ଭୁବନେଶ୍ୱର : ଓଡିଶା ଲୋକେ ବର୍ଷକୁ ଯେତେ ତେଲ ଖାଉଛନ୍ତି ତାହାର ଅଧାରୁ ଅଧିକ ହେଉଛି ଅନ୍ୟ ତେଲ ଠାରୁ ଶସ୍ତା ଥିବା ପାମୋଲିନ୍ । ବିଶେଷକରି ପାମୋଲିନ୍ର ଦର ସୋରିଷ ଓ ସୂର୍ଯ୍ୟମୁଖୀ ତେଲ ତୁଳନାରେ ଢେର କମ୍ ରହିଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ଖାଇବା ତେଲ ସଂକ୍ରାନ୍ତରେ ବିଧାନସଭାରେ ରଖିଥିବା ଉତ୍ତରରୁ ଏହି ସୂଚନା ମିଳିଛି ।
ଖାଇବା ତେଲର ଦରବୃଦ୍ଧି ସଂକ୍ରାନ୍ତରେ ଆସିଥିବା ମୁଲତବି ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ସର୍ବେକ୍ଷଣ ସଂସ୍ଥା ତଥା ୨୦୨୦ ପରିଯୋଜନା ଜନସଂଖ୍ୟା ଆଧାରରେ ସମ୍ପ୍ରତିରାଜ୍ୟରେ ଖାଇବା ତେଲର ବାର୍ଷିକ ଚାହିଦା ହାରାହାରି ୩ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ଥିରୁ ପ୍ରାୟ ୫୫ ପ୍ରତିଶତ ପାମୋଲିନ୍, ୧୫ ପ୍ରତିଶତ ସୋରିଷ, ୨୦ ପ୍ରତିଶତ ସୂର୍ଯ୍ୟମୁଖ୍ୟ ଓ ଅନ୍ୟାନ୍ୟ ଖାଇବା ତେଲର ପରିମାଣ ୫ ପ୍ରତିଶତ ।
ସବୁ ପ୍ରକାର ତେଲକୁ ରାଜ୍ୟର ବ୍ୟବସାୟୀମାନେ ବାହାର ରାଜ୍ୟରୁ ଆମଦାନୀ କରି ଖାଉଟିମାନଙ୍କର ଚାହିଦା ପୂରଣ କରିଥାନ୍ତି । ଏଣୁ ବର୍ଷସାରା ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ହୁଏ ଏବଂ ସେଠାକାର ଦର ଆମ ରାଜ୍ୟରେ ଅନୁଭୂତ ହୋଇଥାଏ ।
ମନ୍ତ୍ରୀ କହିଛନ୍ତି ଯେ ପାମୋଲିନ ତେଲ ଇଣ୍ଡୋନେସିଆ ତଥା ମାଲେସିଆ ଆଦି ଦେଶରୁ ଆମଦାନୀ କରାଯାଇଥାଏ ଏବଂ ସୂର୍ଯ୍ୟମୁଖୀ ତଥା ସୋୟାବନ୍ କାନାଡା ତଥା ଯୁକ୍ତରାଷ୍ଟ୍ର ଆମେରିକଆ ଆଦି ଦେଶରୁ ଆମଦାନୀ ହୋଇଥାଏ ।
ବର୍ତ୍ତମାନ ରାଜ୍ୟରେ ଖାଇବା ତେଲର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିବା ସରକାରଙ୍କ ନଜରକୁ ଆସିଛି । ଗତବର୍ଷ ଏହି ସମୟରେ ପାମୋଲିନ୍ ତେଲ ଲିଟର ପ୍ରତି ହାରାହାରି ୮୦ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୧୨୬ଟଙ୍କା ରହିଛି । ସେହିପରି ସୋରିଷ ତେଲ ଗତ ୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୫୦ ଟଙ୍କାରେ ପହଞ୍ଚିଛି ।
ଚଳିତବର୍ଷ ଇଣ୍ଡୋନେସିଆ ତଥା ମାଲେସିଆ ଆଦି ଦେଶ ପାମୋଲିନ୍, ସୂର୍ଯ୍ୟମୁଖୀ ତେଲ ଦର ବୃଦ୍ଧି କରିବା ସଂଗେ ସଂଗେ ଏହାର ରପ୍ତାନି ଶୁଳ୍କ ବୃଦ୍ଧି କରିଛନ୍ତି ଏବଂ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟରେ ଅବକ୍ଷୟ ଘଟିବା ଯୋଗୁଁ ଏହିସବୁ ଖାଇବା ତେଲ ଦର ବଢିଛି ।
କେନ୍ଦ୍ର ସରକାର ଚଳିତବର୍ଷର ବଜେଟ୍ରେ ପାମୋଲିନ୍ ତେଲ ଉପରେ ୧୭.୫ ପ୍ରତିଶତ ଏବଂ ସୂର୍ଯ୍ୟମୁଖୀ ଓ ସୋୟାବିନ୍ ଉପରେ ୨୦ ପ୍ରତିଶତ କୃଷି ଉନ୍ନତିକରଣ ଟିକସ ଲଗାଇଛନ୍ତି । ଏହାଛଡା କେନ୍ଦ୍ର ସରକାର ଖାଇବାତେଲ ଉପରେ ୨୧ ପ୍ରତିଶତ ଆମଦାନୀ ଶୁଳ୍କ ଏବଂ ୫ ପ୍ରତିଶତ ଜିଏସ୍ଟି ନେଉଛନ୍ତି ଯାହାକି ତେଲ ଦର ବୃଦ୍ଧିରେ ସହାୟକ ହେଉଛି । ସୋରିଷର ସହାୟକ ମୂଲ୍ୟ ବୃଦ୍ଧିଯୋଗୁଁ ସୋରିଷତେଲ ଦର ମଧ୍ୟ ବଢିଛି ।
ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ଖାଇବା ତେଲୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ନିୟନ୍ତ୍ରଣମୁକ୍ତ କରିଛନ୍ତି । ତେବେ ରାଜ୍ୟ ସରକାର ବଜାର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।