୟ ବିରୋଧି ହଟ୍ଟଗୋଳ କଲେ । ମୁଲତବି ଆଲୋଚନାରେ ଅଂଶଗ୍ରହଣ କଲେ ନାହିଁ । ବିଧାନସଭାର ବହୁମୁଲ୍ୟ ସମୟ ନଷ୍ଟ ହେଲା ।

ଗୃହରେ ହଟ୍ଟଗୋଳ ନେଇ ଲବିରେ ଜଣେ ବିଜେଡି ସଦସ୍ୟ କହିଲେ ଯେ ପାଣ୍ଡିଆନ କହିବାରୁ ଆମେ ଏଭଳି କରିଛୁ । ପାଣ୍ଡିଆନ କ’ଣ ଏ ଗୃହକୁ ଚଳାଉଛନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଏହାକୁ ବିଜେଡି ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ । ବିଜେଡି ସଦସ୍ୟମାନେ ଏଭଳି ମନ୍ତବ୍ୟର ବିରୋଧକରି ଗୃହ ମଧ୍ୟକୁ ଆସି ପ୍ରତିବାଦ କରୁଥିବାବେଳେ ଶାସକଦଳର ସଦସ୍ୟମାନେ ନିଜ ନିଜ ଆସନରେ ଛିଡାହୋଇ ସେମାନଙ୍କ ପ୍ରତି ମନ୍ତବ୍ୟ ଦେଉଥିଲେ ।

ପରେ ବାଚସ୍ପତି ସୁରମା ପାଢୀ ବିରୋଧିଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ କହିବାକୁ ଡାକିଥିଲେ । ଶ୍ରୀମତୀ ମଲ୍ଲିକ କହିଥିଲେ ଯେ କେଉଁ ବିଧାୟକ ଲବିରେ ଜୟନାରାୟଣଙ୍କୁ ଏହା କହିଛନ୍ତି ସେ ତାଙ୍କ ନାମ ପ୍ରକାଶ ପ୍ରକାଶ କରନ୍ତୁ । ଏଥି ସହିତ ଗୃହର ବିବରଣୀରୁ ପାଣ୍ଡିଆନଙ୍କ ନାମ ବାଦ ଦେବାପାଇଁ ଶ୍ରୀମତୀ ମଲ୍ଲିକ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ଏଥି ସହିତ ସେ କହିଥିଲେ ଯେ ବିଧାନସଭାର ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତି ଗୃହର ସଦସ୍ୟ ନାହାନ୍ତି ବା ଗୃହରେ ଉପସ୍ଥିତ ନାହାନ୍ତି ତାଙ୍କ ସଂକ୍ରାନ୍ତରେ ଏଠାରେ ଆଲୋଚନା କରାଯାଇ ପାରିବନାହିଁ ।

ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକଙ୍କ ବକ୍ତବ୍ୟ ପରେ ବିଜେଡି ସଦସ୍ୟମାନେ ନିଜ ନିଜ ଆସନକୁ ଫେରିଯାଇଥିଲେ । ଏହା ପର ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଥିଲା ।